ଏସିଆନ ଆଥଲେଟିକ୍ସ ଚମ୍ପିଆନସିପରେ ସ୍ୱର୍ଣ୍ଣ ଜିତିଲେ ରିଲାଏନ୍ସ ଫାଉଣ୍ଡେସନର ଜ୍ୟୋତି ୟାରାଜୀ

ନନ୍ଦିଘୋଷ ବ୍ୟୁରୋ : ଇତିହାସ ରଚିଲା ଓଡ଼ିଶା ରିଲିଆନ୍ସ ଫାଉଣ୍ଡେସନ ହାଇ ପରଫରମାନ୍ସ ସେଣ୍ଟର। ଏସିଆନ ଅଥଲେଟିକ୍ସ ଚାମ୍ପିୟାନସିପରେ ସ୍ବର୍ଣ୍ଣ ପଦକ ହାସଲକରିଛନ୍ତି ଆଥଲେଟ୍ ଜ୍ୟୋତି ୟାରାଜୀ  । ୧୦୦ ମିଟର ହଡ଼ଲସରେ ଜ୍ୟୋତି ୟାରଜିଙ୍କୁ ମିଳିଛି ସ୍ବର୍ଣ୍ଣ ପଦକ ।

୨୩ ବର୍ଷୀୟ ଜ୍ୟୋତି ଫାଇନାଲରେ ୧୩.୦୯ସେକେଣ୍ଡରେ ଏହି ସଫଳତା ପାଇଛନ୍ତି । ତାଙ୍କ ସହ ଥିବା  ଦୁଇ ଜାପାନୀ ରନର୍ସ ଟେରଡା ଆସୁକା (୧୩.୧୩ ସେକେଣ୍ଡ) ଏବଂ ଆକି ମାସୁମୀ (୧୩.୨୬ ସେକେଣ୍ଡ)ଙ୍କୁ ସେ ପଛରେ ପକାଇଦେଇଥିଲେ  ।

ପୂର୍ବରୁ କେବଳ ଅନୁରୋଧ ବିଶ୍ୱାଳ ଓ ଜୟପାଲ ହେମଶ୍ରୀ ଭାରତରୁ ଏହି ଇଭେନ୍ତରେ ଯଥାକ୍ରମେ ୨୦୦୨ ଓ ୨୦୧୩ରେ ବ୍ରୋଞ୍ଜ ପଦକ ଜିତିଥିଲେ  । ଏସିଆନ ଅଥଲେଟିକ୍ସ ଚାମ୍ପିୟାନସିପରେ ପ୍ରଥମ ଭାରତୀୟ ମହିଳା ଆଥଲେଟ ଭାବେ ସେ ଏହି ଗୌରବ ଅର୍ଜନ କରିଛନ୍ତି ।  ଏହା ପୂର୍ବରୁ କୌଣସି ଭାରତୀୟ ମହିଳା ଆଥଲେଟ ଏସିଆନ ଆଥଲେଟିକ ଚାମ୍ପିୟାନସିପ ୧୦୦ ମିଟର ହଡ଼ଲସରେ ସ୍ବର୍ଣ୍ଣ ପଦକ ଜିତିନଥିଲେ । ଜ୍ୟୋତି ୟାରଜି କଳିଙ୍ଗ ଷ୍ଟାଡିଅମରେ ଥିବା ଓଡ଼ିଶା ରିଲିଆନ୍ସ ଫାଉଣ୍ଡେସନ ହାଇ ପରଫରମାନ୍ସ ସେଣ୍ଟରରେ ରହି ଅତ୍ୟାଧୁନିକ ଟ୍ରେନିଂ ନେଇଆସୁଥିଲେ ।

ସେ ପୂର୍ବରୁ ଜାତୀୟ ସ୍ତରରେ ଶ୍ରେଷ୍ଠ ମହିଳା ଆଥଲେଟ୍ ଭାବରେ ସମ୍ମାନିତ ହୋଇଥିଲେ ।  ଏଥିସହିତ ଅନ୍ତଃ ରାଜ୍ୟ ସିନିୟର ଆଥଲେଟିକ୍ସ ଚାମ୍ପିଅନସିପରେ ସେ ଦୁଇଟି ସ୍ୱର୍ଣ୍ଣ ଏବଂ ଗୋଟିଏ ରୋପ୍ୟ ଜିତିଥିଲେ  । ସେ ପରବର୍ତ୍ତୀ ସମୟରେ ଏସିଆନ୍ ଆଥଲେଟିକ୍ସ ଚାମ୍ପିଅନସିପରେ ୨୦୦ ମିଟର ଇଭେଣ୍ଟରେ ଭାଗ ନେବେ ବୋଲି ଜଣାପଡିଛି ।