ବନ୍ୟା ସ୍ଥିତି ସମୀକ୍ଷା କଲେ ରାଜସ୍ୱ ମନ୍ତ୍ରୀ, କହିଲେ ବିପନ୍ନଙ୍କ ପାଇଁ କରାଯାଇଛି ଖାଦ୍ୟ, ପାନୀୟ ଜଳ ଓ ଔଷଧ ବ୍ୟବସ୍ଥା

1 min read

ଭୁବନେଶ୍ୱର: ରାଜ୍ୟରେ ଆହୁରି ୩ରୁ ୪ଦିନ ଏମିତି ବନ୍ୟା ସ୍ଥିତି ଲାଗି ରହିବ । ଆଗାମୀ ୨୪ ଘଣ୍ଟା ରାଜ୍ୟ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ । ବନ୍ୟା ଦ୍ବାରା ମହାନଦୀ ସିଷ୍ଟମରେ ଗତକାଲି ଦୁଇଟି ଘାଇ ହୋଇଥିଲା । ଆଜି ଆଉ ଦୁଇଟି ଘାଇ ସହ ମୋଟ ୪ଟି ଘାଇ ହୋଇଛି । ୨୦୧୧ ପରେ ରାଜ୍ୟରେ ଏଭଳି ବନ୍ୟା ହୋଇଛି । ବର୍ତ୍ତମାନ ଘଣ୍ଟାକୁ ୧୭ ହଜାର କ୍ୟୁସେକ ପାଣି ମୁଣ୍ଡଳୀରୁ ଖସୁଛି । କିଛି ସମୟ ପରେ ଘଣ୍ଟାକୁ ୨୫ ହଜାର କ୍ୟୁସେକ ପାଣି ଖସିବ। ହୀରାକୁଦ ଡ୍ୟାମର ବନ୍ୟା ଜଳ ମୁଣ୍ଡଳୀଠାରେ କାଲି ସକାଳେ ପହଞ୍ଚିବ । ପ୍ରାୟ ୯ରୁ ୧୦ ଲକ୍ଷ କ୍ୟୁସେକ ପାଣି ନିଷ୍କାସିତ ହେବ । କଟକ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା ବନ୍ୟାରେ ପ୍ରଭାବିତ ହୋଇଛି । ଜଗତସିଂହପୁର ଓ ପୁରୀ ଜିଲ୍ଲା ସମ୍ପୂର୍ଣ୍ଣ ଭାବେ ପ୍ରଭାବିତ ହୋଇଛି ।

ଆଜି ଓଡ୍ରାଫ, NDRF, ଅଗ୍ନିଶମ ବିଭାଗର ଅତିରିକ୍ତ ଟିମ ପଠାଯାଇଛି । ବ୍ରାହ୍ମଣୀ ଓ ବୈତରଣୀ ବେଲ୍ଟରେ ବର୍ଷା ଆକଳନ କରାଯାଉଥିବାରୁ କେନ୍ଦୁଝର, ଭଦ୍ରକ ଓ ଯାଜପୁରକୁ ସତର୍କ ରହିବା ପାଇଁ କୁହାଯାଇଛି । ସ୍ୱାସ୍ଥ୍ୟ ବିଭାଗ ସହିତ ଲଗାତର ସମନ୍ବୟ ରଖାଯାଉଛି । ପର୍ଯ୍ୟାପ୍ତ କିଟ୍ ପାଇଁ କୁହାଯାଇଛି । ସବୁ ସିଏଚସିରେ ଆଣ୍ଟି ଭେନମ କିଟ୍ ଅଧିକ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ରେସକ୍ୟୁ ଅପରେସନ ଚାଲିଛି । ବନ୍ୟା ବିପନ୍ନଙ୍କୁ ରନ୍ଧା ଖାଦ୍ୟ ଦିଆଯାଉଛି । ରାଜ୍ୟରେ ମଧ୍ୟମ ଧରଣର ବନ୍ୟା ହୋଇଛି । ଘାଇ ଓ ଘଳିଆ ମରାମତି କରାଯାଉଥିବା ରାଜସ୍ବ ମନ୍ତ୍ରୀ କହିଛନ୍ତି।