ରାଉରକେଲାରେ ନିୟନ୍ତ୍ରଣକୁ ଆସୁଛି ଡାଇରିଆ ସ୍ଥିତି: ଆରଏମସି କମିଶନର

1 min read

ରାଉରକେଲା: ରାଉରକେଲାରେ ନିୟନ୍ତ୍ରଣରେ ଡାଇରିଆ ସ୍ଥିତି। ଝାଡାବାନ୍ତି ନିୟନ୍ତ୍ରଣାଧୀନ ଥିବାବେଳେ ରାଉରକେଲା ସରକାରୀ ଡାକ୍ତରଖାନା ସହିତ ଵିଭିନ୍ନ ଘରୋଇ ଡାକ୍ତରଖାନାରେ ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବା କହିଛନ୍ତି ଆରଏମସି କମିଶନର ଶୁଭଙ୍କର ମହାପାତ୍ର । ଝାଡାବାନ୍ତିର କାରଣ ଅନୁଧ୍ୟାନ ପାଇଁ SCB ଟିମ ଓ RMRCର ଦୁଇଜଣିଆ ବୈଜ୍ଞାନିକ ଟିମ ରାଉରକେଲାରେ ପହଞ୍ଚି ଅନୁସନ୍ଧାନ ଆରମ୍ଭ କରିଛନ୍ତି । ଏହାସହ ରାଉରକେଲା ମହାନଗର ନିଗମ ପକ୍ଷରୁ ଟୋଲ-ଫ୍ରି ନମ୍ଵର ଜାରି କରାଯାଇଛି।

ରାଉରକେଲା ମହାନଗର ନିଗମ ସମ୍ମିଳନୀ କକ୍ଷରେ ଜଳସାଥୀଙ୍କ ଵୈଠକ ମଧ୍ୟ ଆଜି ଅନୁଷ୍ଠିତ ହୋଇଯାଇଛି । ସହରର ଵିଭିନ୍ନ ସ୍ଥାନରୁ ଦୈନିକ ୪ଶହ ଜଳ ନମୁନା ସଂଗ୍ରହ କରାଯାଇ ପରୀକ୍ଷା କରାଯିବ। ରାଉରକେଲା ସହରର ୧୦ଟି ପ୍ରାଥମିକ ଚିକିତ୍ସାଳୟରେ ଆଜି ଠାରୁ ୨୪ ଘଣ୍ଟିଆ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବା ସହ ପ୍ରତି ଚିକିତ୍ସାଳୟକୁ ଗୋଟିଏ ଲେଖାଏଁ ଆମ୍ବୁଲାନ୍ସ ଯୋଗାଇ ଦିଆଯାଇଛି। ରାଉରକେଲା ସହରର ୬୦ରୁ ଅଧିକ ସ୍ଥାନରେ ପାଇପ ଲିକେଜ ମରାମତି କରାଯାଇଛି। ସହରର ସମସ୍ତ ପାଣିଟାଙ୍କି ସଫା କରାଯାଉଛି।

ଆସନ୍ତା ଦିନେ ଦୁଇଦିନ ମଧ୍ୟରେ ଡାଇରିଆ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ହୋଇଯିଵ ବୋଲି ମହାନଗର ନିଗମ କମିଶନର ସୂଚନା ଦେଇଛନ୍ତି। ଅନ୍ୟପଟେ ଉତ୍ତରାଞ୍ଚଳ ଆରଡିସି ସୁରେଶ ଚନ୍ଦ୍ର ଦଳେଇ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ରାଉରକେଲା ମହାନଗର ନିଗମ ସମ୍ମିଳନୀ କକ୍ଷରେ ଜଳସାଥୀଙ୍କ ବୈଠକରେ ମଧ୍ୟ ଆରଡିସି ଯୋଗ ଦେଇଥିଲେ।