ନନ୍ଦିଘୋଷ ବ୍ୟୁରୋ : ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗ ସହିତ ଜଡିତ ଗୁଣ୍ଡାମାନେ ଚଳଚ୍ଚିତ୍ର ନିର୍ମାତା ରୋହିତ ଶେଟ୍ଟୀଙ୍କ ଘର ବାହାରେ ଗୁଳି ଚଳାଇଥିଲେ। ଆକ୍ରମଣକାରୀମାନେ ପ୍ରାୟ ପାଞ୍ଚ ରାଉଣ୍ଡ ଗୁଳି ଚଳାଇ ପଳାଇଥିଲେ। ଏହି ମାମଲାରେ ପାଞ୍ଚ ଜଣ ପୁଣେ ପୋଲିସ ହେପାଜତରେ ଅଛନ୍ତି। ରୋହିତ ଶେଟ୍ଟୀଙ୍କ ଘରର ସୁରକ୍ଷା ମଧ୍ୟ ବୃଦ୍ଧି କରାଯାଇଛି। ଏହି ମାମଲାରେ ଏକ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି। ମୁମ୍ବାଇ କ୍ରାଇମ୍ ବ୍ରାଞ୍ଚର ତଦନ୍ତରୁ ଜଣାପଡ଼ିଛି ଯେ ବର୍ତ୍ତମାନ ଅହମ୍ମଦାବାଦ ଜେଲରେ ଥିବା ଲରେନ୍ସ ବିଷ୍ନୋଇଙ୍କ ଗ୍ୟାଙ୍ଗ ଗୁଳିକାଣ୍ଡର ୧୦ ଦିନ ପୂର୍ବରୁ ରୋହିତ ଶେଟ୍ଟୀଙ୍କ ଘରର ରେକି କରିଥିଲେ ।
ଗୁଳିକାଣ୍ଡ ଘଟଣାରେ ଅଟକ ଥିବା ପାଞ୍ଚ ଜଣ ବ୍ୟକ୍ତି ହେଲେ ଅମନ ଆନନ୍ଦ ମାରୋଟେ, ଆଦିତ୍ୟ ଜ୍ଞାନେଶ୍ୱର ଗାୟକି, ସିଦ୍ଧାର୍ଥ ଦୀପକ ୟେନପୁରେ, ସମର୍ଥ ଶିବଶରଣ ପୋମାଜି ଏବଂ ସ୍ୱପ୍ନିଳ ବନ୍ଦୁ ସକାତ। ରୋହିତ ଶେଟ୍ଟୀଙ୍କ ଘର ବାହାରେ ଥିବା ସିସିଟିଭି ଫୁଟେଜରୁ ଜଣାପଡ଼ିଛି ଯେ ଆକ୍ରମଣକାରୀ ଏକ ଗଛ ପଛରେ ଲୁଚି ରହି ରୋହିତ ଶେଟ୍ଟୀଙ୍କ ଘରର ତୃତୀୟ ମହଲାକୁ ଗୁଳି ଚଳାଇଥିଲା, ଯାହା ଫଳରେ ଝରକା ଭାଙ୍ଗି ଯାଇଥିଲା। ଏହା ମଧ୍ୟ ଜଣାପଡ଼ିଥିଲା ଯେ ଗୁଳିକାଣ୍ଡରେ ବ୍ୟବହୃତ ସ୍କୁଟରଟି ପୁଣେରୁ ୩୦ହଜାର ଟଙ୍କାରେ କିଣାଯାଇଥିଲା ।
ଏହି ସ୍କୁଟରଟି ଆନନ୍ଦ ମାରୋଟେଙ୍କ ନାମରେ ପଞ୍ଜୀକୃତ ହୋଇଥିଲା । ଯାହାକୁ ପୋଲିସ ହେପାଜତରେ ନେଇଥିଲା। ମାରୋଟେ ଏହାକୁ ଦେଢ଼ ମାସ ପୂର୍ବରୁ ଆଦିତ୍ୟ ଗାୟକି ନାମକ ଜଣେ ବ୍ୟକ୍ତିଙ୍କୁ ବିକ୍ରି କରିଥିଲେ। ରିପୋର୍ଟ ଅନୁସାରେ ଗୁଳି ଚଳାଇଥବା ବ୍ୟକ୍ତି ରୋହିତ ଶେଟ୍ଟୀଙ୍କ ବାସଭବନର ଅନେକ ଦିନ ଧରି ରେକି କରିଥିଲେ। ଶୁଭମ ଲୋଙ୍କର୍ ଅନ୍ୟ ଜଣେ ଅଭିଯୁକ୍ତ ଗାୟକୱାଡଙ୍କ ସହାୟତାରେ ସ୍କୁଟରଟି କିଣିଥିଲେ। ଏପର୍ଯ୍ୟନ୍ତ ତଦନ୍ତରୁ ଜଣାପଡିଛି ଯେ ଆକ୍ରମଣ ଉତ୍ତେଜନା ସୃଷ୍ଟି କରିବା ଏବଂ ଟଙ୍କା ଆଦାୟ କରିବା ଉଦ୍ଦେଶ୍ୟରେ କରାଯାଇଥିଲା।

