ସ୍ବାଭାବିକ ସ୍ଥିତିକୁ ଫେରୁଛି ସମ୍ବଲପୁର, ପରୀକ୍ଷାର୍ଥୀଙ୍କ ପାଇଁ କର୍ଫ୍ୟୁ କୋହଳ

1 min read

ସମ୍ବଲପୁର: ସ୍ୱାଭାବିକ ସ୍ଥିତିକୁ ଫେରୁଛି ସମ୍ବଲପୁର । ସମ୍ବଲପୁରରେ  କର୍ଫ୍ୟୁ ଭିତରେ ଆରମ୍ଭ ହୋଇଛି  CDS ଓ ASO ପରୀକ୍ଷା ।  ପରୀକ୍ଷାର୍ଥୀ କିଭଳି ଭାବେ ରେଳ ଷ୍ଟେସନ ଓ ବସଷ୍ଟାଣ୍ଡରୁ ଯାଇ ପରୀକ୍ଷା କେନ୍ଦ୍ରକୁ ବିନା ଅସୁବିଧାରେ ପହଂଚି ପାରିବେ ସେନେଇ ତମାମ ବ୍ୟବସ୍ଥା କରାଯାଇଛି । ରାଜ୍ୟ ତଥା ରାଜ୍ୟ ବାହାର ପରୀକ୍ଷାର୍ଥୀ ସମ୍ବଲପୁର ଆସୁଥିବାବେଳେ ସେମାନଙ୍କର ଖାଇବା ପିଇବାର ସମସ୍ତ ବ୍ୟବସ୍ଥା ଜିଲ୍ଲା ପ୍ରଶାସନ କରିଥିବା ଦେଖିବାକୁ ମିଳିଛି ।  ମୋଟ ୪ଟି ବସର ବ୍ୟବସ୍ଥା କରାଯାଇ ମୁଖ୍ୟ ଷ୍ଟେସନ ଓ ସିଟି ରେଳ ଷ୍ଟେସନରୁ ପରୀକ୍ଷାର୍ଥୀଙ୍କ ସମସ୍ତ ବ୍ୟବସ୍ଥା କରାଯାଇଛି । ସକାଳ ୭ଟା ୩୦ରୁ ୧୦ଟା ୩୦ ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ ହୋଇଛି । ଅପରାହ୍ନ ୪ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ କରାଯାଇଛି । କର୍ଫ୍ୟୁ କୋହଳ ବେଳେ ଲୋକେ ଅତ୍ୟାବଶ୍ୟକ ସାମଗ୍ରୀ ମଧ୍ୟ କିଣିପାରିବେ ।

ଗତକାଲି ସମ୍ବଲପୁରକୁ ଯାଇ ସ୍ଥିତି ସମୀକ୍ଷା କରିଥିଲେ ଡିଜିପି ସୁନୀଲ ବଂଶଲ । ବିଭିନ୍ନ ସ୍ଥାନକୁ ଯାଇ ଆଇନଶୃଙ୍ଖଳା ବ୍ୟବସ୍ଥାର ତଦାରଖ କରିଥିଲେ । ଖୁବଶୀଘ୍ର ସମ୍ବଲପୁରରେ ସ୍ବାଭାବିକ ସ୍ଥିତି ଫେରିବ ବୋଲି ଡିଜିପି କହିଛନ୍ତି । ହିଂସା ସୃଷ୍ଟି କରୁଥିବା ଲୋକଙ୍କ ପ୍ରତି କଠୋର ହେବ ପୋଲିସ । ଶାନ୍ତି ଫେରାଇ ଆଣିବା ପାଇଁ ସମସ୍ତଙ୍କ ସହଯୋଗ ଲୋଡିଛନ୍ତି ଡିଜିପି । ଅନ୍ୟପଟେ ଆସନ୍ତା ୧୭ ତାରିଖ ଦିନ ୧୦ଟା ଯାଏ ଇଣ୍ଟରନେଟ ସେବା ବନ୍ଦ ରହିବ । ସେପଟେ ବାଇକ ରାଲି ବେଳେ ଗଣ୍ଡଗୋଳ ଘଟଣାରେ ୨୬ ଜଣ ଗିରଫ ହୋଇଥିବାବେଳେ ଶୁକ୍ରବାର ପୋଡ଼ାଜଳା ଓ ହିଂସାରେ ୩୦ ଜଣ ଗିରଫ ହୋଇଛନ୍ତି  । ଆଉ ୫୦ ଜଣଙ୍କ ତାଲିକା ପ୍ରସ୍ତୁତ କରି ବିଭିନ୍ନ ସ୍ଥାନରେ ରେଡ୍ କରୁଛି ପୋଲିସ  । ସିସିଟିଭି ଆଧାରରେ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଉଥିବା କହିଛନ୍ତି ଏସପି ।