ପାଖେଇ ଆସୁଛି ପାର୍ବଣ, ଗାଁରୁ ସହର ଯାଏଁ ରାସ୍ତା ଶୋଚନୀୟ: ବିଧାନସଭା କମିଟି ବୈଠକରେ ଚିଡ଼ିଲେ ବିଧାୟକ

ନନ୍ଦିଘୋଷ ବ୍ୟୁରୋ: ପାଖେଇ ଆସିଲାଣି ପାର୍ବଣ । ହେଲେ ଏଯାଏଁ ଆରମ୍ଭ ହୋଇନି କାମ । ଗାଁରୁ ସହର ଯାଏଁ ରାସ୍ତାଘାଟ ଅବସ୍ଥା ଶୋଚନୀୟ । ପୂଜା ପୂର୍ବରୁ କାମ ସରିବ କି ନାହିଁ ତାହା ବି ସନ୍ଦେହ । ରାସ୍ତା ନିର୍ମାଣ ଓ ମରାମତି ବିଳମ୍ବ ହେଉଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ବିଧାୟକ । ବିଧାନସଭା କମିଟି ବୈଠକରେ ବିଧାୟକମାନେ ଉଦବେଗ ପ୍ରକାଶ କରିବା ସହ ପୂର୍ତ୍ତ ଓ ନଗର ଉନ୍ନୟନ ବିଭାଗ ଅଧିକାରୀଙ୍କୁ ତାଗିଦ କରିଛନ୍ତି ।

ଦିନ କେଇଟା ପରେ ଶାରଦୀୟ ପୂଜା । ହେଲେ ରାସ୍ତାଘାଟ ଅବସ୍ଥା ନ କହିଲେ ଭଲ । ଶୋଚନୀୟ ହୋଇପଡ଼ିଛି ମୁଖ୍ୟ ରାସ୍ତାରୁ ଆରମ୍ଭ କରି ଗଳିକନ୍ଦି ରାସ୍ତା । ବାରମ୍ବାର ଦାବି ସତ୍ତ୍ବେ ହେଉନି କାମ । ଲୋକେ ହଇରାଣ ହେଉଛନ୍ତି, ଜନ ପ୍ରତିନିଧିଙ୍କୁ ପ୍ରଶ୍ନ କରୁଛନ୍ତି । ଅଡୁଆରେ ପଡୁଛନ୍ତି ବିଧାୟକ । ତେଣୁ ତୁରନ୍ତ କର କାମ । ବିଧାନସଭା କମିଟି ବୈଠକରେ ଏପରି ଦାବି କରିଛନ୍ତି ବିଧାୟକ । ପୂର୍ତ୍ତ ଓ ନଗର ଉନ୍ନୟନ ବିଭାଗର ଅଧିକାରୀଙ୍କୁ ନେଇ ବସିଥିଲା ବିଧାନସଭା କମିଟି ବୈଠକ । ବିଜେଡି ବିଧାୟକ ବ୍ୟୋମକେଶ ରାୟ କହିଛନ୍ତି, ଦେଢ଼ ବର୍ଷର ବିଜେପି ଶାସନରେ ବିକାଶ ସମ୍ପୂର୍ଣ୍ଣ ଠପ । ରାସ୍ତାଘାଟ ଅବସ୍ଥା ନ କହିଲେ ଭଲ । ସରକାରଙ୍କ ଅପାରଗତା ଯୋଗଁ ବଜେଟ ଅର୍ଥ ବି ଠିକ ସେ ଖର୍ଚ୍ଚ ହୋଇପାରୁନି । ବର୍ଷା ଯୋଗୁଁ ରାସ୍ତାଘାଟ ଧୋଇ ଗଲାଣି । ଯଦି ପୂଜା ପୂର୍ବରୁ ରାସ୍ତାଘାଟ କାମ କରା ନଯିବ ତେବେ ଅବସ୍ଥା ଅସମ୍ଭାଳ ହେବ । ତେଣୁ ତୁରନ୍ତ ରାସ୍ତା ମରାମତି କାମ କରିବାକୁ ଦାବି କରିଛନ୍ତି ବିଧାୟକ ।

ବିଧାୟକମାନେ ଉଦବେଗ ପ୍ରକାଶ କରିବା ପରେ ଜବାବ ରଖିଛନ୍ତି କମିଟି ଅଧ୍ୟକ୍ଷ ବାବୁ ସିଂ । ପୂଜା ପୂର୍ବରୁ ରାସ୍ତାଘାଟ କାମ ସାରିବାକୁ ବିଭାଗୀୟ ମନ୍ତ୍ରୀ ସମୀକ୍ଷା କରିଛନ୍ତି । ଯେଉଁଠି ରାସ୍ତାର ମରାମତି ଆବଶ୍ୟକ, ତାହା ଯୁଦ୍ଧକାଳୀନ ଭିତ୍ତିରେ କରାଯିବ । ଅକ୍ଟୋବର ୨ ପୂର୍ବରୁ ମରାମତି କାମ ସାରିବାକୁ ସଂପୃକ୍ତ ବିଭାଗ ଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି । ବିଧାନସଭା କମିଟି ବୈଠକରେ ଏନେଇ ସଂପୃକ୍ତ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରାଯିବା ସହ ତୁରନ୍ତ କାମ ସାରିବାକୁ କୁହାଯାଇଛି ।

ଜାତୀୟ ରାଜପଥରୁ ଆରମ୍ଭ କରି ଗାଁ ଯାଏଁ ସବୁଠି ଶୋଚନୀୟ ହୋଇ ପଡ଼ିଲାଣି ରାସ୍ତାଘାଟ ଅବସ୍ଥା । ପୂଜା ପାଇଁ ଏବେ ଠାରୁ ଜାମ ହେଲାଣି ରାସ୍ତାଘାଟ । ତେଣୁ ତୁରନ୍ତ ଏହାକୁ ମରାମତି କରିବାକୁ ସରକାରଙ୍କୁ ପ୍ରସ୍ତାବ ଦେଇଛି କମିଟି ।