ପୁଟିନଙ୍କ ବଡ଼ ଯୋଜନା: ଅନ୍ତରୀକ୍ଷରୁ ଋଷର ନଜର, ପଶ୍ଚିମୀ ଦେଶଙ୍କ ମଧ୍ୟରେ ଛନକା
ନନ୍ଦିଘୋଷ ବ୍ୟୁରୋ: ପୂରା ନାଟୋ ଋଷକୁ ତଳିତଳାନ୍ତ କରିବାକୁ ଲାଗି ଥିଲେ ବି ନାଚାର । ପୁଟନଙ୍କୁ କାବୁ କରିବାକୁ ପଶ୍ଚିମୀ ଦେଶ କିଛି ବଡ଼ ପଦକ୍ଷେପ ନେବାର କିଛି ସମୟ ବିତି ନଥିବ ଏମିତି ଖବର ଆସୁଛି ଯାହା ସାରା ବିଶ୍ବର ହୋସ୍ ଉଠାଇ ଦେଉଛି । ୟୁକ୍ରେନ ଯୁଦ୍ଧ ଭିତରେ ପଶ୍ଚିମୀ ଦେଶ ଋଷ ଉପରେ ପ୍ରତିବନ୍ଧକ ଉପରେ ପ୍ରତିବନ୍ଧକ ଲଗାଇ ଚାଲିଛନ୍ତି, ହେଲେ ପୁଟିନ ଛାତି ଦେଖାଇ ଏମାନଙ୍କ ଆଗରେ ଆହୁରି ଶକ୍ତିଶାଳୀ ହୋଇ ଛିଡ଼ା ହୋଇଛନ୍ତି । ଏବେ ପୁଟିନ ଓ ଋଷକୁ ନେଇ ଏମିତି ଖବର ଆସିଛି ଯାହା ପଶ୍ଚିମୀ ଦେଶଙ୍କ ଚିନ୍ତା ବଢ଼ାଇ ଦେଇଛି ।
ଜର୍ମାନୀ ଏବଂ ବ୍ରିଟେନ ଋଷ ଓ ଚୀନ ପକ୍ଷରୁ ଅନ୍ତରୀକ୍ଷ ସାଟେଲାଇଟକୁ ନେଇ ସୃଷ୍ଟି ହେଉଥିବା ବିପଦକୁ ନେଇ ଚେତାବନୀ ଦେଇଛନ୍ତି । କୁହାଯାଉଛି, ଋଷ ଓ ଚୀନର ସାଟେଲାଇଟ୍ ପଶ୍ଚିମୀ ଦେଶଙ୍କ ଉପଗ୍ରହ ଉପରେ ନଜର ରଖିବା ସହ ଗୁଇନ୍ଦାଗିରି କରୁଛନ୍ତି । ଗତ କିଛି ସପ୍ତାହ ମଧ୍ୟରେ ଜର୍ମାନୀ ଓ ବ୍ରିଟେନ ଏକାଧିକ ଥର ଏମିତି ଅଭିଯୋଗ କରିଛନ୍ତି । ସେମାନେ କହିଛନ୍ତି, ଋଷ ଓ ଚୀନ ବରମ୍ବାର ସେମାନଙ୍କ ଉପଗ୍ରହର ପିଛା କରୁଛନ୍ତି । ସେମିତି ନୁହେଁ, ସେମାନଙ୍କ ସାଟେଲାଇଟକୁ ଜାମ କରିବା ସହ ଅନ୍ତରୀକ୍ଷରେ ଆମ କାମରେ ଦଖଲ ଦେଉଛନ୍ତି ।
ଜର୍ମାନୀ ରକ୍ଷାମନ୍ତ୍ରୀ ବୋରିସ ପେଷ୍ଟୋରିୟସ ସେପ୍ଟେମ୍ବରରେ ବର୍ଲିନ କନଫରେନ୍ସ ସମୟରେ ମଧ୍ୟ କୁହାଯାଇଥିଲା, ଋଷର ଗତିବିଧି ବିଶେଷ କରି ଅନ୍ତରୀକ୍ଷରେ ଆମମାନଙ୍କ ପାଇଁ ବଡ଼ ବିପଦ ହେବାରେ ଲାଗିଛି । ଏବେ ଆମେ ଏହାକୁ ଅଣଦେଖା କରିପାରିବା ନାହିଁ ।
ଗ୍ଲୋବାଲ ଥିଙ୍କ ଟ୍ୟାଙ୍କ ଅନୁସାରେ, ସଞ୍ଚାର ଉପଗ୍ରହକୁ ଟାର୍ଗେଟ କରାଗଲେ ସାଟେଲାଇଟ ଚିତ୍ର, ଦୂରସଞ୍ଚାର ଓ ବ୍ରଡବ୍ୟାଣ୍ଡ ସାଟେଲାଇଟ ପରି ସେବା ଉପରେ ପ୍ରଭାବ ପଡିଥାଏ । ସେହିପରି ନେଭିଗେଶନ ଓ ପୋଜିଶନିଂ ସିଷ୍ଟମ ଉପରେ ଆଟେକ ହେଲେ ସୈନ୍ୟ ଅଭିଯାନ ସହ ବିମାନ ଚଳାଚଳ ବି ପ୍ରଭାବିତ ହୋଇପାରେ । ୟୁକ୍ରେନ ଅଧିକାରୀଙ୍କ କହିବାର ହେଲା ମସ୍କୋ, ଚୀନ ସହ ନିଜ ସହଯୋଗ ବଢ଼ାଇ ଦେଇଛି ଓ ବେଞ୍ଜିଂ ଋଷ ପାଇଁ ୟୁକ୍ରେନୀ କ୍ଷେତ୍ର ଉପରେ ସାଟେଲାଇଟରୁ ନଜର ରଖୁଛି ।
କ’ଣ କରୁଛି ଋଷ ?
ପେଷ୍ଟୋରିୟସ କହିଛନ୍ତି, ନିକଟରେ ଋଷର ଦୁଇଟି ଟୋହି ସାଟେଲାଇଟକୁ ଦୁଇଟି ଇଣ୍ଟଲସେଟ୍ ଉପଗ୍ରହଙ୍କ ପିଛା କରୁଥିବା ଦେଖିବାକୁ ମିଳିଛି । ଏହାର ଉପଯୋଗ ଜର୍ମାନ ସେନା ଓ ସେମାନଙ୍କ ସହଯୋଗୀ କରିଥାନ୍ତି । ଇଣ୍ଟଲସେଟ ବାଣିଜ୍ୟିକ ଉପଗ୍ରହ ପ୍ରଦାନକାରୀ ଉପଗ୍ରହ । ଯାହାର ଉପଯୋଗ ବହୁଳ ମାତ୍ରାରେ ଆମେରିକା ଓ ପୂରା ୟୁରୋପର ସରକାର ଏବଂ କମ୍ପାନୀ କରିଥାନ୍ତି । ନିକଟ ଅତୀତରେ ଋଷ ଓ ଚୀନ ସେମାନଙ୍କ ଅନ୍ତରୀକ୍ଷ ଯୁଦ୍ଧ କ୍ଷମତାକୁ ଦ୍ରୁତ ବିକାଶ କରିଛନ୍ତି । ସେମାନେ ଉପଗ୍ରହକୁ ଜାମ କରିପାରିବେ, ସେମାନଙ୍କ ସହ ଯାହା ଇଚ୍ଛା କରିପାରିବେ । ଏପରିକି ଚାହିଁଲେ ଏହାକୁ ସେମାନେ ନଷ୍ଟ ବି କରିପାରିବେ । ପିଷ୍ଟୋରିୟସ ଏହା ମଧ୍ୟ କହିଛନ୍ତି ଜର୍ମାନୀ ନିଜ ଅନ୍ତରୀକ୍ଷ କାର୍ଯ୍ୟକ୍ରମ ପାଇଁ ସୁଦୃଢ଼ କରିବା ପାଇଁ ଆହୁରି ଅଧିକ ଅର୍ଥ ବ୍ୟବବରାଦ କରିବ ।
ୟୁକେ ସ୍ପେସ କମାଣ୍ଡ ମୁଖ୍ୟ ମଧ୍ୟ ଋଷ ପକ୍ଷରୁ ବିପଦ ନେଉ ଉଲ୍ଲେଖ କରିବା ସହ କହିଛନ୍ତି, ଋଷ ଉପଗ୍ରହ ଅନ୍ତରୀକ୍ଷରେ ବ୍ରିଟେନ ସାଟେଲାଇଟର ପିଛା କରୁଛନ୍ତି ଓ ସାପ୍ତାହିକ ଆଧାରରେ ସାଟେଲାଇଟକୁ ଜାମ ମଧ୍ୟ କରିଦେଉଛନ୍ତି । ସେ କହିଛନ୍ତି, ତାଙ୍କ ଉପଗ୍ରହରେ ଏମିତି ପେଲୋଡ ଲାଗିଛି ଯାହା ଆମ ଉପଗ୍ରହଙ୍କୁ ଦେଖି ପାରିବେ ଓ ସୂଚନା ସଂଗ୍ରହ କରିବାକୁ ଚେଷ୍ଟା କରୁଛନ୍ତି । ୟୁକ୍ରେନ ଯୁଦ୍ଧ ସମୟରେ ଋଷ ନିଜର ଇଲେକ୍ଟ୍ରୋନିକ୍ସ ଯୁଦ୍ଧ କ୍ଷମତାକୁ ବିକଶିତ କରିଚାଲିଛି ।
ସେହିପରି ନାଟୋ ମହାସଚିବ ମାର୍କ ରୁଟ ଚଳିତବର୍ଷ ଆରମ୍ଭରେ ଚେତାବନୀ ଦେଇ କହିଥିଲେ, ଋଷ ଅନ୍ତରୀକ୍ଷରେ ଏମିତି ପରମାଣୁ ଅସ୍ତ୍ର ବିକସିତ କରିବାକୁ ଯୋଜନା କରୁଛି, ଯାହାର ବ୍ୟବହାର କଲେ ଆମ ଉପଗ୍ରହ ଅଚଳ କିମ୍ବା ନଷ୍ଟ ହୋଇଯିବ ।
ହେଲେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟନ ସ୍ପଷ୍ଟ କରିସାରିଛନ୍ତି ଯେ, ଋଷ ଅନ୍ତରୀକ୍ଷରେ ପରମାଣୁ ଅସ୍ତ୍ର ମୁତୟନ କରିବାକୁ କୌଣସି ଯୋଜନା କରୁନାହିଁ । ତେବେ ଅନ୍ତରୀକ୍ଷ ଆଧାରିତ ପରମାଣୁ ଅସ୍ତ୍ର ବିକସିତ ନକରିବା ନେଇ ୨୦୨୪ରେ ୟୁଏନରେ ହୋଇଥିବା ଅପିଲ ଉପରେ ଋଷ ଭିଟୋ ଲଗାଇ ଦେଇଥିଲା ।

