ଆଜିଠୁ ନୂଆ ନିୟମ ଲାଗୁ, କମିଲା LPG ଦର, ଶସ୍ତା ହେବ ବିମାନ ଯାତ୍ରା

1 min read

ନନ୍ଦିଘୋଷ ବ୍ୟୁରୋ: ଜୁନ ମାସ ଆରମ୍ଭ ହେବା ମାତ୍ରେ ହୋଇଛି ବଡ଼ ପରିବର୍ତ୍ତନ । ଗୋଟିଏ ପଟେ ତୈଳ ବିପଣନ କମ୍ପାନୀ ଗୁଡ଼ିକ ଏଲପିଜି ସିଲିଣ୍ଡର ଦର ମୂଲ୍ୟ ହ୍ରାସ କରିଥିଲା ବେଳେ ବିମାନ ଯାତ୍ରୀଙ୍କ ପାଇଁ ବି ଆଶ୍ବସ୍ତିକର ଖବର ଆସି ପହଞ୍ଚିଛି ।

ଚଳିତ ମାସରେ ଦେଶରେ ବହୁତ ଗୁଡ଼ିଏ ଆର୍ଥିକ ପରିବର୍ତ୍ତନ ହୋଇଛି । କ୍ରେଡିଟ କାର୍ଡ ନିୟମରେ ମଧ୍ୟ ପରିବର୍ତ୍ତନ କରାଯାଇଛି । ମ୍ୟୁଚୁଆଲ ଫଣ୍ଡ ସମ୍ବନ୍ଧୀୟ ନିୟମ ମଧ୍ୟ ପରିବର୍ତ୍ତନ ହୋଇଛି ।

ଏହି ସବୁ ବିଷୟରେ ବିସ୍ତୃତରେ ଜାଣନ୍ତୁ…

ଆଜିଠୁ କମିଛି ଏଲପିଜି ଗ୍ୟାସ ସିଲିଣ୍ଡର ଦର । ସିଲିଣ୍ଡର ମୂଲ୍ୟ ୨୪ ଟଙ୍କା କମିଛି ।  ୧୪. ୨ କିଲୋଗ୍ରାମ ଘରୋଇ ଏଲପିଜି ସିଲିଣ୍ଡର ଦରରେ କୌଣସି ପରିବର୍ତ୍ତନ କରାଯାଇନାହିଁ । କେବଳ ବାଣିଜ୍ୟିକ ପ୍ରତିଷ୍ଠାନ ଯେପରିକି ରେଷ୍ଟୁରାଣ୍ଟ, ଢାବା, ହୋଟେଲ ମାଲିକଙ୍କ ପାଇଁ ଏହି ଖବର ଆଶ୍ବସ୍ତି ଦେଇଛି ।

ସେହିପରି ଆଜିଠାରୁ ବିମାନଯାତ୍ରା ଶସ୍ତା ହୋଇଛି । ଏଲପିଜି ମୂଲ୍ୟ ହ୍ରାସ ସହ ବିମାନ ଇନ୍ଧନ ଅର୍ଥାତ ଏୟାର ଟର୍ବାଇନ ଇନ୍ଧନର ମୂଲ୍ୟ ହ୍ରାସ ହୋଇଛି । ଇନ୍ଧନର ମୂଲ୍ୟ ହ୍ରାସ ଯୋଗୁ ବିମାନ କମ୍ପାନୀ ଗୁଡ଼ିକ ଭଡ଼ା କମ୍ କରିପାରିବେ ।

ଆଜିଠାରୁ ମ୍ୟୁଚୁଆଲ ଫଣ୍ଡ ସହ ଜଡିତ ନିୟମରେ ମଧ୍ୟ ପରିବର୍ତ୍ତନ ହୋଇଛି । ବଜାର ନିୟାମକ SEBI ମ୍ୟୁଚୁଆଲ ଫଣ୍ଡ ସ୍କିମ୍ ପାଇଁ ନୂଆ କଟ୍ ଅଫ୍ ସମୟ ଲାଗୁ କରିଛି । ଏହି ନିୟମ ଆଜିଠୁ କାର୍ଯ୍ୟକାରୀ ହେବାକୁ ଯାଉଛି ।

ସରକାର EPFOର ନୂଆ ସଂସ୍କରଣ ଆଣିବାକୁ ଯାଉଛନ୍ତି । ଏହାକୁ ଜୁନ୍ ମାସରେ ଆରମ୍ଭ କରାଯିବାର ଆଶା କରାଯାଉଛି । ଏବେ EPFO ଉପଭୋକ୍ତା ATM  ଏବଂ UPI ମାଧ୍ୟମରେ PF ଟଙ୍କା ଉଠାଇ ପାରିବେ । ଏପରି କରିବା ଦ୍ବାରା ଦେଶର ୯ କୋଟିରୁ ଅଧିକ ଲୋକ ଉପକୃତ ହେବେ ।

କ୍ରେଡିଟ କାର୍ଡ ବ୍ୟବହାରକାରୀଙ୍କ ପାଇଁ ମଧ୍ୟ ନିୟମରେ ପରିବର୍ତ୍ତନ କରାଯାଇଛି । ଯଦି ଆପଣ କୋଟାକ ମହିଦ୍ରା ବ୍ୟାଙ୍କ କ୍ରେଡିଟ କାର୍ଡ ବ୍ୟବହାର କରନ୍ତି ତେବେ ଆଜିଠାରୁ ନିୟମରେ ପରିବର୍ତ୍ତନ ହୋଇଛି । ବ୍ୟାଙ୍କ ଓ୍ବେବସାଇଟ୍ ଅନୁସାରେ ବ୍ୟାଙ୍କର କ୍ରେଡିଟ କାର୍ଡ ବ୍ୟବହାରକାରୀଙ୍କ ଅଟୋ ଡେବିଟ ଟ୍ରାଞ୍ଜାକ୍ସନ ଯଦି ବିଫଳ ହୁଏ ତେବେ ବ୍ୟାଙ୍କ ଦ୍ବାରା ୨ ପ୍ରତିଶତ ବାଉନ୍ସ ଚାର୍ଜ ଲାଗୁ କରାଯିବ । ଏହା ସର୍ବନିମ୍ନ ୪୫୦ ଟଙ୍କା ଏବଂ ସର୍ବାଧିକ ୫ ହଜାର ଟଙ୍କା ହୋଇପାରେ । ଏହା ସହ ଅଧିକାଂଶ ବ୍ୟାଙ୍କର କ୍ରେଡିଟ କାର୍ଡରେ ମାସିକ ଫାଇନାନ୍ସ ଚାର୍ଜ ପ୍ରଥମ ତାରିଖରୁ ବଢ଼ିପାରେ ।

ଏହା ସହ ଆଧାରକାର୍ଡ ମାଗଣାରେ ଅପଡେଟ କରିବାର ଶେଷ ତାରିଖ ଚଳିତ ମାସ ୧୪ ତାରିଖରେ ଶେଷ ହେବାକୁ ଯାଉଛି । ଏହା ପରେ ଅପଡେଟ କଲେ ୫୦ ଟଙ୍କା ଶୁଳ୍କ ଦେବାକୁ ପଡ଼ିବ । ଏହା ସହ ଚଳିତ ମାସରେ ଅନେକ ବ୍ୟାଙ୍କ ସ୍ଥାୟୀ ଜମା ଏବଂ ଋଣ ସୁଧ ହାର ପରିବର୍ତ୍ତନ କରିପାରନ୍ତି ।