ବିଜେପି ଉପରେ ବିଜେଡ଼ିର ଶାଣିତ ଆକ୍ରମଣ, ବିଜେପିକୁ ଜମି ମାଫିଆ ଓ ଗୁଣ୍ଡାଙ୍କ ଦଳ କହିଲେ ମୁଖପାତ୍ର ସସ୍ମିତ ପାତ୍ର

ଭୁବନେଶ୍ୱର: ବିଜେପିର କେନ୍ଦ୍ରୀୟ ନେତୃତ୍ୱ ରାଜ୍ୟ ବିଜେପିର ଠକ, ଜମି ମାଫିଆ ଓ ଗୁଣ୍ଡା ଶ୍ରେଣୀର ନେତାଙ୍କ ପାଇଁ ନିର୍ବାଚନ ପ୍ରଚାର କରୁଛନ୍ତି। ଏଭଳି ସଂଗୀନ ଅଭିଯୋଗ ଆଣିଛି ବିଜେଡ଼ି। ରବିବାର ଦିନ ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏଭଳି ଅଭିଯୋଗ ଆଣିଛନ୍ତି ବରିଷ୍ଠ ମୁଖପାତ୍ର ସସ୍ମିତ ପାତ୍ର। ବିଜେପିକୁ ଜମି ମାଫିଆ, ଠକ ଓ ଗୁଣ୍ଡାଙ୍କ ଦଳ ଭାବେ ବର୍ଣ୍ଣନା କରି ସସ୍ମିତ କହିଛନ୍ତି ଯେ, ନିର୍ବାଚନ ପ୍ରଚାର ପାଇଁ ଆସୁଥିବା ବିଜେପିର କେନ୍ଦ୍ରୀୟ ନେତୃତ୍ୱ ଶୁଆ ଭଳି ସେମାନଙ୍କୁ କୁହାଯାଉଥିବା କଥାକୁ କହୁଛନ୍ତି। ସେମାନେ ଜମି ମାଫିଆ ବିରୋଧରେ କହୁଥିବା ବେଳେ ନିଜ ଦଳରେ ଥିବା ଜମି ମାଫିଆଙ୍କ ପାଇଁ ପ୍ରଚାର କରୁଛନ୍ତି। ସେହିଭଳି ବିଜେପିରେ ଗୁଣ୍ଡାଗର୍ଦ୍ଦିର ପୋଷ୍ଟର ବୟ ଭାବେ ପ୍ରଶାନ୍ତ ଜଗଦ୍ଦେବ ଉଭା ହୋଇଛନ୍ତି ବୋଲି ସେ କହିଛନ୍ତି।

ବୈଜୟନ୍ତ ଜମି ମାଫିଆ
ସସ୍ମିତ ପାତ୍ର ସିଧାସଳଖ ବୈଜୟନ୍ତ ପଣ୍ଡାଙ୍କ ନାମ ନେଇ କହିଛନ୍ତି ଯେ, ବିଜେପିର କେନ୍ଦ୍ରୀୟ ନେତୃତ୍ୱ ବୈଜୟନ୍ତଙ୍କୁ ପାଖରେ ବସାଇ ଜମି ମାଫିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନର କଥା କହୁଛନ୍ତି । କିନ୍ତୁ ସେମାନେ ଭୁଲି ଯାଉଛନ୍ତି ଯେ, ଖୋଦ ବୈଜୟନ୍ତ ନିଜେ ଜମି ଜବରଦଖଲକାରୀ । ବୈଜୟନ୍ତଙ୍କୁ ସବୁଠାରୁ ବଡ଼ ଜମି ଜବରଦଖଲକାରୀ ଭାବେ ବର୍ଣ୍ଣନା କରି ସେ ପଚାରିଥିଲେ ଯେ, ସାରୁଅ ଜମି ଜବର ଦଖଲ କିଏ କରିଥିଲା ? ସେହିଭଳି ବୈଜୟନ୍ତଙ୍କ ମାଲିକାନାରେ ଥିବା ଟିଭି ଚ୍ୟାନେଲ ବିରୋଧରେ ମଧ୍ୟ ଜମି ଜବରଦଖଲ ମାମଲା ଥିବା ସସ୍ମିତ କହିଥିଲେ ।

ବାହାମାସ ସ୍କାଣ୍ଡାଲ ଭିତରକୁ ବୈଜୟନ୍ତଙ୍କୁ ଟାଣିଲେ
ବୈଜୟନ୍ତଙ୍କ ବିରୋଧ ହାୱାଲା କାରବାରର ଅଭିଯୋଗ ଆଣି ସସ୍ମିତ ବାହାମାସ ସ୍କାଣ୍ଡାଲ କଥା ଉଲ୍ଲେଖ କରିଥିଲେ । କିଛି ବର୍ଷ ତଳେ ବାହାମସା ସ୍କାଣ୍ଡାଲରେ ବୈଜୟନ୍ତଙ୍କ ନାମ କେମିତି ଆସିଥିଲା ସେ କଥା ସେ ଉଲ୍ଲେଖ କରିଥିଲେ । ସେ କହିଥିଲେ ଯେ, ବାହାମାସରେ ଥିବା ତିନୋଟି ଭୂତ କମ୍ପାନୀ ଦ୍ୱାରା ହାୱାଲା ମଧ୍ୟରେ କଳାଟଙ୍କା କାରବାର ହେଉଥିଲା । ଏହିଭଳି ଅନେକ ମାମଲାରେ ବୈଜୟନ୍ତଙ୍କ ନାମ ଆସିବା ପରେ ତାଙ୍କୁ ବିଜେଡି଼ରୁ ବହିଷ୍କାର କରାଯାଇଥିଲା ବୋଲି ସସ୍ମିତ କହିଥିଲେ ।

ଗୁଣ୍ଡାଙ୍କୁ ପାଳୁଛି ବିଜେପି
ବିଜେପି କେମିତି ଗୁଣ୍ଡାମି କରୁଥିବା ନେତାଙ୍କ ଆଶ୍ରୟସ୍ଥଳୀ ପାଲଟିଛି ତାକୁ ନେଇ ମଧ୍ୟ ସସ୍ମିତ ବିଜେପିକୁ ଟାର୍ଗେଟ୍ କରିଥିଲେ । ପ୍ରଶାନ୍ତ ଜଗଦ୍ଦେବଙ୍କ ଉଦାହରଣ ଦେଇ ସେ କହିଥିଲେ ଯେ, ଗୋଟିଏ ସମୟରେ ପ୍ରଶାନ୍ତ ଜଗଦ୍ଦେବ ମଦ୍ୟପାନ କରି ବିଜେପି କର୍ମୀଙ୍କ ଉପରେ ଗାଡ଼ି ଚଢାଇବାକୁ ଉଦ୍ୟମ କରିଥିଲେ । ତାଙ୍କର ଏଭଳି ଆଚରଣକୁ ନାପସନ୍ଦ କରି ବିଜେଡି ତାଙ୍କୁ ଦଳରୁ ବହିଷ୍କାର କରିଥିଲା । କେବଳ ଏତିକି ନୁହେଁ ଖୋର୍ଦ୍ଧା ଟାଉନ ବିଜେପି ସଭାପତିଙ୍କ ଉପରେ ମଧ୍ୟ ପ୍ରଶାନ୍ତ ଆକ୍ରମଣ କରିଥିଲେ। କିନ୍ତୁ ସେହି ପ୍ରଶାନ୍ତଙ୍କୁ ଏବେ ବିଜେପି କେବଳ କୋଳାଇ ନେଇ ନାହିଁ, ତାଙ୍କୁ ଟିକେଟ୍ ମଧ୍ୟ ଦେଇଛି । ପ୍ରଶାନ୍ତ ଜଗଦ୍ଦେବଙ୍କୁ ଗୁଣ୍ଡାଗର୍ଦ୍ଦିର ପୋଷ୍ଟର ବୟ ଭାବେ ବର୍ଣ୍ଣନା କରି ଶନିବାର ଦିନ ଭୋଟ୍ ବେଳେ ତାଙ୍କ ଆଚରଣକୁ ସସ୍ମିତ ନିନ୍ଦା କରିଥିଲେ। ଏହା ସହିତ କେମିତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ତାଙ୍କୁ ପୋଲିସଠାରୁ ବଂଚାଇବାକୁ ଉଦ୍ୟମ କରିଥିଲେ, ସେବାବଦରେ ମଧ୍ୟ ସେ ଉଲ୍ଲେଖ କରିଥିଲେ ।

ପ୍ରଦୀପଙ୍କ ଭଳି ଜନବିରୋଧୀଙ୍କୁ ବିଜେପି କୋଳାଇ ନେଇଛି
ସାମ୍ବାଦିକ ସମ୍ମିଳନୀରେ ବିଜେପିର ଦୋମୁହାଁ ନୀତିର ଆଉ ଏକ ଉଦାହରଣ ଦେଇ, ସସ୍ମିତ ପାତ୍ର ବିଜେପି ନେତା ପ୍ରଦୀପ ପାଣିଗ୍ରାହୀଙ୍କ କଥା ଉଠାଇଥିଲେ । ଜନବିରୋଧୀ କାର୍ଯ୍ୟ ପାଇଁ ବିଜେଡିରୁ ବହିଷ୍କୃତ ହୋଇଥିବା ପ୍ରଦୀପଙ୍କୁ ନିଜ ଦଳରେ କେମିତି ବିଜେପି ସାମିଲ କରିପାରିଲା ବୋଲି ସେ ପ୍ରଶ୍ନ କରିଛନ୍ତି। ପ୍ରଦୀପ, ବୈଜୟନ୍ତ ଓ ପ୍ରଶାନ୍ତଙ୍କ ଉଦାହରଣ ଦେଇ ସସ୍ମିତ ବିଜେପିକୁ ଠକ, ଜମି ମାଫିଆ ଓ ଗୁଣ୍ଡାଙ୍କ ଦଳ ବୋଲି କହିଛନ୍ତି ।