ରାଜନୈତିକ ଫାଇଦା ହାସଲ ପାଇଁ ବିଜେପି ଗୁଣ୍ଡାଶ୍ରେଣୀୟ ନେତାଙ୍କୁ କୋଳାଇ ନେଉଛି: ସସ୍ମିତ ପାତ୍ର

ଭୁବନେଶ୍ୱର: ହିଂସା କିମ୍ବା ସାଧାରଣ ଜୀବନଯାତ୍ରାରେ ବାଧା ସୃଷ୍ଟି କରିବାରେ ବିଶ୍ବାସ କରେନି ବିଜେଡି । ଏଭଳି କୌଣସି ଘଟିଥିବା ବିଜେଡି ପାଖରେ ସୂଚନା ନାହିଁ । ଏଭଳି ଘଟଣା ହୋଇଥିଲେ ପ୍ରଥମେ ବିଜେଡି ହିଁ ଏହାକୁ ନିନ୍ଦା କରିଥାନ୍ତା ବୋଲି ବିଜେଡି ସାଂସଦ ସସ୍ମିତ ପାତ୍ର କହିଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସେ ଉଦାହରଣ ଦେଇଛନ୍ତି । ତତ୍କାଳୀନ ଚିଲିକା ବିଜେଡି ବିଧାୟକ ପ୍ରଶାନ୍ତ ଜଗଦେବ ବାଲୁଗାଁରେ ବିଜେପିର ନଗର ମଣ୍ଡଳ ସଭାପତି ନିରଞ୍ଜନ ସେଠୀଙ୍କୁ ୨୦୨୧ରେ ଆକ୍ରମଣ କରିଥିଲେ । ତୁରନ୍ତ ଜଗଦେବଙ୍କୁ ବିଜେଡିରୁ ନିଲମ୍ବନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଏହାପରେ ତାଙ୍କୁ ଦଳରୁ ବହିଷ୍କାର ମଧ୍ୟ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ହିଂସା ଓ ଗୁଣ୍ଡାଗର୍ଦ୍ଦିରେ ବିଶ୍ବାସ କରନ୍ତିନି । ଏହାସତ୍ତ୍ବେ ବି ପ୍ରଶାନ୍ତଙ୍କୁ ବିଜେପି କୋଳାଇ ନେବାକୁ ଦ୍ବିଧାବୋଧ କରୁନି । ବିଜେପିରେ ଯୋଗ ଦେବା ପାଇଁ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟି ଆଶୀର୍ବାଦ ନେଉଛନ୍ତି ଜଗଦେବ । ଏହାଦ୍ବାରା କେଉଁ ଉଦାହରଣ ସୃଷ୍ଟି କରିବାକୁ ଧର୍ମେନ୍ଦ୍ର ଚାହୁଁଛନ୍ତି ବୋଲି ସସ୍ମିତ ପ୍ରଶ୍ନ କରିଛନ୍ତି । ଏନେଇ ରାଜ୍ୟବାସୀଙ୍କୁ କଣ ଉତ୍ତର ଦେବେ । ଗୁଣ୍ଡାଗର୍ଦ୍ଦି ପାଇଁ ଯେଉଁ ନେତାଙ୍କୁ ବିଜେଡି ଦଳରୁ ବହିଷ୍କାର କରିଛି, ତାଙ୍କୁ କୋଳେଇ ନେଇ ବିଜେପି କେବଳ ରାଜନୈତିକ ଫାଇଦା ଉଠାଇବାକୁ ଚାହୁଁଛି । ଗଣତନ୍ତ୍ରକୁ ନେଇ ଧର୍ମେନ୍ଦ୍ରଙ୍କ ବୟାନ ଧୁଆଁବାଣ, ଏକଥା ଲୋକେ ଜାଣିବେ ବୋଲି ସସ୍ମିତ କହିଛନ୍ତି ।