ଓଡ଼ିଶାରେ ମେଟ୍ରୋ ରେଳ ପ୍ରକଳ୍ପକୁ ନେଇ ପୁଣି ସ୍ବପ୍ନ ଦେଖାଇଲେ ସରକାର

1 min read

ନନ୍ଦିଘୋଷ ବ୍ୟୁରୋ: ଓଡ଼ିଶାରେ ମେଟ୍ରୋ ରେଳ ପ୍ରକଳ୍ପ ନେଇ ପୁଣି ସ୍ବପ୍ନ ଦେଖାଇଲେ ରାଜ୍ୟ ସରକାର । କେନ୍ଦ୍ର ସରକାରଙ୍କ ସହଯୋଗ ଓ ପରାମର୍ଶରେ ହେବ ମେଟ୍ରୋ । ଏନେଇ କେନ୍ଦ୍ର ସରକାରଙ୍କୁ ଅବଗତ କରାଯାଇଛି ବୋଲି କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ରାଜ୍ୟ ସରକାରଙ୍କ ଦ୍ବାରା ଗଠନ ହୋଇଥିବା କମିଟି ରିପୋର୍ଟ ଦେବା ପରେ ମେଟ୍ରୋ ପ୍ରକଳ୍ପ କରାଯିବ ବୋଲି କହିଛନ୍ତି ମନ୍ତ୍ରୀ । ବିଜେଡି କହିଛି, ମେଟ୍ରୋ ନେଇ ମନ୍ତ୍ରୀଙ୍କ କଥାରେ ନାହିଁ ତାଳମେଳ । ଅନ୍ୟପଟେ ମେଟ୍ରୋ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ସ୍ପଷ୍ଟତା ଆଣନ୍ତୁ ବୋଲି ଦାବି କରିଛି କଂଗ୍ରେସ ।

ମେଟ୍ରୋ ପ୍ରକଳ୍ପର କାର୍ଯ୍ୟକାରିତାକୁ ନେଇ ଛନ୍ଦି ହୋଇପଡିଛି ବିଜେପି ସରକାର । କେବେ ହଁ ପୁଣି କେବେ ନା । ଘଡିକେ ବଦଳୁଛି ବୟାନ ଓ ନିଷ୍ପତ୍ତି । ହାତ ଟେକିଦେଇ କେନ୍ଦ୍ରର ସହଯୋଗ ଲୋଡିଲା ରାଜ୍ୟ । ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି, କେନ୍ଦ୍ର ସରକାରଙ୍କ ସହଯୋଗ ଓ ପରାମର୍ଶରେ ଆଗେଇବ ମେଟ୍ରୋ କାମ । ଏନେଇ କେନ୍ଦ୍ର ସରକାରଙ୍କୁ କରାଯାଇଛି ଅବଗତ । ମନ୍ତ୍ରୀଙ୍କ କହିବା କଥା, ରାଜ୍ୟ ସରକାର ମେଟ୍ରୋ ପ୍ରକଳ୍ପ ପାଇଁ କରିଥିବା କମିଟି ବିଭିନ୍ନ ସ୍ଥାନକୁ ଯାଇ ସର୍ଭେ କରିବେ । ରିପୋର୍ଟ ଆସିବା ପରେ କେନ୍ଦ୍ରର ସହାୟତା ଲୋଡାଯିବ । କେମିତି ଫିଜିବୁଲ ହେବ ମେଟ୍ରୋ, ସେ ନେଇ ରିପୋର୍ଟ ଦେବ କମିଟି । ସେହି ଅନୁସାରେ କେନ୍ଦ୍ର କେତେ ଆର୍ଥିକ ସହାୟତା ଦେବ ଓ ପ୍ରକଳ୍ପ ପାଇଁ କେତେ ଖର୍ଚ୍ଚ ହେବ ସେନେଇ ରାଜ୍ୟ ରିପୋର୍ଟ ଦେବା ପରେ ନିଷ୍ପତ୍ତି ନିଆଯିବ । ମେଟ୍ରୋ ପ୍ରକଳ୍ପ ପାଇଁ ପୂର୍ବରୁ ବ୍ୟୟବରାଦ ହୋଇଥିବା ଅର୍ଥରାଶି ଅଛି ବୋଲି ସ୍ବୀକାର କରିଛନ୍ତି ମନ୍ତ୍ରୀ । ଏପରିକି ମୁଖ୍ୟମନ୍ତ୍ରୀ ମଧ୍ୟ ଏନେଇ କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରିବେ କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ।

ରାଜଧାନୀରେ ମେଟ୍ରୋ ଚାଲିବ କି ନାହିଁ ତାକୁ ନେଇ ଦ୍ବନ୍ଦ୍ବ ଲାଗି ରହିଥିବାରୁ ସରକାରଙ୍କୁ ଘେରିଛନ୍ତି ଦୁଇ ବିରୋଧୀ । ବିଜେଡି ନେତା ଅଶୋକ ପଣ୍ଡା କହିଛନ୍ତି, ବିଜେଡି ସରକାରରେ ଶିଳାନ୍ୟାସ ହୋଇଥିବା ମେଟ୍ରୋ ପ୍ରକଳ୍ପକୁ ବିଜେପି କରିବ କି ନାହିଁ ସେ ନିଷ୍ପତ୍ତି ନିଆଯାଇ ପାରୁନାହିଁ । ୧୪ ମାସର ବିଜେପି ସରକାରରେ ମେଟ୍ରୋ ପ୍ରକଳ୍ପ ଅନିଶ୍ଚିତତା ଭିତରକୁ ଚାଲିଯାଇଛି । ମେଟ୍ରୋ ପ୍ରକଳ୍ପକୁ ନେଇ ନଗର ଉନ୍ନୟନ, ପୂର୍ତ୍ତ ଓ ପରିବହନ ମନ୍ତ୍ରୀଙ୍କ ବୟାନରେ ତାଳମେଳ ନାହିଁ । ୨୦୨୩ ଏପ୍ରିଲ ୧ ତାରିଖରେ ମେଟ୍ରୋ ପ୍ରକଳ୍ପକୁ ଅନୁମୋଦନ କରିଥିଲେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨୦୨୪ ଜାନୁଆରୀ ୧ ତାରିଖରେ ତ୍ରିଶୁଳିଆରେ ନବୀନ ପଟ୍ଟନାୟକ ମେଟ୍ରୋ ପ୍ରଳ୍ପଳର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । କାମ ମଧ୍ୟ ଆରମ୍ଭ ହୋଇଥିଲା । ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ବର ବିମାନବନ୍ଦରୁ ତ୍ରିଶୁଳିଆ ଯାଏଁ ମେଟ୍ରୋ ଗଡିଥାନ୍ତା । ପ୍ରକଳ୍ପ ପାଇଁ ମୋଟ ୬ ହଜାର ୨୫୫ କୋଟି ଟଙ୍କା ଖର୍ଚ୍ଚ ହୋଇଥାନ୍ତା । ହେଲେ ମେଟ୍ରୋ ପାଇଁ ଟେଣ୍ଡର ବାତିଲ ହେବା ପରେ ପାଖାପାଖି ୫୦୦ କୋଟି ରାଜସ୍ବ ହାନି ହେବ ବୋଲି କହିଛି ବିଜେଡି । ସେହିପରି ମେଟ୍ରୋ ଓଡିଶାରେ ଗଡ଼ିବ କି ନାହିଁ, ତାହା ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରନ୍ତୁ ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ।

ନବୀନ ସରକାର ସମୟରେ ଆରମ୍ଭ ହୋଇଥିବା ମେଟ୍ରୋ ପ୍ରକଳ୍ପକୁ ୨୦୨୭-୨୮ ସୁଦ୍ଧା ସାରିବାକୁ ଲକ୍ଷ୍ୟ ରଖାଯାଇଥିଲା । ହେଲେ ଓଡ଼ିଶାରେ ସରକାର ବଦଳିବା ପରେ ମେଟ୍ରୋ ପ୍ରକଳ୍ପ ହେବ କି ନାହିଁ ତାହା ଅନିଶ୍ଚିତତା ଭିତରକୁ ଠେଲି ହୋଇଯାଇଛି । ଆଉ ଏହାକୁ ନେଇ ରାଜ୍ୟ ରାଜନୀତିରେ ଆରମ୍ଭ ହୋଇଛି ରାଜନୀତି ।