କମିବ ସଡ଼କ ଦୁର୍ଘଟଣା, ଆହତଙ୍କୁ ତୁରନ୍ତ ମିଳିବ ସହାୟତା

1 min read

ରାଉରକେଲା: କମିବ ସଡ଼କ ଦୁର୍ଘଟଣା । ଆହତଙ୍କୁ ତୁରନ୍ତ ମିଳିବ ସହାୟତା । ପୋଲିସ ଓ ପରିବହନ ବିଭାଗକୁ ଟିପ୍ସ । ରାଜ୍ୟରେ ସଡ଼କ ଦୁର୍ଘଟଣା ସଂଖ୍ୟା ହ୍ରାସ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ସଫଳ ହେଉଛି । ତେବେ ରାଜ୍ୟକୁ ସମ୍ପୂର୍ଣ୍ଣ ସଡ଼କ ଦୁର୍ଘଟଣା ମୁକ୍ତ କରି ଆହତଙ୍କୁ ତୁରନ୍ତ ସହାୟତା ଯୋଗାଇ ଦେବାକୁ ନିଆଯାଉଛି ବିଭିନ୍ନ ପଦକ୍ଷେପ । ଦୁର୍ଘଟଣାର ନିର୍ଦ୍ଧିଷ୍ଟ କାରଣ କ’ଣ ଥିଲା ? କ’ଣ କରାଯାଇଥିଲେ ଦୁର୍ଘଟଣା ରୋକାଯାଇ ପାରିଥାନ୍ତା ? ସେ ସମ୍ପର୍କରେ ସମସ୍ତ ଡାଟା ମୋବାଇଲ ଆପ୍ ଜରିଆରେ ଡାଟା ସଂଗ୍ରହ କରାଯାଉଛି । ଏସମ୍ପର୍କରେ ସୁନ୍ଦରଗଡ଼, କେଉଁଝର ଓ ରାଉରକେଲା ପୋଲିସ ଜିଲ୍ଲାର ପୋଲିସ ଅଫିସର ଓ ପରିବହନ ବିଭାଗର ଅଧିକାରୀଙ୍କୁ ନେଇ ଦୁଇଦିନ ଧରି ରାଉରକେଲା ଆଇଟିଡିଏ ହଲରେ ତାଲିମ ପ୍ରଦାନ କରାଯାଇଥିଲା ।

ଦୁର୍ଘଟଣା ଘଟିବା ପରେ ପୋଲିସ ଓ ପରିବହନ ବିଭାଗ ପକ୍ଷରୁ ତଦନ୍ତ କରାଯାଉଥିବା ବେଳେ ଏହି ତଦନ୍ତ ରିପୋର୍ଟ ମୋବାଇଲ ଆପରେ ରେକର୍ଡ ରହୁଛି । ଦୁର୍ଘଟଣାର ନିର୍ଦ୍ଧିଷ୍ଟ କାରଣ ଜାଣିବା ପରେ ଏହାର ନିରାକରଣ କରିବା ପାଇଁ ପଦକ୍ଷେପ ନିଆଯାଉଛି । ମୋବାଇଲ ଆପରେ ସମସ୍ତ ଡାଟା ରହୁଥିବାରୁ ସମସ୍ତ ବିଭାଗୀୟ ଅଧିକାରୀ ଦୁର୍ଘଟଣାର କାରଣ ସମ୍ପର୍କରେ ଅବଗତ ହୋଇ ପାରୁଛନ୍ତି । କିପରି ତଦନ୍ତ ରିପୋର୍ଟ ମୋବାଇଲ ଆପରେ ରଖାଯିବ ଓ ତଦନ୍ତ ସମୟରେ କ’ଣ କ’ଣ ତଥ୍ୟ ସଂଗ୍ରହ କରାଯିବ ସେ ସମ୍ପର୍କରେ ଅଧିକାରୀମାନଙ୍କୁ ତାଲିମ ନେଇଥିଲେ । IRAD  ଓ EDAR ଆପ୍ଲିକେସନ ଉପରେ ପରିବହନ ଓ ପୋଲିସ ଅଧିକାରୀଙ୍କୁ ଦୁଇଦିନ ଧରି ପ୍ରଶିକ୍ଷଣ ପ୍ରଦାନ କରାଯାଇଛି ।