ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହେଲେ ସହକାରୀ ଜିଲ୍ଲାପାଳ

ରାଉରକେଲା: ରାଉରକେଲା ଏଡିଏମ ଅଫିସରେ କାର୍ଯ୍ୟ କରୁଥିବା ଆସିଷ୍ଟାଣ୍ଟ କଲେକ୍ଟର ମନୋରଞ୍ଜନ ନାୟକ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇଛନ୍ତି । ଭିଜିଲାନ୍ସ ବିଭାଗ ପକ୍ଷରୁ ଯାଞ୍ଚ ସମୟରେ ଦୁଇ କୋଟିରୁ ଅଧିକ ମୂଲ୍ୟର ସମ୍ପତ୍ତି ଠାବ କରାଯିବା ପରେ ଗିରଫ କରାଯାଇଛି । ରାଉରକେଲା ସହରର ଛେଣ୍ଡ କଳିଙ୍ଗ ବିହାର ଅଞ୍ଚଳରେ ୭୫ ଲକ୍ଷ ଟଙ୍କା ମୁଲ୍ୟର ଗୋଟିଏ ତିନି ମହଲା କୋଠା ଘର ,  ଛେଣ୍ଡ କଳିଙ୍ଗ ବିହାର ଅଞ୍ଚଳରେ  ୩୫ ଲକ୍ଷ ଟଙ୍କା ମୂଲ୍ୟର ଗୋଟିଏ କୋଠାଘର ଓ ଭୁବନେଶ୍ୱରରେ ୫୦ ଲଷ ଟଙ୍କାର ଗୋଟିଏ ଫ୍ଲାଟ ଠାଵ କରାଯାଇଛି । ବ୍ୟାଙ୍କ ଜମା, ଇନସ୍ୟୁରାନ୍ସ, ସୁନା ଅଳଙ୍କାର ଓ ଆସବାବପତ୍ର ୪୦ ଲକ୍ଷ ଟଙ୍କା ଠାବ କରାଯାଇଛି ।

ଏହାସହ ନଗଦ ୨୭ ହଜାର ଟଙ୍କା, ଦୁଇଟି କାର ଓ ଗୋଟିଏ ଦୁଇ ଚକିଆ ଗାଡ଼ି ଠାବ କରାଯାଇଛି । ସମ୍ପର୍କୀୟଙ୍କ ନାମରେ ବେନାମୀ ସମ୍ପତ୍ତି ଠୁଳ କରିଥିବା ଭିଜିଲାନ୍ସର ପ୍ରାଥମିକ ତଦନ୍ତରୁ ଜଣାପଡିବା ପରେ ଅଧିକ ତଦନ୍ତ ଜାରି ରହିଛି । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ଗତକାଲି ଆସିଷ୍ଟାଣ୍ଟ କଲେକ୍ଟରଙ୍କ ଘର ସମେତ ୫ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଥିଲା । ଛେଣ୍ଡ କଳିଙ୍ଗ ବିହାର ଅଞ୍ଚଳରେ ଦୁଇଟି ସ୍ଥାନ ଭୁବନେଶ୍ୱର ଗୋଠପାଟଣା, ଯାଜପୁର କଳିଙ୍ଗ ନଗର ଓ ଏଡିଏମ ଅଫିସର ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢାଉ କରାଯାଇଥିଲା । ୫ଟି ସ୍ଥାନରେ ୫ଜଣ  ଡିଏସପି, ପାଞ୍ଚ ଜଣ ଇନ୍ସପେକ୍ଟର ଓ ଜଣେ ଅତିରିକ୍ତ ଏସପିଙ୍କ ସହ ଭିଜିଲାନ୍ସ ବିଭାଗର ୨୫ ଜଣିଆ ସଦସ୍ୟ ଚଢାଉ କରିଥିଲେ ।

Leave a Reply