ଏହି ସମାରୋହରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ୍ଗେ, ଲୋକସଭା ସଦସ୍ୟ ରାହୁଲ ଗାନ୍ଧୀ ଏବଂ ଦଳର ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଯୋଗ ଦେଇଥିେଲ। ସେହିପରି କଂଗ୍ରେସ ଶାସିତ ରାଜ୍ୟ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଏବଂ ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ଶୁଖୁ ମଧ୍ୟ ଉପସ୍ଥିତ ଅଛନ୍ତି। ସେହିପରି ସମାରୋହରେ ବରିଷ୍ଠ କଂଗ୍ରେସ ନେତା କେସି ବେରୁଗୋପାଳ, ବିଜେପି କେରଳ ସଭାପତି ରାଜୀବ ଚନ୍ଦ୍ରଶେଖର, ସିପିଆଇ ନେତା ବିନୟ ବିଶ୍ବମ ପ୍ରମୁଖ ଯୋଗଦେଇଥିଲେ।
୨୧ ସଦସ୍ୟ ବିଶିଷ୍ଟ ‘ପୂର୍ଣ୍ଣ କ୍ୟାବିନେଟ’ରେ ଆଞ୍ଚଳିକ ଏବଂ ମେଣ୍ଟ ସନ୍ତୁଳନ ଉପରେ ଗୁରୁତ୍ବ ଦିଆଯାଇଛି। ଭି.ଡି. ସତୀଶନ ରବିବାର ରାଜ୍ୟପାଳ ରାଜେନ୍ଦ୍ର ବିଶ୍ବନାଥନ ଆର୍ଲେକରଙ୍କୁ ଭେଟି ତାଙ୍କ ଚୂଡ଼ାନ୍ତ ସହଯୋଗୀ ତାଲିକା ଦାଖଲ କରିଥିଲେ। ସତୀଶନଙ୍କ ସମେତ ୨୧ ଜଣ ସଦସ୍ୟଙ୍କୁ ନେଇ ଗଠିତ ନୂତନ କ୍ୟାବିନେଟ ଗଠନ ହେବ।
ମେଣ୍ଟ ଚୁକ୍ତିନାମା ଅନୁଯାୟୀ, ମନ୍ତ୍ରିମଣ୍ଡଳରେ ଦୁଇଜଣ ମହିଳା ଏବଂ ଅନୁସୂଚିତ ଜାତି ସମ୍ପ୍ରଦାୟର ଦୁଇଜଣ ସଦସ୍ୟଙ୍କ ସମେତ ୧୪ ଜଣ ନବନିର୍ବାଚିତ ସଦସ୍ୟଙ୍କୁ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି। ମେଣ୍ଟର ମୁଖ୍ୟ ସହଯୋଗୀ ଇଣ୍ଡିଆନ୍ ୟୁନିଅନ୍ ମୁସଲିମ୍ ଲିଗ୍ (IUML) ପାଞ୍ଚଟି କ୍ୟାବିନେଟ ଆସନ ପାଇଛି। IUML ରାଜ୍ୟ ସଭାପତି ସୟଦ ସାଦିକ୍ ଅଲି ଶିହାବ ଥାଙ୍ଗଲ୍ ଘୋଷଣା କରିଛନ୍ତି ଯେ ସରକାରଙ୍କ ଅଧା କାର୍ଯ୍ୟକାଳ ସମାପ୍ତ ହେବା ପରେ ଆଞ୍ଚଳିକ ସନ୍ତୁଳନ ବଜାୟ ରଖିବା ପାଇଁ ପ୍ରବୀଣ ନେତା ପରକ୍କଲ୍ ଅବଦୁଲ୍ଲାଙ୍କୁ ମଧ୍ୟ କ୍ୟାବିନେଟରେ ସାମିଲ କରାଯିବ।