ସୁଧୁରିଲା ଋଷଭ ପନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା , ଆଇସିୟୁରୁ ବାହାରି ଆସିଲେ ୱାର୍ଡକୁ …

ଦିଲ୍ଲୀ: ଭାରତୀୟ କ୍ରିକେଟ ଟିମ୍ର ଷ୍ଟାର ଖେଳାଳୀ ଋଷଭ ପନ୍ତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସୁଧୁରିବାରେ ଲାଗିଛି । ଜାତୀୟ ଗଣମାଧ୍ୟମର ସୂଚନା ଅନୁଯାୟୀ ୱିକେଟ୍ କିପର ପନ୍ଥଙ୍କୁ ବର୍ତ୍ତମାନ ଆଇସିୟୁରୁ ବାହାର କରାଯାଇ ୱାର୍ଡକୁ ଅଣାଯାଇଛି । ତାଙ୍କୁ ଆଇସିୟୁରୁ ବାହାରକୁ ଅଣାଯିବା ପରେ ବର୍ତ୍ତମାନ ଡାକ୍ତରୀ ଟିମ୍ ଋଷଭଙ୍କର ସଂପୂର୍ଣ୍ଣ ଚିକିତ୍ସା ଚଲାଇଛନ୍ତି ।

ଡାକ୍ତରୀଟିମଙ୍କ ତରଫରୁ ପନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥାର ସୂଚନା ଗଣମାଧ୍ୟମକୁ ଦିଆଯାଉଛି । ଏଟାରେ ଋଷଭ ପନ୍ଥ ନିକଟରେ ଏକ ଭୟଙ୍କର କାର ଦୁର୍ଘଟଣାର ଶିକାର ହୋଇଥିଲେ । ଯେଉଁ ଦୁର୍ଘଟଣାରେ କି ବିଶେଷ କରି ଋଷଭଙ୍କ ମୁହଁ, ଗୋଡ, କାନ୍ଧ, ପିଠି ଏବଂ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିଲା । ଋଷଭଙ୍କର କାରଟି ପୁରାପୁରି ଜଳି ଯାଇଥିବାବେଳେ ତାଙ୍କ ଜୀବନ କିନ୍ତୁ ଅଳ୍ପକେ ବର୍ତ୍ତି ଯାାଇଥିଲା । ଏଭଳି ଦୁର୍ଘଟଣା ପରେ ତାଙ୍କ ଗୋଡର ପ୍ଲାଷ୍ଟିକ ସର୍ଜରୀ କରାଯିବା ନେଇ କୁହାଯାଉଥିଲା । ଏହା ସହିତ ତାଙ୍କ ମୁହଁର କ୍ଷତକୁୁ ଡାକ୍ତର ପ୍ଲାଷ୍ଟିକ ସର୍ଜରୀ କରିଥିବା ଜଣାପଡିଛି । ସୂଚନା ଅନୁସାରେ ପନ୍ଥ ବର୍ତ୍ତମାନ ଡେରାଡୁନର ମ୍ୟାକ୍ସ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଦୁର୍ଘଟଣା ପରେ ପ୍ରଥମେ ଋଷଭଙ୍କୁ ଗୁରୁତର ଅବସ୍ଥାରେ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଉଥିଲା । ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଡେରାଡୁନର ମ୍ୟକ୍ସକୁ ସ୍ଥାନାନ୍ତର କରାଗଲା ।

ଡାକ୍ତରୀ ଟିମଙ୍କ ସୂଚନା ଅନୁଯାୟୀ ଏବେ ଋଷଭ ପନ୍ଥଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସୁଥିବା ନଜିର ଆସିଛି । ଏମଆରଆଇ ରିପୋର୍ଟ ଅନୁସାରେ ତାଙ୍କ ମେରୁଦଣ୍ଡ,ମସ୍ତିଷ୍କର ଅବସ୍ଥା ଠିକ୍ ଥିବା ପରିଲକ୍ଷିତ ହୋଇଛି । ଦୁର୍ଘଟଣାରେ ପନ୍ଥଙ୍କ ଗୋଡର ଲିଗାମେଣ୍ଟର ଅବସ୍ଥା ସାଂଘାତିକ ରହିଥିବା ନେଇ କୁହାଯାଉଛି, ଏପରି ସ୍ଥଳେ ପନ୍ଥଙ୍କୁ ସଂପୂର୍ଣ୍ଣ ଠିକ ହେବା ପାଇଁ ୫ ରୁ ୬ ମାସ ସମୟ ଲାଗିବା ନେଇ କୁହାଯାଉଛି । ଏଭଳି ସ୍ଥଳେ ପୁରାପୁରି ସୁସ୍ଥ ନହେବା ପର୍ଯ୍ୟନ୍ତ ପନ୍ତଙ୍କୁ କ୍ରିକେଟ୍ଠାରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି ।ଋଷଭଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିବା ନେଇ ଖବର ମିଳିବା ପରେ ତାଙ୍କ ପ୍ରଶଂସକଙ୍କୁ ଆଶ୍ୱସ୍ତି ମିଳିଥିବା ନେଇ ଆଶା କରାଯାଉଛି । କାରଣ ପନ୍ତଙ୍କ ଦୁର୍ଘଟଣାର ଖବର ତାଙ୍କ ପରିବାର ବର୍ଗଙ୍କ ସହ ଫ୍ୟାନ୍ସଙ୍କୁ ମଧ୍ୟ ବ୍ୟଥିତ କରିଥିଲା ।