ରୁଷର ଦୁଇଟି ସହର ଉପରେ ୱାଗନରର କବଜା, ମସ୍କୋ ଠାରୁ ୩୬୦ କିମି ଦୂରରେ ବିଦ୍ରୋହୀ ୱାଗନର

ନନ୍ଦିଘୋଷ ବ୍ୟୁରୋ: ୟୁକ୍ରେନ ଯୁଦ୍ଧରେ ରୁଷିଆର ସାଥ୍ ଦେଇଥିବା ପ୍ରାଇଭେଟ ଆର୍ମି ୱାଗନର ବିଦ୍ରୋହ କରିଦେଇଛି । ରୁଷର ଦୁଇଟି ସହର ଭୋରୋନେଜ ଏବଂ ରୋସ୍ତୋଭ ସହର ଉପରେ କବଜା କରିଛି ୱାଗନର । ରେସ୍ତୋଭର ମିଲିଟ୍ରି ହେଡକ୍ୱାଟର ମଧ୍ୟ ୱାଗନର କବଜାରେ ରହିଛି । ରୁଷର ଲିପେସ୍ତ୍କ ପ୍ରାନ୍ତର ଗଭର୍ଣ୍ଣର କହିଛନ୍ତି ଯେ ୱାଗନର ଗ୍ରୁପ ଅନେକ ଅଞ୍ଚଳରେ ପ୍ରବେଶ କରି ସାରିଛି । ଲିପେତ୍ସ୍କ ମସ୍କୋଠାରୁ ୩୬୦ କିମି ଦୂରରେ ଅବସ୍ଥିତ । ଅନ୍ତର୍ଜାତୀୟ ମିଡିଆ ରିପୋର୍ଟ୍ସ ଅନୁଯାୟୀ, ପ୍ରାଇଭେଟ ଆର୍ମି ମସ୍କୋ ଅଭିମୁଖେ ବଢ଼ୁଛନ୍ତି । ମସ୍କୋର ରାସ୍ତାରେ ଟ୍ୟାଙ୍କର ଏବଂ ରୁଷ୍ ସେନା ମୁତୟନ ଅଛି । ସହରରେ ହାଇ ଆଲର୍ଟ ଜାରି କରାଯିବା ସହ ସହରକୁ ଯୋଡ଼ୁଥିବା ହାଇୱେ ବନ୍ଦ କରିଦିଆଯାଇଛି । ରାଜଧାନୀରେ ୧ ଜୁଲାଇ ପର୍ଯ୍ୟନ୍ତ ସମସ୍ତ ବାହାର କାର୍ଯ୍ୟକ୍ରମ ରଦ୍ଦ କରିଦିଆଯାଇଛି ।

ମେୟର ଲୋକମାନଙ୍କୁ ଘରେ ରହିବା ପାଇଁ ଅପିଲ୍ କରିଛନ୍ତି । ୱାଗନର ବିଦ୍ରୋହ କରିଥିବା ଖବର ସାମ୍ନାକୁ ଆସିବା ପରେ ରୁଷ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ ଦେଶକୁ ସମ୍ବୋଧିତ କରିଛନ୍ତି । ସେ କହିଛନ୍ତି ୱାଗନର ବିଶ୍ୱାସଘାତକତା କରିଛି । ଦେଶର ଜନତାଙ୍କୁ ଧୋକା ଦେଇଛି । ଏହା ସେନାକୁ ଚ୍ୟାଲେଞ୍ଜ ଅଟେ । ଆମେ କୌଣସି ବି ସ୍ଥିତିରେ ନାଗରିକଙ୍କ ରକ୍ଷା କରିବୁ । ବିଦ୍ରୋହୀଙ୍କୁ ଦଣ୍ଡିତ କରାଯିବ । ଦେଶଦ୍ରୋହ ରାସ୍ତା ଆପଣାଇଥିବା ଲୋକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଅନ୍ୟପକ୍ଷରେ ଶକ୍ତିଶାଳୀ ଓ୍ବାଗନର ସଂଗଠନର ମୁଖ୍ୟ ୟେଭଗେନି ପ୍ରିଗୋଝିନ କହିଛନ୍ତି, ଋଷର ସାମରିକ ନେତୃତ୍ବକୁ ହଟାଇବା ଲାଗି ଅଭିଯାନ ଆରମ୍ଭ ହୋଇଛି । ମରିବାକୁ ପ୍ରସ୍ତୁତ ଥିବା ୨୫ ହଜାର ବିଦ୍ରୋହୀଙ୍କୁ ନେଇ ଗଠିତ ସଂଗଠନ ସବୁ କିଛି ଧ୍ବଂସ କରିବାକୁ ପ୍ରସ୍ତୁତ ।