ରଥ ନିର୍ମାଣରେ ନିୟୋଜିତ ସେବାୟତଙ୍କ ପରିବାରର ମଧ୍ୟ ହେବ କରୋନା ଟେଷ୍ଟ୍

ପୁରୀ: କେନ୍ଦ୍ର ଗୃହମନ୍ତ୍ରାଳୟର ଅନୁମତି ପରେ ଆରମ୍ଭ ହୋଇଯାଇଛି ରଥ ନିର୍ମାଣ କାମ । ତେବେ ରଥ ନିର୍ମାଣ କାମରେ ନିୟୋଜିତ ହୋଇଥିବା ସମସ୍ତ ସେବାୟତଙ୍କର ପ୍ରଥମେ କରୋନା ପରୀକ୍ଷା କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ଖାଲି ସେତିକି ନୁହେଁ ସେବାୟତଙ୍କ ସମେତ ତାଙ୍କ ପରିବାର ଲୋକଙ୍କର ମଧ୍ୟ କରୋନା ପରୀକ୍ଷା କରାଯିବ । ଏନେଇ ପୁରୀ ସିଡିଓଏମ୍‌ଓଙ୍କୁ ପରାମର୍ଶ ଦିଆଯାଇଥିବା ଶ୍ରୀମନ୍ଦିର ପ୍ରଶାସନ କମିଟି ପକ୍ଷରୁ ସୂଚନା ଦିଆଯାଇଛି ।

ରଥ କାମରେ ନିୟୋଜିତ ସେବାୟତଙ୍କୁ ନିୟମିତ ସଚେତନ କରାଯିବ । ଏମିତିକି ରଥକାମ ଶେଷ ହେବା ଯାଏଁ ସେମାନଙ୍କୁ ସଚେତନ କରାଯିବ ବୋଲି କୁହାଯାଇଛି । ତେବେ ବିଶ୍ୱକର୍ମା ଓ ଭୋଇ ସେବାୟତଙ୍କୁ ସ୍ୱାସ୍ଥ୍ୟ କର୍ମୀମାନେ ସଚେତନ କରିବେ ବୋଲି ସ୍ଥିର ହୋଇଛି । ପୁରୀ ଏଡିଏମ୍‌ଓଙ୍କ ନେତୃତ୍ୱରେ ସ୍ୱତନ୍ତ୍ର ଟିମ୍‌ ମଧ୍ୟ ସେବାୟତମାନଙ୍କୁ ନିୟମିତ ସଚେତନ କରିବେ ।

ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏଭଳି ୪ଟି ହେଲ୍ଥ ଟିମ୍‌ ଗଠନ କରାଯାଇଛି । ରଥଖଳା ଓ ଭକ୍ତ ନିବାସରେ ରହିବେ ସ୍ୱତନ୍ତ ହେଲ୍ଥ ଟିମ୍‌ । ତେବେ ଏଥିରେ ମୋବାଇଲ ଟିମ୍‌ ମଧ୍ୟ ନିୟୋଜିତ ହେବେ । ସେମାନେ ଆକ୍ଟିଭ୍‌ ସର୍ଭେଲାନ୍ସ ଭାବେ କାମ କରିବେ । ଏହା ସହ ଶ୍ରୀମନ୍ଦର ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ, ଯଥାସମ୍ଭବ ସେବାୟତମାନଙ୍କୁ ଅନ୍ୟମାନଙ୍କଠାରୁ ସାମାଜିକ ଦୂରତାରେ ରଖିବାକୁ ଚେଷ୍ଟା କରାଯିବ ।

Leave a Reply