ଟିମ୍ ଇଣ୍ଡିଆ ଷ୍ଟାର୍ ବ୍ୟାଟର୍ ରିଙ୍କୁ ସିଂହ ଏବଂ ସାପା ସାଂସଦ ପ୍ରିୟା ସରୋଜଙ୍କ ନିର୍ବନ୍ଧ

ନନ୍ଦିଘୋଷ ବ୍ୟୁରୋ: ଟିମ ଇଣ୍ଡିଆର ମଧ୍ୟମ କ୍ରମ ବ୍ୟାଟର ରିଙ୍କୁ ସିଂହଙ୍କ ନିର୍ବନ୍ଧ ହୋଇଯାଇଛି । ସେ ସମାଜବାଦୀ ପାର୍ଟି ସାଂସଦ ପ୍ରିୟା ସରୋଜଙ୍କୁ ବିବାହ କରିବାକୁ ଯାଉଛନ୍ତି । ରବିବାର ଲକ୍ଷ୍ନୌର ଫାଇଭ ଷ୍ଟାର ହୋଟେଲ ଦି ସେଣ୍ଟ୍ରମରେ ପରିବାର ଓ କିଛି ବନ୍ଧୁଙ୍କ ଉପସ୍ଥିତିରେ ଉଭୟଙ୍କ ରିଙ୍ଗ ସେରିମନି ହୋଇଥିଲା । ରିଙ୍କୁ ମୁଦି ପିନ୍ଧାଇବା ପରେ ପ୍ରିୟା ଭାବୁକ ହୋଇଯିବା ସହ କାନ୍ଦି ପକାଇଥିଲେ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଉଭୟଙ୍କ ରିଙ୍ଗ ସେରିମନିରେ ସାମଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଏବଂ ତାଙ୍କ ପତ୍ନୀ ଡିମ୍ପଲ ଯାଦବ ସାମିଲ ହୋଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିସିସିଆଇ ଉପାଧ୍ୟକ୍ଷ ରାଜୀବ ଶୁକ୍ଳା ଏବଂ ଜୟା ବଚ୍ଚନ ଉପସ୍ଥିତ ରହି ଉଭୟଙ୍କୁ ଆଶୀର୍ବାଦ ଦେଇଥିଲେ । ସେହିପରି ଟିମ ଇଣ୍ଡିଆର ପୂର୍ବତନ ଖେଳାଳି ପ୍ରବୀଣ କୁମାର, ପିୟୂଷ ଚାଓ୍ବଲା ଏବଂ ୟୁପି ରଣଜୀ ଟିମର ଅଧିନାୟକ ଆର୍ଯନ ଜୁୟାଲ ମଧ୍ୟ ସାମିଲ ହୋଇଥିଲେ ।

ରିଙ୍କୁଙ୍କ ହ୍ବାଇଟ୍ ଶେରଓ୍ବାନୀ ଏବଂ ପ୍ରିୟା ଗୋଲାପୀ ଡ୍ରେସ୍

ରିଙ୍ଗ ସେରିମନିରେ ରିଙ୍କୁ ହ୍ବାଇଟ୍ ଶେରଓ୍ବାନୀ ପିନ୍ଧିଥିବା ବେଳେ ପ୍ରିୟା ଏକ ଗୋଲାପୀ ଡ୍ରେସରେ ବ୍ୟୁଟି ଦିଶୁଥିଲେ । ରିଙ୍ଗ ସେରିମନି ପାଇଁ ଉଭୟ ଷ୍ଟେଜକୁ ଯିବା ପରେ ପ୍ରିୟା ଭାବୁକ ହୋଇଯାଇ କାନ୍ଦିବାକୁ ଲାଗିଥିଲେ । ଏହି ସମୟରେ ରିଙ୍କୁ ତାଙ୍କୁ ସମ୍ଭାଳି ଥିଲେ । ଏହାପରେ ଉଭୟଙ୍କ ନିର୍ବନ୍ଧ ହୋଇଥିଲା । ଏହି ଭବ୍ୟ କାର୍ଯ୍ୟକ୍ରମରେ ୩୦୦ ଅତୀଥି ଯୋଗ ଦେଇଥିଲେ । ସାପା ନେତା ରାମଗୋପାଳ ଯାଦବ, ଶିବପାଲ ସିଂହ ଯାଦବ, ସାଂସଦ ରାଜୀବ ରାୟ, ଜିୟାଉର ରହମାନ ବର୍କ, ମୋହିବୁଲ୍ଲାହ ନଦବୀ ସାମିଲ ହୋଇଥିଲେ ।

ରିଙ୍କୁ ଓ ପ୍ରିୟାଙ୍କ ସ୍ପେଶାଲ ରିଙ୍ଗ

ରିଙ୍ଗ ସେରିମୋନି ପାଇଁ ରିଙ୍କୁ ଏବଂ ପ୍ରିୟା ଉଭୟ ଉଭୟଙ୍କ ପାଇଁ ସ୍ପେଶାଲ ରିଙ୍ଗ ମଗାଇଥିଲେ । ପ୍ରିୟା କୋଲକାତାରୁ ଡିଜାଇନର ରିଙ୍ଗ କିଣିଥିବା ବେଳେ ରିଙ୍କୁ ମୁମ୍ବାଇରୁ ଏକ ବିଶେଷ ରିଙ୍ଗ ମଗାଇଥିଲେ । ଉଭୟଙ୍କ ମୁଦିର ମୂଲ୍ୟ ୨.୫ ଲକ୍ଷ ଟଙ୍କା ବୋଲି କୁହାଯାଉଛି । ଏହି ନିର୍ବନ୍ଧ ଉତ୍ସବରେ ଖାଇବା ଉପରେ ବିଶେଷ ଧ୍ୟାନ ଦିଆଯାଇଥିଲା । ଏଥିରେ ୟୁରୋପିଆନରୁ ଆରମ୍ଭ କରି ଚାଇନିଜ ଡିସ୍ ଥିଲା । ପ୍ରିୟା ନିଜ ପସନ୍ଦର ବେଙ୍ଗଲୀ ରସଗୋଲା ଏବଂ କାଜୁ ପନିର ରୋଲ୍ ଡିସରେ ସାମିଲ କରିଥିଲେ । ସେହିପରି ରିଙ୍କୁଙ୍କ ପସନ୍ଦର ପନିର ଟିକ୍କା ଓ ମଟନ ମଲାଇ ବି ମେନୁରେ ଥିଲା ।

ନଭେମ୍ବର ୧୮ରେ ବାରାଣସୀରେ ବିବାହ

ସୂଚନାଯୋଗ୍ୟ, ରିଙ୍କୁ ଏବଂ ପ୍ରିୟାଙ୍କ ବିବାହ ୧୮ ନଭେମ୍ବରକୁ ବାରାଈସୀରେ ହେବ । ଏହି ବିବାହ ଉତ୍ସବ ବହୁତ ଭବ୍ୟ ହେବାକୁ ଯାଉଛି । ଯେଉଁଥିରେ କ୍ରିକେଟ ଜଗତର ହସ୍ତିଙ୍କ ସମେତ, ଫିଲ୍ମ ଓ ବହୁ ଉଦ୍ୟୋଗପତି ବି ସାମିଲ ହେବା ବୋଲି ଜଣାପଡ଼ିଛି ।