ରାଜ୍ୟର ପ୍ରଥମ କିନ୍ନର ଆଇନଜୀବୀ ଭାବେ ପଞ୍ଜିକୃତ ହୋଇଛନ୍ତି କେନ୍ଦୁଝରର ସଲମା

ଭୁବନେଶ୍ୱର: ଆଗକୁ ବଢୁଛନ୍ତି କିନ୍ନର । ରାଜ୍ୟରେ କିନ୍ନରଙ୍କୁ ଦିଆଯାଉଛି ସରକାରୀ ପ୍ରୋତ୍ସାହନ । ବିଭିନ୍ନ କ୍ଷେତ୍ରରେ କିନ୍ନର ନିଜର ପାରଦର୍ଶିତା ଦେଖାଇ ସାରିଥିବା ବେଳେ ଏବେ ଆଇନଜୀବୀ ପେସାରେ ପାଦ ଥାପିଛନ୍ତି । ରାଜ୍ୟର ପ୍ରଥମ କିନ୍ନର ଭାବେ ପଞ୍ଜିକୃତ ହୋଇଛନ୍ତି ବଡବିଲର ସଲମା ବେଗମ୍ । ସଲମାଙ୍କ ସଫଳତାକୁ ନେଇ କିନ୍ନର ସମ୍ପ୍ରଦାୟ ବେଶ୍ ଉତ୍ସାହିତ ।

ରାଜ୍ୟର ପ୍ରଥମ କିନ୍ନର ଆଇନଜୀବୀ । ଓଡ଼ିଶା ରାଜ୍ୟ ବାର କାଉନ୍‌ସିଲରେ ପଞ୍ଜିକୃତ ହୋଇଛନ୍ତି କେନ୍ଦୁଝର ଜିଲ୍ଲା ବଡବିଲ ଅଞ୍ଚଳର ମହମ୍ମଦ୍ ସଲିମ୍ ଓରଫ୍ ସଲମା ବେଗମ୍ । ସଲମା ବଡବିଲ ମହାବିଦ୍ୟାଳୟରୁ ବିଜ୍ଞାନରେ ସ୍ନାତକ ଡିଗ୍ରୀ ପରେ ଆଇନ ଡିଗ୍ରୀ ହାସଲ କରିଛନ୍ତି । ନିକଟରେ ରାଜ୍ୟ ବାର କାଉନ୍‌ସିଲରେ ନିଜକୁ ପଞ୍ଜିକୃତ କରିଛନ୍ତି । ଆଗକୁ ସେ ଆଇନରେ ସ୍ନାତକୋତ୍ତର ଡିଗ୍ରୀ କରିବା ସହ ଜୁଡିସିଆଲ ଲାଇନରେ ଚେଷ୍ଟା କରି ଜଣେ ବିଚାରପତି ହେବାର ସ୍ୱପ୍ନ ଦେଖିଛନ୍ତି । ସଲମା ରାଜ୍ୟ କିନ୍ନର ମହାସଂଘ ସଭାନେତ୍ରୀ ମୀରା ପରିଡାଙ୍କ ଚେଲା ଓ ସେ ଏଥିପାଇଁ ସବୁ ଶ୍ରେୟ ତାଙ୍କ ଗୁରୁ ମୀରା ପରିଡ଼ାଙ୍କୁ ଦେଇଛନ୍ତି ।

ପୂର୍ବରୁ କିନ୍ନରଙ୍କ ମଧ୍ୟରୁ ଟାଟା ଭଳି କମ୍ପାନୀରେ ମ୍ୟାନେଜର ଓ ବିକ୍ରୀକର ବିଭାଗର ଅଧିକାରୀ ଭାବେ କାର୍ଯ୍ୟ କରିସାରିଛନ୍ତି । ଏବେ ଆଇନଜୀବୀ ଭାବେ ସଲମା ନିଜ ବୃତ୍ତି ଆରମ୍ଭ କରିବାକୁ ଯାଉଥିବାରୁ କିନ୍ନର ସମ୍ପ୍ରଦାୟଙ୍କ ମଧ୍ୟରେ ଖୁସିର ଲହରୀ ଦେଖିବାକୁ ମିଳିଛି । ସଲମା ଅନ୍ୟମାନଙ୍କ ପାଇଁ ଯେ କେବଳ ପ୍ରେରଣା ଯୋଗାଇବେ ତାହା ନୁହଁ ବରଂ ସେ କିନ୍ନର ଗୋଷ୍ଠୀଙ୍କ ବିଭିନ୍ନ ସମସ୍ୟାର ସମାଧାନ କ୍ଷେତ୍ରରେ ମଧ୍ୟ ଆଇନଗତ ସହାୟତା ପ୍ରଦାନ କରିପାରିବେ ବୋଲି କହିଛନ୍ତି କିନ୍ନର ନେତ୍ରୀ ।  ସଲମା ଜଣେ କିନ୍ନର ହୋଇଥିଲେ ସୁଦ୍ଧା ନିଜ ପରିବାର ସହିତ ରହି ପାଠପଢାକୁ ପ୍ରାଥମିକତା ଦେଇଛନ୍ତି ।