ଗାଁକୁ ନାହିଁ ପକ୍କା ରାସ୍ତା: କାଦୁଅ ପଚପଚ ରାସ୍ତା ସାଜିଛି ଯୋଗାଯୋଗର ମାଧ୍ୟମ

ଟିକେ ନଜର ପକାନ୍ତୁ ଏହି ଦୃଶ୍ୟ ଉପରେ । କିପରି କାଦୁଅରେ ପରିପୂର୍ଣ୍ଣ ହୋଇଛି ରାସ୍ତା । ଚାଲିଯିବା ବି ମୁସ୍କିଲ ହୋଇପଡୁଛି । ଏଥିରେ ଆମ୍ବଲାନ୍ସ ବା ଯିବ କେମିତି ? ବାଧ୍ୟ ହୋଇ ଖଟିଆରେ ରୋଗୀଙ୍କୁ ଆମ୍ବୁଲାନ୍ସ ନିକଟକୁ ବୋହି ଆଣୁଛନ୍ତି ରୋଗୀଙ୍କ ସଂପର୍କୀୟ । ଏଭଳି କିଛି ଚିତ୍ର ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଳକ ମିଞ୍ଜାପଡା ଗାଁରୁ । ମିଞ୍ଜାପଡା ଗାଁଟି ମୁଖ୍ୟ ରାସ୍ତା ଠାରୁ ଦୁଇ କିଲୋମିଟର ଦୂରର ଥିଲେ ମଧ୍ୟ ଦୀପତଳ ଅନ୍ଧାର ଭଳି ଏଠାରେ ରହୁଥିବା ୨ ଶହରୁ ଉର୍ଦ୍ଧ୍ଵ ଲୋକଙ୍କ ଭାଗ୍ୟ ଏବେବି ଅନ୍ଧାରରେ ରହିଛି । ଗାଁକୁ ଯିବାକୁ ହେଲେ ପକ୍କା ରାସ୍ତା ଟିଏ ନଥିବାରୁ ଖରାଦିନ ଲୋକେ ଯେଣତେଣ ପ୍ରକାରେ ଯିବା ଆସିବା ତ କରିଦିଅନ୍ତି ହେଲେ ବର୍ଷା ଦିନେ ସମସ୍ଯା ଦ୍ଵିଗୁଣିତ ହୋଇ ଯାଉଛି ।
ସେପଟେ ଏହି ରାସ୍ତାଦେଇ ଦୈନିକ ଅନେକ ଲୋକ ସାଙ୍ଗକୁ ଛାତ୍ରଛାତ୍ରୀ ଯାଆସ କରୁଛନ୍ତି । ରାସ୍ତା ଦୂରାବସ୍ଥା ଯୋଗୁଁ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ ବି ପ୍ରଶାସନ ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି । ଯାହା ଫଳରେ ମିଞ୍ଜାପଡା ବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଲାଣି ।