ଥାନାରେ, କମିଶନରେଟ ପୋଲିସରେ କାର୍ଯ୍ୟରତ ପୋଲିସ ବାବୁ ଚୌକି ଛାଡ଼ିବାକୁ ତରବର। ବଦଳି ପାଇଁ ନିଜେ ଆବେଦନ କରିବା ସହ ଆଣୁଛନ୍ତି ବଡ଼ବଡ଼ିଆଙ୍କ ସୁପାରିସ। ଏଏସଆଇ, ଏସ୍ଆଇ ଓ ଇନ୍ସପେକ୍ଟର ମାନେ ନିଜ ଇଚ୍ଛାର ପୋଷ୍ଟିଂ ଚାହୁଁଛନ୍ତି । କଳେ ବଳେ କୌଶଳେ ନିଜ ପସନ୍ଦର ସ୍ଥାନକୁ ଯିବାକୁ ଚାହୁଁଛନ୍ତି। ଅଧିକାଂଶ ପୋଲିସ ବାବୁ ଚାହୁଁଛନ୍ତି ସ୍ପେଶାଲ ବ୍ରାଞ୍ଚରେ କାମ କରିବାକୁ । ବିନା ୟୁନିଫର୍ମରେ ସରକାରଙ୍କ ପାଇଁ ଗୁଇନ୍ଦାଗିରି କରିବାକୁ । ବଦଳି ପାଇଁ ସୁପାରିସର ତାଲିକା ଦେଖି ପୋଲିସ ମୁଖ୍ୟାଳୟ ଆଶ୍ଚର୍ଯ୍ୟ ହୋଇଛି । ସମସ୍ତ ବିଭାଗୀୟ ମୁଖ୍ୟଙ୍କୁ ପୋଲିସ ମୁଖ୍ୟାଳୟ ପକ୍ଷରୁ ଚିଠି କରାଯାଇଛି ।
ବଦଳି ପାଇଁ ସୁପାରିସ ଉପରେ ମତ ରଖିବାକୁ ୨୪ ଘଣ୍ଟା ସମୟ ଦିଆଯାଇଛି । କ୍ରାଇମବ୍ରାଞ୍ଚ ମହାନିର୍ଦ୍ଦେଶକ, ଗୁଇନ୍ଦା ନିର୍ଦ୍ଦେଶକ, ଭିଜିଲାନ୍ସ ନିର୍ଦ୍ଦେଶକ, ପୁଲିସ କମିଶନର, ମାନବ ଅଧିକାର ସେଲ୍ ଅତିରିକ୍ତ ମହାନିର୍ଦ୍ଦେଶକ, ବିଜୁ ପଟ୍ଟନାୟକ ପୋଲିସ ଏକାଡ଼େମୀ ମୁଖ୍ୟ, ଇଓଡବ୍ଲୁ ମୁଖ୍ୟ, ବ୍ରହ୍ମପୁର-ବାଲେଶ୍ବର ଡିଆଇଜି, ସବୁ ଜିଲ୍ଲାର ଏସପି, ଭୁବନେଶ୍ବର ସ୍ପେଶାଲ ବ୍ରାଞ୍ଚ ଏସପି, ସପ୍ତମ ବାଟାଲିୟନ ମୁଖ୍ୟଙ୍କ ସହ ଅନୁଗୁଳର ପିଟିସି ମୁଖ୍ୟଙ୍କୁ ଚିଠି ଲେଖିଛି ପୋଲିସ ମୁଖ୍ୟାଳୟ। ଚିଠି ସହ ବଦଳି ପାଇଁ ଆବେଦନ କିମ୍ବା ସୁପାରିସ କରିଥିବା ଅଧିକାରୀଙ୍କ ତାଲିକା ସଂଲଗ୍ନ ରହିଛି । କିଏ କେଉଁଠି ଅଛନ୍ତି, କେଉଁଠିକି ଯିବାକୁ ଚାହୁଁଛନ୍ତି, ବିସ୍ତୃତ ତାଲିକା ଉପରେ ବିଭାଗୀୟ ମୁଖ୍ୟଙ୍କ ମତାମତ ଲୋଡ଼ିଛି ପୋଲିସ ମୁଖ୍ୟାଳୟ। ତାଲିକାରେ ୩୧ ଜଣ ଏଏସଆଇ, ୨୧ ଜଣ ଏସ୍ଆଇ ଓ ୧୮ ଜଣ ଇନ୍ସପେକ୍ଟରଙ୍କ ନାମ ରହିଛି।
୭୦ ଜଣିଆ ତାଲିକାରୁ ଅଧିକାଂଶ ପ୍ରାୟ ୩୦ ଜଣ ପୋଲିସ ବାବୁ ସ୍ପେଶାଲ ବ୍ରାଞ୍ଚରେ କାମ କରିବାକୁ ଆବେଦନ କରିଛନ୍ତି କିମ୍ବା ସୁପାରିସ ଆଣିଛନ୍ତି। ଫେବୃଆରୀ ୪ ତାରିଖରେ ପୋଲିସ ମୁଖ୍ୟାଳୟରୁ ଚିଠି ହୋଇଥିବା ବେଳେ ୫ ତାରିଖ ସୁଦ୍ଧା ଉତ୍ତର ଦେବାକୁ କୁହାଯାଇଥିଲା। ଏବେ ପ୍ରଶ୍ନ ଉଠୁଛି, କିଏ କରୁଛି ପୋଲିସ ବଦଳି ପାଇଁ ସୁପାରିସ? ସୁପାରିସରେ ନିଜ ପସନ୍ଦର ଚୌକି ପାଇଲେ ସାଧାରଣ ଲୋକେ ନ୍ୟାୟ ପାଇବେ ତ? ଆଇନ ଶୃଙ୍ଖଳା ନିୟନ୍ତ୍ରଣ କରିବାରେ କେତେ ସହାୟକ ହେବେ ସୁପାରିସରେ ବଦଳି ହୋଇଥିବା ପୋଲିସ ବାବୁମାନେ? ଲୋକଙ୍କ ସରକାରରେ ଲୋକଙ୍କ ପାଇଁ ପୋଲିସ ବିଭାଗ କାମ କରିବାରେ କିଏ ଦେଉଛି ବାଧା ? ଗୃହ ବିଭାଗ ପାଖରେ ଏସବୁ ଖବର ଅଛି ନା ନାହିଁ ? ପୋଲିସ ବାବୁଙ୍କ ବଦଳି ପାଇଁ ସୁପାରିସ ସ୍ବଚ୍ଛ ଶାସନର ନମୁନା କି ? ପୋଲିସ ମୁଖ୍ୟାଳୟର ଚିଠି ପ୍ରଘଟ ପରେ ଏହାକୁ ନେଇ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି।

