ପୁଟିନ୍ ହେଲେ ନରମ, ଦେଲେ ଶାନ୍ତିର ସଙ୍କେତ

1 min read
Russia Ukraine War Talk Putin Zelensky Government

ନୂଆଦିଲ୍ଲୀ: ଋଷ-ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ୧୪ ଦିନ ବିତିଲାଣି । ଗ୍ରାଉଣ୍ଡରେ ସ୍ଥିତି ବଦଳି ନଥିବା ବେଳେ ଏବେ ଦୁଇ ଦେଶ ଋଷ ଓ ୟୁକ୍ରେନ୍ ନରମ ପଡ଼ୁଥିବା ଦେଖା ଯାଉଛି । ଏଭଳି ସ୍ଥିତିରେ ଋଷ ଦେଇଛି ବଡ଼ ବୟାନ । ଋଷ ପକ୍ଷରୁ କୁହାଯାଇଛି, ଆମେ ୟୁକ୍ରେନ୍ ସରକାରକୁ ହଟାଇବାକୁ ଚାହୁଁ ନାହୁଁ । ୟୁକ୍ରେନ୍ ସରକାରଙ୍କୁ ଉପାଡ଼ି ଫୋପାଡ଼ିବାର କୌଣସି ଉଦ୍ଦେଶ୍ୟ ନାହିଁ ।

ଏହା ପୂର୍ବରୁ ଋଷ କହିଥିଲା, ୟୁକ୍ରେନ୍ ସହ ଆଲୋଚନା ଆଗକୁ ବଢ଼ିଛି । କିଛି ପ୍ରସଙ୍ଗରେ ଆଲୋଚନାରେ ଅଗ୍ରଗତି ଘଟିଛି । ତେବେ କେଉଁ କେଉଁ କ୍ଷେତ୍ରରେ ୨ ଦେଶ ମଧ୍ୟରେ ସହମତି ହୋଇଛି ସେନେଇ କିଛି ଜଣାପଡ଼ି ନାହିଁ । କିନ୍ତୁ ଯୁଦ୍ଧ ସ୍ଥିତିରେ ଋଷର ଏଭଳି ମନ୍ତବ୍ୟ ବେଶ୍ ଗୁରୁତ୍ୱବହନ କରୁଛି । କାରଣ ଏହା ପୂର୍ବରୁ ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କି କହିଥିଲେ, ଏବେ ୟୁକ୍ରେନ୍ ନାଟୋ ସଦସ୍ୟ ହେବା ଲାଗି ଚାହୁଁ ନାହିଁ ।

Russia Ukraine War Talk Putin Zelensky Government

ଆରମ୍ଭରୁ ଋଷ ମଧ୍ୟ ୟୁକ୍ରେନ୍ ନାଟୋରେ ସାମିଲ୍ ନହେବା ଲାଗି କହି ଆସୁଛି । ୟୁକ୍ରେନ୍, ନାଟୋରେ ସାମିଲ୍ ହେବା ଋଷ ପାଇଁ ବିପଦ ବୋଲି ମାନି ଆସୁଛି । ଯଦି ଏବେ ଜେଲେନସ୍କି ଏହି ଦାବିରୁ ପଛକୁ ଫେରନ୍ତି ତ ଯୁଦ୍ଧ ଶେଷ ହେବାର ଏକ ବଡ଼ ସୁଯୋଗ ମିଳିପାରେ । କିନ୍ତୁ ଏବେ ଯାଏ ସବୁକିଛି କେବଳ ବୟାନ ବାଜିରେ ସୀମିତ ରହିଛି । ଏଥିପାଇଁ ଆଲୋଚନା କରିବାକୁ ପ୍ରସ୍ତୁତ ହେଉଛନ୍ତି ଉଭୟ ଋଷ ଓ ୟୁକ୍ରେନ୍ ।

ଋଷ ସହ ଆଲୋଚନା ପାଇଁ ୟୁକ୍ରେନ୍ ଆଗକୁ ବଢ଼ୁଥିବା ବେଳେ ସହାୟତା ମିଳିବା ମଧ୍ୟ ଆରମ୍ଭ ହୋଇଛି । କିଏ ଋଷ ଉପରେ ପ୍ରତିବନ୍ଧକ ଲଗାଇ ସମର୍ଥନ ଦେଉଛି ତ ଆଉ କେଉଁ ଦେଶ ସିଧାସଳଖ ଯୁଦ୍ଧାସ୍ତ୍ର ପଠାଉଛି ।