ବାଲି ଚୋରା ଚାଲାଣ ବେଳେ ଚଢ଼ାଉ, ଗଞ୍ଜାମ ଅତିରିକ୍ତ ତହସିଲଦାର ଓ ତିନି RIଙ୍କୁ ମାଫିଆଙ୍କ ଆକ୍ରମଣ

ଗଞ୍ଜାମ: ବାଲି ଚୋରା ଚାଲାଣ ସମୟରେ ଚଢ଼ାଉ ବେଳେ ଗଞ୍ଜାମ ଅତିରିକ୍ତ ତହସିଲଦାର ଓ ତିନି ଜଣ ଆରଆଇଙ୍କୁ ବାଲି ମାଫିଆ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଆକ୍ରମଣରେ ଆହତ ହୋଇଛନ୍ତି ଅତିରିକ୍ତ ତହସିଲଦାର ଶୁଭେନ୍ଦୁ କୁମାର ଜେନା, ଆରଆଇ ଭାସ୍କର ସାହୁ, ସୀତାରାମ ସାହୁ ଓ ସୁଶାନ୍ତ କୁମାର ବେହେରା । ଖବର ପାଇ ଛତ୍ରପୁର ଏସଡିପିଓ ଗୌତମ କିଷାନ, ଗଞ୍ଜାମ ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି ।

ସୂଚନା ଅନୁସାରେ ମାଳିଜଗନ୍ନାଥପୁର ଗ୍ରାମ ନିକଟ ଋଷିକୁଲ୍ୟା ନଦୀ ନିକଟରେ ରାତିରେ ବେଆଇନ ଭାବେ ବାଲି ଚୋରା ଚାଲାଣ ହେଉଥିବା ଖବର ପାଇ ଚଢ଼ାଉ ହୋଇଥିଲା । ଏହି ସମୟରେ ୪ ଜଣ ବାଲି ମାଫିଆ ହଠାତ ସେମାନଙ୍କୁ ଆକ୍ରମଣ କରିଥିଲେ । ଏପରିକି ପିସ୍ତଲ ଦେଖାଇ ଭୟଭୀତ କରିବା ସହ ମୁଦି, ସୁନା ଚେନ, ମୋବାଇଲ ଫୋନ୍, ପର୍ସ ଛଡ଼ାଇ ନେଇଥିଲେ । ଏନେଇ ଅଭିଯୋଗ ପରେ ଛତ୍ରପୁର ପୋଲିସ ଘଟଣାର ତଦନ୍ତ କରୁଛି ।