ଡବ୍ଲୁଟିସି ଫାଇନାଲରେ ପରାଜୟ ପରେ ତିନି ପରିବର୍ତ୍ତନ ପାଇଁ ପରାମର୍ଶ ଦେଲେ ଅଧିନାୟକ ରୋହିତ

ନୂଆଦିଲ୍ଲୀ: ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ (ଡବ୍ଲୁଟିସି) ଫାଇନାଲରେ ପୁଣି ଗୋଟେଥର ଭାରତକୁ ବିଫଳତାର ସାମ୍ନା କରିବାକୁ ପଡ଼ିଛି । ରବିବାର ଅଷ୍ଟ୍ରେଲିଆ ଭାରତକୁ ୨୦୯ ରନରେ ପରାଜିତ କରିଛି । ଲଣ୍ଡନର ଦ ଓଭାଲ ମୈଦାନରେ ଏହି ମହାମୁକାବିଲା ହୋଇଥିଲା । ପ୍ରକାଶଥାଉକି, ଭାରତକୁ ଡବ୍ଲୁଟିସି ଫାଇନାଲରେ ଲଗାତାର ଦ୍ୱିତୀୟଥର ପରାଜୟର ସାମ୍ନା କରିବାକୁ ପଡ଼ିଛି । ଟିମ୍ ଇଣ୍ଡିଆକୁ ପ୍ରଥମ ସଂସ୍କରଣର ଫାଇନାଲରେ ନ୍ୟୁଜିଲାଣ୍ଡ ୮ ୱିକେଟରେ ପରାଜିତ କରିଥିଲା । ସେ ସମୟରେ ଦଳର ଅଧିନାୟକ ଥିଲେ ବିରାଟ କୋହଲି ।

୨୦୨୧ରେ ଫାଇନାଲ ମ୍ୟାଚ୍ ଇଂଲଣ୍ଡର ସାଉଥମ୍ପଟନରେ ଆୟୋଜିତ ହୋଇଥିଲା । ସେହିପରି ଅଷ୍ଟ୍ରେଲିଆ ବିପକ୍ଷରେ ପରାଜୟ ମିଳିବା ପରେ ଅଧିନାୟକ ରୋହିତ ଶର୍ମା ଡବ୍ଲୁଟିସି ଫାଇନାଲରେ ତିନୋଟି ପରିବର୍ତ୍ତନ ପାଇଁ ପରାମର୍ଶ ଦେଇଛନ୍ତି । ଏବେ ଦେଖିବାକୁ ବାକି ରହିଲା ଯେ ଅନ୍ତର୍ଜାତୀୟ କ୍ରିକେଟ କାଉନ୍ସିଲ (ଆଇସିସି) ରୋହିତଙ୍କ ଦାବି ଉପରେ ମୋହର ମାରିବ କି ନାହିଁ । ରୋହିତ ପ୍ରେସ କନଫରେନ୍ସରେ କହିଛନ୍ତି ଯେ ଡବ୍ଲୁଟିସି ଫାଇନାଲର ଆୟୋଜନ କେବଳ ଜୁନ ମାସରେ ଏବଂ ଇଂଲଣ୍ଡରେ ନହେବା ଆବଶ୍ୟକ ।

ସେ କହିଛନ୍ତି ଯେ ଫାଇନାଲ ପାଇଁ ଗୋଟିଏ ମ୍ୟାଚ୍ ବଦଳରେ ତିନି ମ୍ୟାଚ୍ ବିଶିଷ୍ଟ ସିରିଜ ରଖାଯିବା ଆବଶ୍ୟକ । ରୋହିତ କହିଛନ୍ତି, କେବଳ ଜୁନ ମାସରେ ହିଁ ଡବ୍ଲୁଟିସି ଫାଇନାଲ୍ ଖେଳାନଯାଉ । ଏହି ଫାଇନାଲ୍ ବିଶ୍ୱର କୌଣସି ବି ସ୍ଥାନରେ ଖେଳାଯାଇପାରିବ । କେବଳ ଇଂଲଣ୍ଡରେ ହିଁ ଖେଳାଯିବ ଏହା ଜରୁରୀ ନୁହେଁ । ଆମେ କଠୋର ପରିଶ୍ରମ କରିଥିଲୁ, କଡ଼ା ଟକ୍କର ମଧ୍ୟ ଦେଇଛୁ ଏବଂ ଏଠାରେ ପହଞ୍ଚିବା ପାଇଁ ଆମେ କେବଳ ଗୋଟିଏ ମ୍ୟାଚ୍ ଖେଳିଛୁ । ମୋତେ ଲାଗୁଛି ଯେ ଆଗାମୀ ଡବ୍ଲୁଟିସି ସେଶନରେ ୩ ମ୍ୟାଚ୍ ବିଶିଷ୍ଟ ସିରିଜ ବେଷ୍ଟ ଏବଂ ଆଇଡିଆଲ ହେବ ।

ଅଧିନାୟକ ରୋହିତ ଏହା ବ୍ୟତୀତ ଟ୍ରଫି ନଜିତିବାକୁ ନେଇ ମଧ୍ୟ ନିରାଶ ପ୍ରକାଶ କରିଛନ୍ତି । ପ୍ରକାଶଥାଉକି, ଭାରତ ୧୦ ବର୍ଷ ହେବ କୌଣସି ଆଇସିସି ଟ୍ରଫି ଜିତିନାହିଁ । ରୋହିତ କହିଛନ୍ତି ଏହା ନୈରାଶ୍ୟଜନକ ଏବଂ ହୃଦୟ ଭାଙ୍ଗିବା ଭଳି ଯେ ଆମେ ଟ୍ରଫି ଜିତିପାରିଲୁ ନାହିଁ । ମୁଁ ବହୁତ ନିରାଶ ହୋଇଛି । ଖେଳାଳି ମଧ୍ୟ ବହୁତ ନିରାଶ ହୋଇଛନ୍ତି । ଆଗାମୀ ଡବ୍ଲୁଟିସି ଫାଇନାଲ ପାଇଁ ବେଷ୍ଟ ଖେଳାଳି ଚୟନ କରାଯିବା ଆବଶ୍ୟକ । ଏହା ନିର୍ଦ୍ଧାରିତ କରିବାର ଆବଶ୍ୟକ ଯେ ଆଗାମୀ ଡବ୍ଲୁଟିସି ଫାଇନାଲ ପାଇଁ କିଏ କିଏ ସର୍ବଶ୍ରେଷ୍ଠ ଖେଳାଳି ଅଛନ୍ତି । ଏହା ମହତ୍ତ୍ୱପୂର୍ଣ୍ଣ ଅଟେ ଏବଂ ଆମେ ଏହି ଦିଗରେ ନିଷ୍ପତ୍ତି ନେବୁ ।