ଇଣ୍ଡିଆ-ଇଂଲଣ୍ଡ ଟେଷ୍ଟକୁ ନେଇ ବଡ଼ ଅପଡେଟ; ଆହତ ସତ୍ତ୍ବେ ବ୍ୟାଟିଂ କରିବେ ପନ୍ତ

ନନ୍ଦିଘୋଷ ବ୍ୟୁରୋ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଟେଷ୍ଟ ସିରିଜ ଚାଲିଛି । ଲଡର୍ସ ପରି ମଞ୍ଚେଷ୍ଟରରେ ବି ଆହତ ହୋଇଛନ୍ତି ଭାରତର ଓ୍ବିକେଟ କିପର ବ୍ୟାଟର ରିଷଭ ପନ୍ତ । ଆହତ ସତ୍ତ୍ବେ ସେ ଲଡର୍ସରେ ବ୍ୟାଟିଂ କରିଥିଲେ ବି ମଞ୍ଚେଷ୍ଟରରେ ବ୍ୟାଟିଂ କରିବାକୁ ନେଉ ପ୍ରଶ୍ନ ଉଠିବାରେ ଲାଗିଥିଲା । କାରଣ ଏଥର ତାଙ୍କ ଆହତ ସମସ୍ୟା ଗମ୍ଭୀର ରହିଛି । ହେଲେ ଆଜି ମ୍ୟାଚର ଦ୍ବିତୀୟ ଦିନର ଖେଳ ଆରମ୍ଭ ହେବା ସହ ପନ୍ତଙ୍କୁ ପୂରା ପ୍ରସ୍ତୁତ ହୋଇ ଷ୍ଟାଡିୟମକୁ ଆସିବା ଦେଖିବାକୁ ମିଳିଛି । ଏହାକୁ ନେଇ ବିସିସିଆଇ ଏକ ବଡ଼ ଅପଡେଟ୍ ସେୟାର କରି କହିଛି, ଟିମର ଆବଶ୍ୟକତା ଅନୁସାରେ ପନ୍ତ ବ୍ୟାଟିଂ ପାଇଁ ଉପଲବ୍ଧ ହେବେ ।

ଗତକାଲି ଆରମ୍ଭ ହୋଇଥିବା ମଞ୍ଚେଷ୍ଟର ଟେଷ୍ଟର ପ୍ରଥମ ଶେଷ ବେଳକୁ ଏକ ସର୍ଟ ଖେଳିବାକୁ ଚେଷ୍ଟା କରିବା ବେଳେ ପନ୍ତଙ୍କ ଡାହାଣ ଗୋଡରେ ବଲ ବାଜିଥିଲା । ଏଥିପାଇଁ ତାଙ୍କୁ ରିଟାୟାର୍ଡ ହଟ୍ ହୋଇ ଫିଲ୍ଡ ବାହାରକୁ ଯିବାକୁ ପଡ଼ିଥିଲା । ରିପୋର୍ଟ ଅନୁସାରେ, ପନ୍ତଙ୍କ ଗୋଡ଼ର ସ୍କାନ କରାଯିବା ପରେ ଫ୍ୟାକ୍ଚର ହୋଇଥିବା ଜଣାପଡ଼ିଛି । ତେବେ ଆଜି ପନ୍ତଙ୍କୁ ପୂରା ପ୍ରସ୍ତତି ସହ ଷ୍ଟାଡିୟମରେ ଦେଖିବାକୁ ମିଳିଛି । ତାଙ୍କ ଗୋଡରେ ଏକ କଭର ଲାଗିଥିବା ଦେଖିବାକୁ ମିଳିଛି । ଏହାସହ ବିସିସିଆଇ ପକ୍ଷରୁ କୁହାଯାଇଛି, ଆବଶ୍ୟକ ପଡ଼ିଲେ ପନ୍ତ ବ୍ୟାଟିଂ ପାଇଁ ଉପଲବ୍ଧ ରହିବେ ।