ଡକାୟତି ଯୋଜନା ଚାଲିଥିବା ବେଳେ ପହଞ୍ଚି ଗଲା ପୋଲିସ, ତା’ପରେ…

ଭୁବନେଶ୍ବର: କମିଶନରେଟ ପୋଲିସକୁ ବଡ଼ ସଫଳତା । ଡକାୟତି ଯୋଜନା ଚାଲିଥିବା ବେଳେ ପୋଲିସର ଏଣ୍ଟ୍ରି । ଗୋଡ଼ାଇ ଗୋଡ଼ାଇ ୫ ଡକାୟତଙ୍କୁ ଧରିବା ସହ ବୋମା ଜବତ କରିଛି ଜଟଣୀ ପୋଲିସ ।

ପୋଲିସ ସୂତ୍ରରୁ ଜଣାପଡିଛି, ଡକାୟତମାନେ ବୋମା ପକାଇ ଲୁଟ କରିବାକୁ ଯୋଜନା କରୁଥିଲେ । କୌଣସି ସୂତ୍ରରୁ ଖବର ପାଇଁ ଗ୍ୟାଙ୍ଗର ଆଡ୍ଡାରେ ପହଞ୍ଚି ଯାଇଥିଲା ଜଟଣୀ ପୋଲିସ । ପୋଲିସକୁ ଦେଖି ଡକାୟତମାନେ ଖସି ଯିବାକୁ ଉଦ୍ୟମ କରିଥିଲେ । ପୋଲିସ ସେମାନଙ୍କୁ ଗୋଡ଼ାଇ ଗୋଡ଼ାଇ ଧରିଥିଲା । ସେମାନଙ୍କ ନିକଟରୁ ପୋଲିସ ୫ଟି ଅଫୁଟା ବୋମା, ସ୍କର୍ପିଓ, ୩ଟି ବାଇକ ସହି ଖଣ୍ଡା, ଭୁଜାଲି, ଲୁହା ରଡ଼ ଜବତ କରାଯାଇଛି ।

ଦାମୀ କାର, ବଡ ଜୁଏଲାରୀ ସପ ଓ ବଡ ବ୍ୟବସାୟୀ ଏମାନଙ୍କ ଟାର୍ଗେଟରେ ଥିଲେ । ବେଣାପଞ୍ଜରୀ ପାଣିଟାଙ୍କି ନିକଟ ଏକ ଅନ୍ଧାରିଆ ସ୍ଥାନରେ ଏମାନେ ପ୍ରସ୍ତୁତ କରୁଥିଲେ ବ୍ଲ୍ୟୁ ପ୍ରିଣ୍ଟ । ଖବର ପାଇ ଜଟଣୀ ପୋଲିସ ସାଧା ପୋଷାକ ଓ ବିନା ପୋଲିସ ଗାଡିରେ ପହଞ୍ଚି ଏମାନଙ୍କୁ ଧରିଛି । ପୂର୍ବରୁ ଏମାନଙ୍କ ନାଁରେ କମିଶନରେଟ ପୋଲିସ ସହିତ ରାଜ୍ୟର ବିଭିନ୍ନ ଥାନାରେ ବୋମାମାଡ, ଲୁଟ ଓ ଡକାୟତି ଭଳି ସଙ୍ଗୀନ ମାମଲା ରହିଛି ।