ଶଙ୍ଖ ଭବନରେ ବିଜେଡିର ମିଶ୍ରଣ ପର୍ବ: ବିଜେଡିରେ ଯୋଗଦେଲେ ପ୍ରକାଶ ବେହେରା

ଶଙ୍ଖ ଭବନରେ ବିଜେଡିର ମିଶ୍ରଣ ପର୍ବ ଅନୁଷ୍ଠିତ । ସାଂସଦ ମାନସ ମଙ୍ଗରାଜଙ୍କ ଉପସ୍ଥିତିରେ ମିଶ୍ରଣ ପର୍ବ । ବିଜେଡିରେ ଯୋଗଦେଲେ ପ୍ରକାଶ ବେହେରା । ସାଲେପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ତଥା କଟକ ଜିଲ୍ଲା ବିଜେପିର ପୂର୍ବତନ ସଭାପତି ଥିଲେ ପ୍ରକାଶ ଚନ୍ଦ୍ର ବେହେରା । ଆଜି ସମର୍ଥକଙ୍କ ସ‌ହ ଆନୁଷ୍ଠାନିକ ଭାବେ ବିଜେଡିରେ ଯୋଗ ଦେଇଛନ୍ତି ପ୍ରକାଶ । ଏହି ମିଶ୍ରଣ ପର୍ବରେ ସାଂସଦ ସସ୍ମିତ ପାତ୍ର, ବିଧାୟକ ପ୍ରତାପ ଜେନା, ଅଂଶୁମାନ ମହାନ୍ତି, ବିଧାୟକ ପ୍ରଶାନ୍ତ ବେହେରା ଉପସ୍ଥିତ ଅଛନ୍ତି ।

ଭୁବନେଶ୍ୱର: ଆଜି ଶଙ୍ଖ ଭବନରେ ବିଜେଡିରେ ସାମିଲ ହେଲେ ପୂର୍ବତନ ସାଲେପୁର ବିଧାୟକ ପ୍ରକାଶ ବେହେରା । କିଛି ଦିନ ତଳେ ସେ ବିଜେପିରୁ ଇସ୍ତଫା ଦେଇଥିଲେ । ସେ କଟକ ସଦର ବିଜେପି ସଭାପତି ଥିଲେ । ୨୦୧୪ ରେ ସେ କଂଗ୍ରେସ ଟିକେଟରୁ ଜିତି ସାଲେପୁର ବିଧାୟକ ହୋଇଥିଲେ. ହେଲେ ୨୦୧୯ ରେ ବିଜେପି ଟିକେଟରୁ ପରାଜୟ ହୋଇଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ପକ୍ଷରୁ ପ୍ରକାଶ ଓ ତାଙ୍କ ସମର୍ଥକଙ୍କୁ ଦଳକୁ ସ୍ୱାଗତ କରିଛନ୍ତି ସାଂସଦ ମାନସ ରଞ୍ଜନ ମଙ୍ଗରାଜ ।

ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ରାପଡ଼ା ବିଜେଡି ଲୋକସଭା ପ୍ରାର୍ଥୀ ଅଂଶୁମାନ ମହାନ୍ତି, ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା, ମାହାଙ୍ଗା ବିଧାୟକ ପ୍ରତାପ ଜେନା, ସାଂସଦ ସସ୍ମିତ ପାତ୍ର ଓ ବିଜେଡି ମିଡ଼ିଆ ସଂଯୋଜକ ପ୍ରିୟବ୍ରତ ମାଝୀ ଉପସ୍ଥିତ ଥିଲେ।  ମାନସ ମଙ୍ଗରାଜ କହିଛନ୍ତି, ଆଜି ପ୍ରକାଶ ଚନ୍ଦ୍ର ବେହେରା ବିଜେଡିରେ ସାମିଲ ହୋଇଛନ୍ତି । ସେ ବିଜେପି ଛାଡି ଆଜି ବିଜେଡିରେ ବିଧିବଦ୍ଧ ଭାବେ ଯୋଗଦାନ କରୁଛନ୍ତି । ତାଙ୍କ ଯୋଗଦାନରେ ବିଜେଡି କଟକ ଜିଲ୍ଲା ଓ ସାଲେପୁରରେ ଆହୁରି ସଶକ୍ତ ହେବ । ତାଙ୍କ ସହ ଅନେକ ପଂଚାୟତ ନେତା ଯୋଗ ଦେଇଛନ୍ତି । ସମସ୍ତଙ୍କୁ ସ୍ୱାଗତ ଓ ଅଭିନନ୍ଦନ ଜଣାଇଲେ ମାନସ ମଙ୍ଗରାଜ।

ପ୍ରତାପ ଜେନା କହିଛନ୍ତି, ଆଜି ଶଙ୍ଖ ଭାବନରେ କେବଳ ମିଶ୍ରଣ ନୁହେଁ, ମହାମିଶ୍ରଣ ପର୍ବ ହୋଇଛି । ପୂର୍ବତନ ବିଧାୟକ ପ୍ରକାଶ ବେହେରା ମୋ ସାନ ଭାଇ ବିଜେଡିରେ ମିଶିଲେ।  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଲୋକାଭିମୁଖୀ କାର୍ଯ୍ୟକ୍ରମରେ ଆକର୍ଷିତ ହୋଇ ପ୍ରକାଶଙ୍କ ସହ କଟକ ଓ କେନ୍ଦ୍ରାପଡ଼ା ଜିଲ୍ଲାର ବିଜେପି ନେତା ବିଜେଡିରେ ସାମିଲ ହେଲେ । ଏହି ମିଶ୍ରଣ ଦ୍ୱାରା ବିଜେଡି ଆହୁରି ଶକ୍ତିଶାଳୀ ହେବ।  ଏକ ନମ୍ବର ମୁଖ୍ୟମନ୍ତ୍ରୀଙ୍କ ଜରିଆରେ ଉନ୍ନତି ଆହୁରି ତ୍ୱରାନ୍ୱିତ ହେବ ।

ପ୍ରଶାନ୍ତ ବେହେରା କହିଛନ୍ତି, ଆଜି ପ୍ରକାଶ ବେହେରା ବିଜେପି ଛାଡି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଅନୁପ୍ରାଣିତ ହୋଇ ବିଜେଡିରେ ମିଶିଲେ । ଏଥିପାଇଁ ସ୍ୱାଗତ। ମିଳିମିଶି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ସାଲେପୁରରେ ବିଜେଡିକୁ ଆହୁରି ସଶକ୍ତ କରି ବିଜେଡି ଗଡ଼ କରିବୁ । ଅଂଶୁମାନ ମହାନ୍ତି କହିଛନ୍ତି ଯେ, ମହାମିଶ୍ରଣ ପର୍ବ ଇତିହାସରେ ଲିପିବଦ୍ଧ ହୋଇ ରହିବ । ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ମାଟିରୁ ଆସିଥିବା ସବୁ ନେତାଙ୍କ ସମେତ ଉପସ୍ଥିତ ନେତାଙ୍କୁ ସ୍ୱାଗତ । ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ସାଲେପୁର ମାଟିକୁ ବିଜେଡିକୁ ଆହୁରି ଆଗକୁ ନେବାକୁ ସମସ୍ତେ ମିଶିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଲକ୍ଷ୍ୟ, ସାଲେପୁରର ବିକାଶ ।

ସସ୍ମିତ ପାତ୍ର କହିଛନ୍ତି ପ୍ରକାଶ ବେହେରାଙ୍କୁ ସ୍ୱାଗତ। ଏହା ବିକାଶ ପାଇଁ ମହାମିଶ୍ରଣ। ଓଡ଼ିଶାକୁ ୨୦୩୬ ସୁଦ୍ଧା ବିକଶିତ କରିବାକୁ ସାଲେପୁର ଏକ ମାଇଲଖୁଣ୍ଟ ହେବ । ଓଡ଼ିଶାକୁ ଏକ ନମ୍ବର ରାଜ୍ୟ କରିବାର ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନ ସାକାର ହେବ । ପ୍ରକାଶ ବେହେରା କହିଛନ୍ତି, ଆଜି ନିଶ୍ଚିତ ଭାବେ ଏକ ସମସ୍ତଙ୍କ ଗୁରୁତ୍ୱପୂର୍ଣ୍ଣ ଦିନ । ଓଡ଼ିଶାକୁ ଶୀର୍ଷରେ ପହଞ୍ଚାଇବା ପାଇଁ ମୁଖ୍ୟମନ୍ତ୍ରୀ ପ୍ରଚେଷ୍ଟା କରି ଚାଲିଛନ୍ତି । ତାଙ୍କ ପାଇଁ ବିଜେଡିରେ ଯୋଗ ଦେଲୁ । ମୁଁ ଅତ୍ୟନ୍ତ ଖୁସି ବିଜେଡିରେ ଗ୍ରହଣ ହୋଇଥିବାରୁ । ଏଥି ପାଇଁ ମୁଖ୍ୟମନ୍ତ୍ରୀ, ସଂଗଠନ ସମ୍ପାଦକ ଓ ନେତୃ ମଣ୍ଡଳୀକୁ କୃତଜ୍ଞତା ଜଣାଇଲି। ସମସ୍ତେ ତୃଣମୂଳ ସ୍ତରରେ ଲୋକଙ୍କ ପାଇଁ କାମ କରିବା । ମୁଖ୍ୟମନ୍ତ୍ରୀଙ୍କ ନିର୍ମଳ ଭାବମୂର୍ତ୍ତି ଓ ବିକାଶ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ବିଜେଡିରେ ମିଶିଲୁ । ସାଲେପୁର ବିକାଶ ପାଇଁ କାମ କରିବା । ମୁଁ ଜଣେ ରାଜନୈତିକ କର୍ମୀ । ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଆମେ ମାନିବୁ ବୋଲି କହିଛନ୍ତି ପ୍ରକାଶ ବେହେରା।