ଡିସେମ୍ବର ୩୧ରୁ ଜାନୁଆରୀ ୨ ପର୍ଯ୍ୟନ୍ତ ବନ୍ଦ ରହିବ ରାଜଧାନୀର ସମସ୍ତ ଧର୍ମାନୁଷ୍ଠାନ

ଭୁବନେଶ୍ୱର: ରାଜ୍ୟରେ ବଢ଼ୁଛି ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା । ଏପରି ସ୍ଥିତିରେ ଆଗକୁ ଆସୁଛି ନୂଆବର୍ଷ । ନୂଆବର୍ଷକୁ ଦୃଷ୍ଟିରେ ରଖି ଆଗୁଆ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ନୂଆ ବର୍ଷକୁ ଦୃଷ୍ଟିରେ ରଖି ଜାରି ହୋଇଛି ସ୍ୱତନ୍ତ୍ର ମାର୍ଗଦର୍ଶିକା । ଡିସେମ୍ବର ୩୧ରୁ ଜାନୁଆରୀ ୩ ପର୍ଯ୍ୟନ୍ତ କଟକଣା ଲଗାଇଛନ୍ତି ରାଜ୍ୟ ସରକାର । ରାଜ୍ୟ ସରକାର ବିଭିନ୍ନ କଟକଣା ଜାରି କରିଥିବା ବେଳେ ଭୁବନେଶ୍ୱରରେ ନୂଆ ଗାଇଡ ଲାଇନ୍ସ ଜାରି କରିଛି ଭୁବନେଶ୍ୱର ମହାନଗର ନିଗମ । ନୂଆ ବର୍ଷରେ ବିଭିନ୍ନ ଧାର୍ମିକ ଅନୁଷ୍ଠାନରେ ଭିଡ ହେବାର ଆଶଙ୍କା ଥିବାରୁ ଏଥି ପାଇଁ ଆଗାମୀ ତିନି ଦିନ ପାଇଁ ସମସ୍ତ ଧାର୍ମିକ ଅନୁଷ୍ଠାନକୁ ବନ୍ଦ କରିଛି ବିଏମସି ।

ଭୁବନେଶ୍ୱର ମହାନଗର ନିଗମ ଅଧିନରେ ଆସୁଥିବା ସମସ୍ତ ମନ୍ଦିର, ମସଜିଦ୍, ଚର୍ଚ୍ଚ ଓ ଗୁରୁଦ୍ୱାରାକୁ ଆସନ୍ତା ୩ ଦିନ ପାଇଁ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି ବିଏମସି । କେବଳ ଧାର୍ମିକ ଅନୁଷ୍ଠାନ ନୁହେଁ ପ୍ଲାନଟେରିୟମ ଓ ନନ୍ଦନକାନନରେ ସର୍ବସାଧାରଣଙ୍କ ପ୍ରବେଶ ଉପରେ ରୋକ୍ ଲଗାଯାଇଛି । ସେହିଭଳି ହୋଟେଲ, ପବ୍ଲିକ୍ ଓ ବିଭିନ୍ନ ପାର୍କରେ ମଧ୍ୟ ନୂତନ ବର୍ଷ ପାଳନକୁ ନିଷେଧ କରାଯାଇଛି । ତେବେ ଏହି ନିୟମ ଖିଲାପ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଏମସି ପକ୍ଷରୁ କୁହାଯାଇଛି । ଏଥିପାଇଁ ୩ଟି ଜୋନରେ ମୋଟ ୧୩ଟି ଏନଫୋର୍ସମେଣ୍ଟ ସ୍କ୍ବାଡ ଗଠନ କରାଯାଇଛି ।

Leave a Reply