ମେଟାକୁ ଆତଙ୍କବାଦୀ ସଙ୍ଗଠନ ତାଲିକାରେ ସାମିଲ କଲା ଋଷ୍

କିଭ୍‌: ୟୁକ୍ରେନ ସହ ଯୁଦ୍ଧ ବେଳେ ବଡ଼ ପଦକ୍ଷେପ ଗ୍ରହଣ କରିଛି ଋଷ୍ । ଆମେରିକାର ଟେକ୍‌ କମ୍ପାନୀ ତଥା ଫେସବୁକ ଓ ଇନଷ୍ଟାଗ୍ରାମର ମୂଳ ସଂସ୍ଥା ମେଟାକୁ ଋଷ ସରକାର ଆତଙ୍କବାଦୀ ଓ ବିଦ୍ରୋହୀ ସଂଗଠନ ତାଲିକାରେ ସାମିଲ କରିଛନ୍ତି ।

ଋଷ ମାର୍ଚ୍ଚ ମାସରେ ଦେଶ ବିରୋଧୀ କାମ ପାଇଁ ଫେସବୁକ ଓ ଇନଷ୍ଟାଗ୍ରାମ ଉପରେ ବ୍ୟାନ ଲଗାଇଥିଲା । ଋଷ ପଡ଼ୋଶୀ ୟୁକ୍ରେନ ଉପରେ କରୁଥିବା ସାମରିକ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ଫେସବୁକ ଓ ଇନଷ୍ଟାରେ ଅନେକ ମତ ପ୍ରକାଶ ପାଉଥିଲା । ଏହାକୁ ମେଟା ଜାଣିଶୁଣି ଅଣଦେଖା କରୁଥିଲା ।

ଏଥିରୁ ମେଟାର ଋଷ ବିରୋଧୀ ଆଭିମୁଖ୍ୟ ସ୍ପଷ୍ଟ ହୋଇଥିବା କଥା ମସ୍କୋ ପକ୍ଷରୁ କୁହାଯାଇଥିଲା । ଏଥିପାଇଁ ସଂସ୍ଥାର ଦୁଇ ସୋସିଆଲ ମିଡିଆ ଆପ୍‌ ଉପରେ ବ୍ୟାନ୍‌ ଲଗାଯାଇଥିଲା । ତଥାପି ଋଷ ଅନୁପ୍ରବେଶକାରୀଙ୍କ ହତ୍ୟା ବୟାନକୁ ଫେସବୁକ୍‌ ତାର ପ୍ଲାଟଫର୍ମରେ ସ୍ଥାନ ଦେଇଥିଲା ।