ରାଉରକେଲା: ନିୟନ୍ତ୍ରଣରେ ରହିଛି ଝାଡାବାନ୍ତି ସ୍ଥିତି, ପ୍ରକୃତ କାରଣ ଜାଣିବା ପାଇଁ ଚାଲିଛି ଅନୁଧ୍ୟାନ

1 min read

ରାଉରକେଲା: ନିୟନ୍ତ୍ରଣରେ ରାଉରକେଲା ଝାଡାବାନ୍ତି। କମୁଛି ଆକ୍ରାନ୍ତଙ୍କ ସଂଖ୍ୟା, ସୁସ୍ଥ ହେଉଛନ୍ତି ରୋଗୀ । ସଠିକ କାରଣ ଜଣା ପଡ଼ି ନଥିବାବେଳେ ଅନୁଧ୍ୟାନ କରୁଛନ୍ତି SCB ଓ RMRCର ସାଇଣ୍ଟିଷ୍ଟ ଟିମ୍। ଵିଭିନ୍ନ ସ୍ଥାନରୁ ୫ ଶହରୁ ଅଧିକ ଜଳ ନମୁନା ପରୀକ୍ଷା କରାଯାଇଛି। ମାଇକ୍ରୋ ଵାଇଲୋଜୀ ସାମ୍ପୁଲ ସହିତ ସମସ୍ତ ପ୍ରକାର ସାମ୍ପୁଲ ସଂଗ୍ରହ କରାଯାଇଛି। କିଛି ଆକ୍ରାନ୍ତଙ୍କ କଲେରା ରିପୋର୍ଟ ଆସିଥିବାରୁ ଏହାର ଅନୁସନ୍ଧାନ ଜାରି ରହିଛି । ଲୋକଙ୍କୁ ସଚେତନ କରୁଛନ୍ତି ଆରୋଗ୍ୟ ସମିତି, ଆଶାକର୍ମୀ, ହେଲଥ ଓ୍ବାର୍କର, ଅଙ୍ଗନବାଡ଼ି କର୍ମୀ ଓ  ଜଳସାଥୀ।

ଓ୍ବାଟକୋ ପକ୍ଷରୁ ରାଉରକେଲା ପ୍ରତ୍ୟେକ ପରିବାରକୁ ବିଶୁଦ୍ଧ ପାଣି ଯୋଗାଇ ଦିଆଯାଉଛି। ଜଳର ଉତ୍ସ, ଓ୍ବାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ, ମୁଖ୍ୟ ଜଳଭଣ୍ଡାର, ବିତରଣ ନେଟଓ୍ବର୍କ ସ୍ତରରେ ହାଇପର କ୍ଲୋରିନେସନ୍ କରାଯାଇଛି। ସହରର ପ୍ରାୟ ୧୮ଶହ ହ୍ୟାଣ୍ଡ ପମ୍ପ ଏବଂ ଷ୍ଟାଣ୍ଡ ପୋଷ୍ଟ ଗୁଡିକରେ କ୍ଲୋରିନେସନ୍ କାମ ସରିଛି। ସହରରେ ନିଯୁକ୍ତ ୨୭ ଜଣ ଜଳସାଥୀ ଗ୍ରାହକଙ୍କ ଘରକୁ ଯାଇ ପ୍ରତିଦିନ ପ୍ରାୟ ୩ଶହ ଜଳ ନମୁନା ପରୀକ୍ଷା କରୁଛନ୍ତି। ବିଭିନ୍ନ ସ୍ଥାନରେ ଦୀର୍ଘଦିନ ଧରି ଟାଙ୍କି ସଫା ହୋଇନଥିବା ଅଭିଯୋଗ ପରେ ଚାଲିଛି ସଫେଇ କାମ।

୫୦ ରୁ ଅଧିକ ତାଲିମପ୍ରାପ୍ତ ଶ୍ରମିକ ଏବଂ ଓ୍ବାଟକୋ ଅଧିକାରୀ ସମ୍ଭାବ୍ୟ ଲିକେଜ୍ ପଏଣ୍ଟରେ ପାଇପ ଲାଇନ ରକ୍ଷଣାବେକ୍ଷଣ କାମରେ ନିୟୋଜିତ ଅଛନ୍ତି। ବିଭିନ୍ନ ସ୍ଥାନରେ ୬୦ରୁ ଅଧିକ ସ୍ଥାନରେ ପାଇପ ଲିକେଜର ମରାମତି କରାଯାଇଛି। ସଂକ୍ରମଣକୁ ପ୍ରତିହତ କରିବାକୁ ସରକାରୀ ଡାକ୍ତରଖାନାରେ କମିଶନର, ସିଡିଏମଓ, ଡାକ୍ତରଖାନାର ଵରିଷ୍ଠ ଅଧିକାରୀ, SCB ଟିମ ଓ RMRCର ସାଇଣ୍ଟିଷ୍ଟଙ୍କୁ ନେଇ ବୈଠକ କରାଯାଇଛି।