ନିର୍ବାଚନ ପାଇଁ କମ୍ପୁଛି ରେଢ଼ାଖୋଲ

ନନ୍ଦିଘୋଷ ବ୍ୟୁରୋ: ପଶ୍ଚିମ ଓଡ଼ିଶାର ଏକ ପ୍ରମୁଖ ବିଧାନସଭା ଆସନ ହେଉଛି ରେଢ଼ାଖୋଲ। ଏଥର ଏହି ବିଧାନସଭା ନିର୍ବାଚନମଣ୍ଡଳୀଟି କାହା ଦଖଲକୁ ଯିବ ? ତାକୁ ନେଇ ଚାଲିଛି କଳ୍ପାନା ଜଳ୍ପନା । ତିନି ପ୍ରମୁଖ ଦଳ ମଧ୍ଯରେ ହେଉଛି କଡ଼ା ଟକ୍କର । ଜୋରଦାର ଚାଲିଛି ପ୍ରଚାର। ଦେଖିବା ରେଢ଼ାଖୋଲର ସ୍ଥିତି କ’ଣ।

ସଭା ସମିତି ଓ ଶୋଭାଯାତ୍ରାରେ କମ୍ପୁଛି ରେଢ଼ାଖୋଲ । ନିର୍ବାଚନ ପାଇଁ ପରିବେଶ ପୂରା ଗରମ । ଏହି ନିର୍ବାଚନମଣ୍ଡଳୀରେ ରେଢ଼ାଖୋଲ ବ୍ଲକର ୧୪ଟି ପଞ୍ଚାୟତ, ନାକଟିଦେଉଳ ବ୍ଳକର ୧୪ଟି  ପଞ୍ଚାୟତ, ଯୁଯୁମରା ବ୍ଲକର ୧୮ଟି ପଞ୍ଚାୟତ, ମାନେଶ୍ବର ବ୍ଲକର ୭ଟି ପଞ୍ଚାୟତ ଓ ରେଢ଼ାଖୋଲ ଏନଏସସିର ୧୩ଟି ୱାର୍ଡ ରହିଛି । ଏଠାରେ ଅଛନ୍ତି ୨ ଲକ୍ଷ ୨ ହଜାର ୫୯୦  ଭୋଟର । ୧୯୫୧ଠାରୁ ୨୦୦୪ ମସିହା ପର୍ଯ୍ଯନ୍ତ ରେଢାଖୋଲ ବିଧାନସଭା ଆସନଟି ଅନୁସୂଚିତ ଜାତିଙ୍କ ପାଇଁ ଉଦ୍ଦିଷ୍ଟ ଥିଲା । ୨୦୦୯ରୁ ଅଣସଂରକ୍ଷିତ ହୋଇଯାଇଛି।  ଏଥର ଏଠାରେ ତ୍ରିମୁଖୀ ଲଢ଼େଇ ହେଉଛି । ବିଜେଡି ପକ୍ଷରୁ ପ୍ରସନ୍ନ ଆଚାର୍ଯ୍ଯ ଓ ବିଜେପିରୁ ଦେବେନ୍ଦ୍ର ମହାପାତ୍ର ପ୍ରାର୍ଥୀ ହୋଇଛନ୍ତି । କଂଗ୍ରେସରୁ ଲଢୁଛନ୍ତି ଆସଫ ଅଲ୍ଲୀ ଖାନ୍ । ତିନି ପ୍ରାର୍ଥୀ ଜୋରଦାର ପ୍ରଚାର ଚଳାଇଛନ୍ତି।

ରେଢ଼ାଖୋଲ ବିଧାନସଭା ନିର୍ବାଚନମଣ୍ଡଳୀଟି ବିଜେଡିର ଗଡ଼  ପାଲଟିଛି । ୨୦୦୪ରେ ବିଜେପି ସହ ମେଣ୍ଟ ବେଳେ ବିଜେଡି ପ୍ରାର୍ଥୀ ସନାତନ ବିଶି ୩୬ ହଜାର ୨୬୦ ଭୋଟ ପାଇ ବିଜୟୀ ହୋଇଥିଲେ । କଂଗ୍ରେସର ରାମକୃଷ୍ଣ ମହାନନ୍ଦଙ୍କୁ ୨୪ ହଜାର ୪୬୫ ଓ ସ୍ଵାଧୀନ ପ୍ରାର୍ଥୀ ନାଉରୀ ନାଏକଙ୍କୁ ୨୨ ହଜାର ୭୭୬ ଭୋଟ ମିଳିଥିଲା । ୨୦୦୯ରେ ବିଜେଡି ପ୍ରାର୍ଥୀ ପ୍ରସନ୍ନ ଆଚାର୍ଯ୍ଯ ୩୭ ହଜାର ୭୧୮ ଭୋଟ ପାଇ ଜିତିଥିଲେ । କଂଗ୍ରେସର ଆସଫ ଅଲ୍ଲୀ ଖାନ୍ ୨୭ ହଜାର ୯୫୪ ଓ ବିଜେପି ପ୍ରାର୍ଥୀ ଶରତ ଚନ୍ଦ୍ର ସାହୁଙ୍କୁ ୧୯ ହଜାର ୨୧୭ ଭୋଟ ମିଳିଥିଲା । ୨୦୧୪ରେ ରୋହିତ ପୂଜାରୀ ବିଧାୟକ ଭାବେ ଜୟଯୁକ୍ତ ହୋଇଥିଲେ ।  ୨୦୧୯ରେ ବିଜେଡି ପ୍ରାର୍ଥୀ ରୋହିତ ପୂଜାରୀ ୫୭ ହଜାର ୧୧୧ ଭୋଟ ପାଇ ବିଜୟୀ ହୋଇଥିଲେ । କଂଗ୍ରେସର ଆସଫ ଅଲ୍ଲୀ ଖାନ୍ ୪୨ ହଜାର ୪୭୯ ଓ ବିଜେପିର ଦେବେନ୍ଦ୍ର ମହାପାତ୍ର ପାଇଥିଲେ ୪୨ ହଜାର ୨୭ ଖଣ୍ଡ ଭୋଟ । ଶୁଣନ୍ତୁ, ଫଳାଫଳ ନେଇ ବୁଦ୍ଧିଜୀବୀମାନେ କ’ଣ କହୁଛନ୍ତି ।

ରେଢ଼ାଖୋଲ ନିର୍ବାଚନମଣ୍ଡଳୀରେ ପିଇବା ପାଣି ସୁବିଧା ସାଙ୍ଗକୁ ପ୍ରତି ଘରକୁ ବିଦ୍ଯୁତ ସଂଯୋଗ ହୋଇଛି । ସନ୍ଥକବି ଭୀମ ଭୋଇଙ୍କ ସ୍ମୃତିପୀଠ, ଟାଉନ ହଲ, ଆଦର୍ଶ ବିଦ୍ୟାଳୟ, ନୂତନ ବସଷ୍ଟାଣ୍ଡ, ପଞ୍ଚଖଣ୍ଡା ମନ୍ଦିର, ଜଗନ୍ନାଥ ମନ୍ଦିର ଓ ଖେଳ ପଡ଼ିଆ ଆଦିର ହୋଇଛି ଉନ୍ନତି। ସବୁ ପ୍ରାର୍ଥୀ ନିଜ ନିଜ ପ୍ରସଙ୍ଗ ଧରି ଭୋଟ୍ ମାଗୁଥିବା ବେଳେ ଲୋକ ବିକାଶମୂଳକ କାମକୁ ଫୋକସ୍ କରୁଛନ୍ତି ।