ନନ୍ଦିଘୋଷ ବ୍ୟୁରୋ: କୋଲକାତା ଆରଜି କର ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ ଛାତ୍ରୀ ଦୁଷ୍କର୍ମ ଓ ହତ୍ଯା ମାମଲା। ମୁଖ୍ଯ ଅଭିଯୁକ୍ତ ସଞ୍ଜୟ ରୟ ଓ ଅନ୍ଯ ୬ ଅଭିଯୁକ୍ତଙ୍କ ହୋଇଛି ପଲିଗ୍ରାଫ ଟେଷ୍ଟ। ଏହି ୬ ଜଣଙ୍କ ମଧ୍ଯରେ ଅଛନ୍ତି ପୂର୍ବତନ ପ୍ରିନସିପାଲ ସନ୍ଦୀପ ଘୋଷ। ଦିଲ୍ଲୀରୁ ଆସିଥିବା ସେଣ୍ଟ୍ରାଲ ଫରେନସିକ ସାଇନସ ଲାବରେଟୋରୀର ଏକ ମେଡିକାଲ ଟିମ କରିଛନ୍ତି ପଲିଗ୍ରାଫ ଟେଷ୍ଟ। ସେପଟେ କୋଲକାତା ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲର ସମସ୍ତ ତଦନ୍ତଯୋଗ୍ଯ ନଥିକୁ ସିବିଆଇକୁ ହସ୍ତାନ୍ତର କରିଛି ଏସଆଇଟି। ଆର୍ଥିକ ଅନିୟମିତତାର ତଦନ୍ତ ଭାର ସିବିଆଇକୁ ହସ୍ତାନ୍ତର କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି କୋଲକାତା ହାଇକୋର୍ଟ। ପୂର୍ବତନ ଅଧ୍ଯକ୍ଷ ସନ୍ଦୀପ ଘୋଷଙ୍କ କାର୍ଯ୍ୟକାଳରେ ହୋଇଥିବା ଅନିୟମିତତାର ତଦନ୍ତ କରିବ ସିବିଆଇ। ଗତକାଲି ଦୁଷ୍କର୍ମ ଓ ହତ୍ଯା ଘଟଣାରେ ୧୪ ଦିନିଆ ବିଚାର ବିଭାଗୀୟ ହେପାଜତକୁ ଯାଇଥିଲା ଅଭିଯୁକ୍ତ ସଞ୍ଜୟ ରୟ। ପଶ୍ଚିମବଙ୍ଗର ସିଆଲଦାର ଅତିରିକ୍ତ ଚିଫ ଜୁଡିସିଆଲ ମାଜିଷ୍ଟ୍ରେଟ ବିଚାର ବିଭାଗୀୟ ହେପାଜତକୁ ଯିବା ଲାଗି ଅନୁମତି ଦେଇଥିଲେ। ଗିରଫ ହୋଇଥିବା ଅଭିଯୁକ୍ତ ସଞ୍ଜୟ ରୟ ଅଗଷ୍ଟ ୯ ତାରିଖ ରାତିରେ ମେଡିକାଲ ଭିତରକୁ ପ୍ରବେଶ କରୁଥିବାର ସିସିଟିଭି ଭିଜୁଆଲ ସିବିଆଇ ପାଇଥିଲା।

