ସମବାୟ ସମିତିରେ ନିଯୁକ୍ତି ଜାଲିଆତି ଅଭିଯୋଗ, ବିଧିବଦ୍ଧ ତଦନ୍ତ ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି
ନନ୍ଦିଘୋଷ ବ୍ୟୁରୋ: ବିଭିନ୍ନ ସମୟରେ ଚାଷୀ ସମସ୍ୟାକୁ ନେଇ ଚର୍ଚ୍ଚାରେ ଥିବା ସୁବର୍ଣ୍ଣପୁର ଜିଲ୍ଲା ଲଛିପୁର କୃଷି ସେବା ସମବାୟ ସମିତିରେ ନିଯୁକ୍ତି ଜାଲିଆତି ନେଇ ଆସିଛି ଅଭିଯୋଗ । ନିୟମ କାନୁନକୁ ଖାତିର ନକରି ହେଉଛି ମନମୁଖି ଛଟେଇ ଓ ନିଯୁକ୍ତି । ଏବେ ଧାନ ସଂଗ୍ରହ ସମୟ ହୋଇଥିବାରୁ ଚିନ୍ତାରେ ପଡିଛନ୍ତି ଚାଷୀ । ବେଆଇନ ନିଯୁକ୍ତିର ବିଧିବଦ୍ଧ ତଦନ୍ତ ସହ ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଚାଷୀ ।
ଲଚ୍ଛିପୁର ସମବାୟ ସମିତିରେ ନିଯୁକ୍ତି ଜାଲିଆତିର ସାଂଘାତିକ ତଥ୍ୟ ଲାଗିଛି ନନ୍ଦିଘୋଷ ଟିଭି ହାତରେ । ଆଦେଶ ନଂ ୧୫ ଅନୁଯାୟୀ ବାଳପୁରର ସସ୍ମିତା ମେହେରଙ୍କୁ ଆକାଉଣ୍ଟାଣ୍ଟ ଭାବେ ନିଯୁକ୍ତି ଦିଆଯାଇଛି । ହେଲେ ଆଧାର କାର୍ଡରେ ସେ ବଲାଙ୍ଗିର ଜିଲ୍ଲା କୁଟାଶିଙ୍ଘା ଗାଁର ବୋଲି ଉଲ୍ଲେଖ ରହିଛି । ସେହିପରି ପିଅନ ଭାବେ ନିଯୁକ୍ତ ଲବ ଦନ୍ତା ସମବାୟ ସମିତିର ନିର୍ଦ୍ଦେଶକ ଥିବା ଅଭିଯୋଗ ହୋଇଛି । ନିୟମ ଅନୁସାରେ ବାହାର ଜିଲ୍ଲାର ବ୍ୟକ୍ତି କୌଣସି ପଦବୀରେ ରହି ପାରିବେ ନାହିଁ । ହେଲେ ଏଠାରେ ଏହାର ଖୋଲା ଉଲ୍ଲଂଘନ ହୋଇଥିବା ସ୍ପଷ୍ଟ ହୋଇଛି । ସେପଟେ ଡିଆରସିଏସ ସଞ୍ଜୟ କୁମାର ତ୍ରିପାଠୀ କହିଛନ୍ତି, ଏ ବବାଦରେ ପାକ୍ସକୁ ଚିଠି ଲେଖାଯାଇଛି ।

