‘ସନମ ତେରୀ କସମ-୨’ରେ ମାୱରା ହୋକାନଙ୍କୁ କାଷ୍ଟ କରିବା ଉପରେ ରାଗିଗଲେ ପ୍ରଯୋଜକ, କହିଲେ ମୁଁ କ’ଣ ପାଗଳ…

ନନ୍ଦିଘୋଷ ବ୍ୟୁରୋ: ପହଲଗାମ ଆକ୍ରମଣ ଏବଂ ‘ଅପରେସନ ସିନ୍ଦୂର’ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଲାଗି ରହିଛି । ଉଭୟ ଦେଶର ଲୋକମାନେ ନିଜ ନିଜ ଦେଶକୁ ସମର୍ଥନ କରୁଛନ୍ତି। ଏମିତିକ ଅଭିନେତା ଏବଂ ଅଭିନେତ୍ରୀମାନେ ମଧ୍ୟ ନିଜ ଦେଶ ସହିତ ଛିଡ଼ା ହୋଇଛନ୍ତି। ନିକଟରେ ‘ସନମ ତେରୀ କସମ’ ର ହିରୋ ହର୍ଷବର୍ଦ୍ଧନ ରାଣେ କହିଥିଲେ ଯେ ଯଦି ଫିଲ୍ମର ଦ୍ୱିତୀୟ ଭାଗ ତିଆରି ହୁଏ ଏବଂ ଏଥିରେ ପାକିସ୍ତାନୀ ଅଭିନେତ୍ରୀ ମାୱରା ହୋକାନଙ୍କୁ କାଷ୍ଟ କରାଯାଏ, ତେବେ ସେ ଫିଲ୍ମ ଛାଡିଦେବେ । ଏବେ ଫିଲ୍ମର ପ୍ରଯୋଜକ ଦୀପକ ମୁକୁଟ ମଧ୍ୟ ଏହି ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ..
ଏକ ସାକ୍ଷାତକାରରେ ଦୀପକ ମୁକୁଟ କହିଛନ୍ତି ଯେ ପ୍ରଥମ ଭାଗରେ ହିଁ ମାୱରା ଶେଷରେ ମରିଯାଇଛନ୍ତି । ଯଦି ବି ସେ ଜୀବିତ ଥାଆନ୍ତେ, ତେବେ ମଧ୍ୟ ତାଙ୍କୁ ଦ୍ୱିତୀୟ ଭାଗରେ କାଷ୍ଟ କରାଯାଇ ନଥାଆନ୍ତା । ଦୀପକ ଆହୁରି ମଧ୍ୟ କହିଛନ୍ତି ଯେ, “ମୁଁ କ’ଣ ପାଗଳ, ଯେ ତାକୁ ଦ୍ୱିତୀୟ ଭାଗ ପାଇଁ ସାଇନ୍ କରିବି ? ପ୍ରଥମ ଭାଗରେ ହିଁ ତାଙ୍କ ଚରିତ୍ର ମରିଯାଇଥିଲା । ଏବେ ମୁଁ ସିକ୍ୱେଲରେ କ’ଣ ତାଙ୍କୁ ଭୂତ ଭାବରେ ଫେରାଇ ଆଣିବି ? ମୁଁ କାହିଁକି ତାଙ୍କୁ କାଷ୍ଟ କରିବି ? ଏମିତିକି ଯଦି ପ୍ରଥମ ଭାଗରେ ସେ ଜୀବିତ ରହିଥାନ୍ତେ ତେବେ ମଧ୍ୟ ମୁଁ ତାକୁ ସିକ୍ୱେଲରେ ରଖି ନଥାନ୍ତି। କୌଣସି ପ୍ରଶ୍ନ ଉଠୁନାହିଁ। ଆମ ଦେଶରେ ପ୍ରତିଭାବାନ ଅଭିନେତ୍ରୀଙ୍କ ଅଭାବ ନାହିଁ।”
ଦୀପକ ମୁକୁଟ କହିଛନ୍ତି ଯେ ‘ସନମ ତେରୀ କସମ’ର ସିକ୍ୱେଲର କାମ ଆରମ୍ଭ ହୋଇଯାଇଛି । ସ୍କ୍ରିପ୍ଟିଂ ଜାରି ରହିଛି । ସେ କହିଛନ୍ତି ଯେ ଏହାର ଆନୁଷ୍ଠାନିକ ଘୋଷଣା ଖୁବ୍ ଶୀଘ୍ର କରାଯିବ । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବ । ହଁ, ମାୱରା ବିଷୟରେ କହିବାକୁ ଗଲେ, ସେ ପାକିସ୍ତାନକୁ ସମର୍ଥନ କରିଥିଲେ ଏବଂ ଭାରତର ପ୍ରତିଶୋଧମୂଳକ କାର୍ଯ୍ୟକୁ ‘କାପୁରୁଷ’ ବୋଲି କହିଥିଲେ । ଏହା ପରେ, ସୋସିଆଲ ମିଡିଆରେ ତାଙ୍କର ଏବଂ ହର୍ଷବର୍ଦ୍ଧନଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ହର୍ଷବର୍ଦ୍ଧନ କହିଥିଲେ ଯେ ନିଜ ଦେଶ ସହିତ ଠିଆ ହେବା ଭଲ କଥା କିନ୍ତୁ ଅନ୍ୟ ଦେଶକୁ ଅପମାନିତ କରିବା କିମ୍ବା ଘୃଣା ପ୍ରସାର କରିବା ଠିକ୍ ନୁହେଁ।
‘ସନମ୍ ତେରୀ କସମ୍’ ୨୦୧୬ରେ ମୁକ୍ତିଲାଭ କରିଥିଲା। ଏହି ଫିଲ୍ମରେ ମାୱରା ଏବଂ ହର୍ଷବର୍ଦ୍ଧନଙ୍କ ଯୋଡ଼ିକୁ ବହୁତ ପସନ୍ଦ କରାଯାଇଥିଲା। ରାଧିକା ରାଓ ଏବଂ ବିନୟ ସାପ୍ରୁଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟି ସେତେବେଳେ ବକ୍ସ ଅଫିସରେ ସଫଳ ହୋଇନଥିଲା। କିନ୍ତୁ ପରେ ଏହା ଯୁବପିଢ଼ିଙ୍କ ମଧ୍ୟରେ ବହୁତ ଲୋକପ୍ରିୟ ହୋଇଗଲା। ଏହାର ଲୋକପ୍ରିୟତା ଦେଖି, ଏହାକୁ ୨୦୨୫ ମସିହାରେ ପୁନଃ ମୁକ୍ତିଲାଭ କରାଯାଇଥିଲା, ବରଂ ଏହାର ସିକ୍ୱେଲ୍ ଆସିବ ବୋଲି ମଧ୍ୟ ଘୋଷଣା କରାଯାଇଥିଲା।