ଋଷର ଆକ୍ସନ: ଆଇସିସି ସଭାପତିଙ୍କୁ କଲା ଓ୍ବାଣ୍ଟେଡ ଲିଷ୍ଟରେ ସାମିଲ

1 min read

ମସ୍କୋ: ଆକ୍ସନ ମୋଡରେ ଋଷ । ଇଣ୍ଟରନ୍ୟାସନାଲ କ୍ରିମିନାଲ କୋର୍ଟ (ଆଇସିସି)ର ସଭାପତି ପିତୋର ହଫମନସ୍କିଙ୍କୁ କଲା ଓ୍ବାଣ୍ଟେଡ ଲିଷ୍ଟରେ ସାମିଲ । ଋଷ-ୟୁକ୍ରେନ ଯୁଦ୍ଧକୁ ନେଇ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବିରୋଧରେ ଆଇସିସି ପକ୍ଷରୁ ଗିରଫ ପରଓ୍ବାନା ଜାରି କରିବାର କିଛି ମାସ ପରେ ଜବାବ ଦେଇଛି ଋଷ ।

ଋଷର ଗୃହ ମନ୍ତ୍ରାଳୟ ଡାଟାବେସରେ ଏହି ସୂଚନା ଦିଆଯାଇଛି । ଏଥିରେ ଦର୍ଶାଯାଇଛି ଋଷୀୟ ଫେଡେରେସନର କ୍ରିମିନାଲ କୋଡ ଅନୁସାରେ ହଫମନସ୍କିଙ୍କୁ ଓ୍ବାଣ୍ଟେଡ ତାଲିକାରେ ସ୍ଥାନୀତ କରାଯାଇଛି । ତେବେ ହଫମନସ୍କିଙ୍କ ବିରୋଧରେ ଅଭିଯୋଗ କ’ଣ ରହିଛି ତାହା ଦର୍ଶାଯାଇନାହିଁ ।

ଗତ ମାର୍ଚ୍ଚ ମାସରେ ୟୁକ୍ରେନୀୟ ଶିଶୁଙ୍କୁ ବେଆଇନ ଭାବେ ଋଷକୁ ଚାଲାଣ କରୁଥିବା ଅଭିଯୋଗ କ୍ରମେ ନେଦରଲ୍ୟାଣ୍ଡସର ହଗସ୍ଥିତ ଆଇସିସି ମୁଖ୍ୟାଳୟ ପକ୍ଷରୁ ପୁଟିନଙ୍କ ବିରୋଧରେ ଗିରଫ ପରଓ୍ବାନା ଜାରି କରାଯାଇଥିଲା । ଏହାସହ ଋଷର ଶିଶୁ ଅଧିକାର ସଂକ୍ରାନ୍ତ ପ୍ରେସିଡେନସିଆଲ କମିଶନର ମାରିଆ ଲୋଭା ବେଲୋଭାଙ୍କ ବିରୋଧରେ ବି ଆଇସିସି ଗିରଫ ପରଓ୍ବାନା ଜାରି କରିଥିଲା ।

ପୂର୍ବରୁ ଆଇସିସି ପ୍ରସିକ୍ୟୁଟର କରିମ ଖାନ ଓ ଅନ୍ୟ କେତେକ ଜଜଙ୍କ ବିରୋଧରେ ଋଷ ଜାରି କରିଥିଲା ଗିରଫ ପରଓ୍ବାନା । ଗତ କିଛିଦିନ ତଳେ ୟୁକ୍ରେନରେ ଆଇସିସି ପକ୍ଷରୁ ଏକ ଫିଲ୍ଡ ଅଫିସ ଖୋଲାଯାଇଥିଲା ।