ପ୍ଲାଷ୍ଟିକ ବୋତଲରେ ପେଟ୍ରୋଲ ବିକ୍ରି ମନା, ନମାନିଲେ କଡ଼ା କାର୍ଯ୍ୟାନୁଷ୍ଠାନ

ନନ୍ଦିଘୋଷ ବ୍ୟୁରୋ: ଆଜିଠାରୁ ପ୍ଲାଷ୍ଟିକ ବୋତଲରେ ପେଟ୍ରୋଲ ମନା । ଯିଏ ବିକ୍ରି କରିବ ହେବ କଡା କାର୍ଯ୍ୟାନୁଷ୍ଠାନ । ସମସ୍ତ ଜିଲ୍ଲାପାଳଙ୍କୁ ଶକ୍ତ ନିର୍ଦ୍ଦେଶ ଦେଲେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଆସନ୍ତାକାଲିଠାରୁ ବିଭିନ୍ନ ପେଟ୍ରୋଲ ପମ୍ପରେ ହେବ ଚଢାଉ । ଯିଏ ପେଟ୍ରୋଲ ନେବେ ସିଏ କାଚ ବୋତଲରେ କିମ୍ବା ଟିଣ ବୋତଲରେ ନେଇପାରିବେ । ନିୟମ ଅନୁଯାୟୀ ବିକ୍ରି ହେବ ପେଟ୍ରୋଲ ।
ଚାଷୀ , ବିଏମସି, ଗ୍ରାସ କଟର ଭଳି ମେସିନ ଲାଗି ଟିଣ କିମ୍ବା ଲୁହା, କାଚ, ଆଲୁମିନିୟମ ବୋତଲରେ ବିକ୍ରି ହୋଇପାରିବ ପେଟ୍ରୋଲ । ଯେଉଁମାନେ ବାହାରେ ପ୍ଲାଷ୍ଟିକ ବୋତଲରେ ବିକ୍ରି କରୁଛନ୍ତି ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଲୋକସେବା ଭବନରେ ପେଟ୍ରୋଲ ପମ୍ପ ମାଲିକ ସଙ୍ଘ, ପେଟ୍ରୋଲିୟମ କମ୍ପାନୀ କର୍ତ୍ତୃପକ୍ଷଙ୍କ ସହ ଯୋଗାଣ ମନ୍ତ୍ରୀଙ୍କ ବୈଠକ ପରେ ନିଷ୍ପତ୍ତି ନିଆଯାଇଛି । ଯୋଗାଣ ବିଭାଗର ଅଧିକାରୀ ବୈଠକରେ ଉପସ୍ଥିତ ରହିଥିଲେ । ବାଲେଶ୍ୱର ଓ ବଳଙ୍ଗା ଅଘଟଣ ପରେ, ଆକ୍ସନ ମୋଡ଼ରେ ସରକାର ।