ମଣିଷ ପରି କଥା କହିବ ରୋବୋଟ । ମଣିଷର ଭାଷା ବୁଝିବା ସହ ଦେବ ପ୍ରଶ୍ନର ଉତ୍ତର । ଦୈନନ୍ଦିନ ଜୀବନରେ ମଣିଷର ପାଲଟିବ ପରମ ବନ୍ଧୁ । ଏମିତି ଏକ ଅଦ୍ଭୂତ ଉଦ୍ଭାବନ କରିଛନ୍ତି ରାଉରକେଲା ଏନଆଇଟିର ଗବେଷଣାରତ ଛାତ୍ରଛାତ୍ରୀ । ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଓ ଲାର୍ଜ ଲାଙ୍ଗୁଏଜ୍ ମଡେଲ୍ ବ୍ୟବହାର କରି ଦୁଇଜଣ ପ୍ରଫେସର ଓ ୬ ଜଣ ଛାତ୍ରଛାତ୍ରୀ ନିର୍ମାଣ ମିଶି ଏପରି ନିର୍ମାଣ କରିଛନ୍ତି ରୋବୋଟ୍ । ଏହି ରୋବଟ ମଣିଷର ଭାଷା ବୁଝି ନିର୍ଦ୍ଦେଶାବଳୀ ଅନୁସରଣ କରିବା ସହ ପ୍ରଶ୍ନର ଉତ୍ତର ଦେଇ ବାସ୍ତବ ସମୟରେ ଯୋଗାଯୋଗ କରି ପାରିବ । ଘର, ଶ୍ରେଣୀଗୃହ, କାର୍ଯ୍ୟାଳୟ, ହସ୍ପିଟାଲ ଓ ସାମୁଦାୟିକ ସ୍ଥାନରେ ଏହାକୁ ବ୍ଯବହାର କରିହେବ । ଏହି ବିକଶିତ ନବସୃଜନ ଓ ସିଷ୍ଟମ ପାଇଁ ଏନ୍ଆଇଟି ରାଉରକେଲା ଏକ ପେଟେଣ୍ଟ ହାସଲ କରିଛି ।
ବ୍ୟବହାରକାରୀଙ୍କ ମୁହଁର ଅଭିବ୍ୟକ୍ତିକୁ ବୁଝି ମଣିଷର ସୁଖ ଦୁଃଖର ସାଥୀ ହୋଇ ପାରିବ ଏହି ରୋବୋଟ । ଯାତାୟତ କରିବା ପାଇଁ ଏଥିରେ ଚକ ଆଧାରିତ ପ୍ଲାଟଫର୍ମ ଓ ନାଭିଗେସନ୍ ସିଷ୍ଟମ୍ ଖଞ୍ଜାଯାଇଛି । ବିଲ୍ଟ-ଇନ୍ ଡିଷ୍ଟାନ୍ସ-ସେନ୍ସିଂ ମଡ୍ୟୁଲ୍ ଯୋଗୁଁ ଭିଡ଼ ସ୍ଥାନରେ ସୁରକ୍ଷିତ ଭାବରେ ଯାତାୟତ କରିପାରିବ । ଙ୍କେତିକ ଭାଷା ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ସହ ଭାବବିନିମୟ କରିପାରିବ । ହସ୍ପିଟାଲ, କର୍ମକ୍ଷେତ୍ର ତଥା କମ୍ୟୁନିଟି ସେଣ୍ଟରଗୁଡ଼ିକରେ ଏହା ଉପଯୋଗୀ ହେବ । ବିଶ୍ୱ ସ୍ତରରେ ଉପଲବ୍ଧ ଅନ୍ୟ ରୋବୋଟ ତୁଳନରେ ଏହାର ଢାଞ୍ଚା ଭାରତୀୟ ପରିବେଶ ପାଇଁ ଉପଯୋଗୀ ବୋଲି କହିଛନ୍ତି ଏନଆଇଟି ଛାତ୍ରଛାତ୍ରୀ । ଏହି ରୋବୋଟ୍ର ଆନୁମାନିକ ମୂଲ୍ୟ ୫୦ ହଜାର ଟଙ୍କା ମଧ୍ୟରେ ରହିବ ବୋଲି ଟିମ ସୂଚନା ଦେଇଛି ।

