ନିଜ ସୁରକ୍ଷା ପାଇଁ ସମ୍ବିଧାନ ବଦଳାଇଲେ ରୁଷ ରାଷ୍ଟ୍ରପତି, କ୍ଷମତାରୁ ଗଲା ପରେ ବି ଆଇନଠୁ ରହିବେ ଉପରେ

vladmir Putin

ଋଷିଆ: ପୁଣି ଥରେ ଋଷ ସମ୍ବିଧାନରେ ପରିବର୍ତ୍ତନ କରିବାକୁ ଯାଉଛନ୍ତି ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ । ଏହାକୁ ମିଶାଇ ମାତ୍ର ବର୍ଷକରେ ଦୁଇ ଦୁଇ ଥର ସମ୍ବିଧାନରେ ସଂଶୋଧନ ହେବାକୁ ଯାଉଛି । ଗତ ଜୁଲାଇ ମାସରେ ସମ୍ବିଧାନ ସଂଶୋଧନ ହୋଇଥିଲା । ସେଥିରେ ୨୦୩୬ ପର୍ଯ୍ୟନ୍ତ ପୁଟିନ୍‌ ରାଷ୍ଟ୍ରପତି ରହିପାରିବେ ବୋଲି ଅଧିକାର ପାଇଥିଲେ ।

ଏଥର କିନ୍ତୁ ଭିନ୍ନ ଧରଣର ପରିବର୍ତ୍ତନ କରିବାକୁ ଯାଉଛନ୍ତି ପୁଟିନ୍‌ ସରକାର । ରାଷ୍ଟ୍ରପତି ପଦରୁ ହଟିବା ପରେ ମଧ୍ୟ ତାଙ୍କ ଉପରେ କେହି ଅପରାଧିକ ମାମଲା ରୁଜୁ କରିପାରିବେ ନାହିଁ ବୋଲି ସେ କିଛି କଟକଣା ଲଗାଇବାକୁ ଚାହୁଁଛନ୍ତି । ସଂସଦର ଦୁଇଟି ଯାକ ଗୃହରେ ଏନେଇ ପ୍ରସ୍ତାବ ପାରିତ ହେବା ପରେ ପୁଟିନ୍‌ ଏଥିରେ ଦସ୍ତକ୍ଷତ କରିବେ ବୋଲି ଜଣାପଡ଼ିଛି ।

Putin

ସମ୍ବିଧାନରେ ଏହି ସଂଶୋଧନ ହେଲେ ରାଜଦ୍ରୋହ ଭଳି ମାମଲାକୁ ମଧ୍ୟ ତଳଶ୍ରେଣୀର ଅପରାଧ ବୋଲି ବିଚାର କରାଯିବ । ଏହି ସଂଶୋଧନର ଫାଇଦା ପୂର୍ବତନ ରାଷ୍ଟ୍ରପତି ତଥା ତାଙ୍କ ପରିବାର ସଦସ୍ୟ ମଧ୍ୟ ଉଠାଇପାରିବେ । ଏଥିସହ ତଦନ୍ତ ବେଳେ ସେମାନଙ୍କର ସମ୍ପତ୍ତି ବାଜ୍ୟାପ୍ତି କରିବା ପାଇଁ କାହାର ଅଧିକାର ରହିବ ନାହିଁ ।

ଜୁଲାଇ ମାସରେ ସମ୍ବିଧାନ ସଂଶୋଧନକୁ ମାତ୍ର ସପ୍ତାହେ ସମୟ ଲାଗିଥିବା ବେଳେ ଏଥର ମଧ୍ୟ ଖୁବ ଶୀଘ୍ର ସଂଶୋଧନ ହେବ ବୋଲି ସରକାର ଆଶା ରଖିଛନ୍ତି । ସଂସଦର ଗୋଟିଏ ଗୃହରେ ଏହି ପ୍ରସ୍ତାବ ପାରିତ ହୋଇସାରିଛି । ସମ୍ବିଧାନ ଅନୁସାରେ ୨୦୨୪ରେ ପୁଟିନ ରାଷ୍ଟ୍ରପତି ପଦରୁ ଅବସର ନେଇଥାନ୍ତେ । କିନ୍ତୁ ଏବେ ସେ ୨୦୩୬ ପର୍ଯ୍ୟନ୍ତ ରହିବେ ।

Leave a Reply