ଅଲିଭ ରିଡଲେଙ୍କ ସୁରକ୍ଷା ଚିନ୍ତା: ଅସ୍ତରଙ୍ଗ ଦେବୀ ନାସିରୁ କେଳୁଣୀ ମୁହାଁଣ ପର୍ଯ୍ୟନ୍ତ ସମୁଦ୍ରରେ ମାଛ ଧରିବା ମନା
ନନ୍ଦିଘୋଷ ବ୍ୟୁରୋ: ସମୁଦ୍ରରେ ମାଛ ଧରିବା ଉପରେ ଲାଗିଲା କଟକଣା । ବିରଳ ସାମୁଦ୍ରିକ ପ୍ରଜାତିର ଅଲିଭ ରିଡଲେଙ୍କ ଆଗମନ ପାଇଁ କଟକଣା ଜାରି ହୋଇଛି । ପୁରୀ ଜିଲ୍ଲା ଅସ୍ତରଙ୍ଗ ଦେବୀ ନାସିରୁ କେଳୁଣୀ ମୁହାଁଣ ପର୍ଯ୍ୟନ୍ତ ସମୁଦ୍ରରେ ମାଛ ଧରିବା ମନା । ଆଜିଠୁ ଆସନ୍ତାବର୍ଷ ମେ’ ୩୧ ତାରିଖ ପର୍ଯ୍ୟନ୍ତ କଟକଣା ବଳବତ୍ତର ରହିବ । ଅଲିଭ ରିଡଲେଙ୍କ ଅଣ୍ଡାଦାନ ଋତୁ ଆସିଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି । କଟକଣା ଉଲ୍ଲଂଘନ କଲେ ମଟର ଚାଳିତ ଡଙ୍ଗା ଓ ଟ୍ରଲର ଜବତ ସହିତ ଗଣିବେ ତଣ୍ଡ, ବାତିଲ ହେବ ଲାଇସେନ୍ସ ।
ଅସ୍ତରଙ୍ଗର ଦେବୀ ମୁହାଣର ଉତ୍ତର ପାର୍ଶ୍ଵ ୧୦ କିଲୋମିଟର ଓ ଦକ୍ଷିଣ ପାର୍ଶ୍ୱ ୧୦ କିଲୋମିଟର ପରିମିତ ସ୍ଥାନ ସମ୍ବେଦନଶୀଳ ଅଞ୍ଚଳ ଭାବେ ଚିହ୍ନଟ ହୋଇଛି । ଏହି ସ୍ଥାନରେ ଡଙ୍ଗା ଓ ଟ୍ରଲର ଚଳାଚଳ ଉପରେ କଟକଣା ଜାରି କରାଯାଇଛି । ମାଛଧରା ନିଷେଧ ଅଞ୍ଚଳରେ ଟ୍ରଲର ନିୟମ ଭଙ୍ଗ କଲେ ଟ୍ରଲର ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ନିୟମ ଭଙ୍ଗକାରୀଙ୍କ ଲାଇସେନ୍ସ ବାତିଲ କରାଯିବ ବୋଲି ଅସ୍ତରଙ୍ଗ ସହକାରୀ ମତ୍ସ୍ୟ ଅଧିକାରୀ କହିଛନ୍ତି । କଇଁଛଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି । ଅସ୍ତରଙ୍ଗ ବନ ବିଭାଗ ତରଫରୁ ୪ଟି ହାଚେରୀ କରାଯାଇଛି । ଗଙ୍ଗାଦେବୀ, ଦେବୀନାସି, ଡ଼ାଳୁଅକଣି ଓ ଜାହାନିଆ ହାଚେରୀ କରାଯାଇଛି । ଏହି ସମୟରେ ମାଛ ଧରା ଉପରେ ତଟରକ୍ଷୀ ବାହିନୀ, ସାମୁଦ୍ରିକ ମତ୍ସ୍ୟ ବିଭାଗ, ସାମୁଦ୍ରିକ ଥାନା ପୋଲିସ ଓ ଜଙ୍ଗଲ ବିଭାଗ ପକ୍ଷରୁ ମିଳିତ ପାଟ୍ରୋଲିଂ କରାଯିବ ।
ପ୍ରତିବର୍ଷ ନଭେମ୍ବର ୧ରୁ ମେ’ ୩୧ ତାରିଖ ମଧ୍ୟରେ ଅଣ୍ଡାଦାନ ପାଇଁ ଦେବୀ ନଦୀ ମୁହାଣ ନିକଟକୁ ଆସିଥାନ୍ତି ଅଲିଭ ରିଡଲେ । ଅନ୍ୟପଟେ ବିଭିନ୍ନ ସମୟରେ ପ୍ରାକୃତିକ ବିପର୍ଯ୍ୟୟ ଓ ଲଘୁଚାପ ପାଇଁ ମାଛ ମାରିବା ବନ୍ଦ ରହୁଛି । ଫଳରେ ମତ୍ସ୍ୟଜୀବୀଙ୍କ ଜୀବନ ଜୀବିକା ପ୍ରଭାବିତ ହେଉଛି । ଆଉ ଏବେ କଇଁଛଙ୍କ ଅଣ୍ଡାଦାନ ସମୟ ଆସିଥିବାରୁ ସମୁଦ୍ରରେ ମାଛ ମାରିବା ନେଇ କଟକଣା ଲାଗିଛି । ତେଣୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ପ୍ରଶାସନକୁ ଅନୁରୋଧ କରିଛନ୍ତି ମତ୍ସ୍ୟଜୀବୀ ।
ପ୍ରାକୃତିକ ଜୈବ ବିବିଧତା ରକ୍ଷା ଓ ସମୁଦ୍ରରେ ସନ୍ତୁଳନ ରକ୍ଷା ଦିଗରେ ଅଲିଭ ରିଡେଲଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ତେଣୁ ସେମାନଙ୍କ ସୁରକ୍ଷା ଓ ଅଣ୍ଡାଦାନ ପ୍ରକ୍ରିୟା ଶେଷ ପର୍ଯ୍ୟନ୍ତ ତୀକ୍ଷ୍ନ ନଜର ରଖିବାର ଆବଶ୍ୟକତା ରହିଛି ।

