ବିଜେପି ବିଜୟରେ ଦୁଃଖି ସାପା କର୍ମୀ ଦେହରେ ଲଗାଇଲେ ନିଆଁ

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ବିଧାନସଭା ଭୋଟ ଗଣତି ଆଗେଇବାରେ ଲାଗିଛି । ବିଜେପି ନେତୃତ୍ବରେ ଏନଡିଏ ବହୁମତ ସହ ପୁଣି ଥରେ କ୍ଷମତାକୁ ଫେରିବା ସ୍ପଷ୍ଟ ହୋଇସାରିଛି । ବିଜେପିର ଏହି ମହା ବିଜୟରେ ଦୁଃଖି ବିରୋଧୀ ସମାଜବାଦୀ ପାର୍ଟିର ଜଣେ କାର୍ଯ୍ୟକର୍ତ୍ତା ରାଜଧାନୀ ଲକ୍ଷ୍ନୌରେ ବିଜେପି କାର୍ଯ୍ୟାଳୟ ଆଗରେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁସାରେ, ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିବା ବ୍ୟକ୍ତି ଜଣଙ୍କ କାନପୁର ନଗର ବାସିନ୍ଦା ନରେନ୍ଦ୍ର ସିଂ ଓରଡ଼ ପିଣ୍ଟୁ ଠାକୁର । ସାପାର ପରାଜୟରେ ହତାଶ ହୋଇ ସେ ବିଜେପି କାର୍ଯ୍ୟାଳୟ ପାଖରେ ପହଁଞ୍ଚି ନିଜ ଦେହରେ ନିଆଁ ଲଗାଇ ଦେଇଥିଲେ ।

ନିଆଁ ଲାଗିବା ପରେ ଚିତ୍କାର କରି ଏଣେ ତେଣେ ଦୌଡ଼ିବାକୁ ଲାଗିଥିଲେ ପିଣ୍ଟୁ । ସେଠାରେ ଉପସ୍ଥିତ ପୋଲିସ କର୍ମୀ ଯେଣେ ତେଣେ ପ୍ରକାରେ ନିଆଁକୁ ଆୟତ୍ତ କରିବାକୁ ସକ୍ଷମ ହୋଇଥିଲେ । ତାଙ୍କୁ ତୁରନ୍ତ ସିଭିଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।