ୟୁକ୍ରେନରେ ଋଷ ପ୍ରୟୋଗ କରିପାରେ ରାସାୟନିକ ଅସ୍ତ୍ର, ଖୁବଶୀଘ୍ର ପୋର୍ଟସିଟି ମାରିୟୁପୋଲକୁ କରିପାରେ କବଜା

କିଭ୍: ୟୁକ୍ରେନରେ ଋଷ ପ୍ରୟୋଗ କରିପାରେ ରାସାୟନିକ ଅସ୍ତ୍ର । ଏନେଇ ସତର୍କ ସୂଚନା ଜାରି କରିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି । ଏନେଇ ତୁରନ୍ତ ଋଷ ବିରୋଧରେ କଡ଼ା କଟକଣା ଜାରି କରିବାକୁ ପାଶ୍ଚାତ୍ୟ ରାଷ୍ଟ୍ର ନିକଟରେ ଦାବି କରିଛନ୍ତି ଜେଲେନସ୍କି । ସେପଟେ ବିଭିନ୍ନ ପର୍ଯ୍ୟାୟ ଆଲୋଚନା ଜାରି ରହିଥିଲେ ବି ୟୁକ୍ରେନ ଉପରେ ଆଟାକ୍ ଜାରି ରହିବ ବୋଲି ଘୋଷଣା କରିଛି ଋଷ । ଖୁବଶୀଘ୍ର ପୋର୍ଟସିଟି ମାରିୟୁପୋଲକୁ ଋଷ ଅକ୍ତିଆର କରିପାରେ ବୋଲି ସୂଚନା ମିଳିଛି ।

ମାରିୟୁପୋଲରେ ଋଷ ରାସାୟନିକ ଅସ୍ତ୍ର ପ୍ରୟୋଗ କରିଥିବା ନେଇ ମଧ୍ୟ ଅସମର୍ଥିତ ସୂଚନା ମିଳିଛି । ତେବେ ପ୍ରକୃତରେ ରାସାୟନିକ ଅସ୍ତ୍ର ପ୍ରୟୋଗ ହୋଇଛି କି ନାହିଁ ସେନେଇ ତଦନ୍ତ କରୁଛି ବ୍ରିଟେନ । ଏକ ଭିଡିଓ ବାର୍ତ୍ତାରେ ଜେଲେନସ୍କି ଏହି ଆଶଙ୍କା ବ୍ୟକ୍ତ କରିଥିବା ସତ୍ତ୍ୱେ ବର୍ତ୍ତମାନ ସୁଦ୍ଧା ରାସାୟନିକ ଅସ୍ତ୍ର ପ୍ରୟୋଗ ହୋଇଥିବା ସମ୍ପର୍କରେ କିଛି ଉଲ୍ଲେଖ କରିନାହାନ୍ତି । ସେପଟେ ଯୁଦ୍ଧର ୪୮ ଦିନରେ ବି ଜାରି ରହିଛି ଆକ୍ରମଣ । ପୋର୍ଟସିଟି ମାରିୟୁପୋଲରେ ଋଷ ଆକ୍ରମଣ ଜାରି ରହିଥିବା ବେଳେ ପୂର୍ବ ୟୁକ୍ରେନରେ ଆକ୍ରମଣ ଜୋରଦାର କରିଛି ।

ସେପଟେ ଯୁଦ୍ଧ ବନ୍ଦ କରିବା ଲାଗି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ମସ୍କୋରେ ଆଲୋଚନା କରିଛନ୍ତି ଅଷ୍ଟ୍ରିଆ ଚାନସେଲର କାର୍ଲ ନେହମ୍ମର । ତୁରନ୍ତ ଯୁଦ୍ଧ ବନ୍ଦ କରି ୟୁକ୍ରେନରେ ଯେପରି ଶାନ୍ତି ଫେରିବ, ସେଥିଲାଗି ସେ ବିଭିନ୍ନ ପ୍ରସ୍ତାବ ଦେଇଛନ୍ତି । ଫେବ୍ରୁଆରୀ ୨୪ରେ ଯୁଦ୍ଧ ଆରମ୍ଭ ପରଠାରୁ ପ୍ରଥମ ଥର ଲାଗି ହାଇପ୍ରୋଫାଇଲ ଭେଟଘାଟ କ୍ରମେ ପୁଟିନଙ୍କୁ ଭେଟିଛନ୍ତି ପ୍ରଥମ ୟୁରୋପୀୟ ନେତା ନେହମ୍ମର । ସେପଟେ କେବଳ ମାରିୟୁପୋଲ ସହରରେ ୧୦ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଲାଣି ବୋଲି କହିଛନ୍ତି ମେୟର । ଏବେ ବି ସହରର ବିଭିନ୍ନ ସ୍ଥାନରେ ଅନେକ ଶବ ପଡ଼ିରହିଛି । ଏସବୁକୁ ମିଶାଇଲେ ମୃତ୍ୟୁ ସଂଖ୍ୟା ୨୦ ହଜାର ଟପିବ ବୋଲି ସେ ଆଶଙ୍କା ବ୍ୟକ୍ତ କରିଛନ୍ତି ।