ପୁଣି ନିରାଶ ହେଲେ ବିଲକିସ ବାନୋ, ସୁପ୍ରିମକୋର୍ଟରେ ପୁନର୍ବିଚାର ଆବେଦନ ଖାରଜ

ନୂଆଦିଲ୍ଲୀ: ବିଲକିସ ବାନୋଙ୍କ ପୁନର୍ବିଚାର ଆବେଦନକୁ ଖାରଜ କରିଦେଇଛନ୍ତି ସୁପ୍ରିମକୋର୍ଟ । ୨୦୦୨ ଗୁଜରାଟ ଗୋଧ୍ରା ଦଙ୍ଗାବେଳେ ବିଲକିସଙ୍କୁ ବଳାତ୍କାର କରାଯାଇଥିଲା । ୧୯୯୨ ଜେଲ ନିୟମ ଆଧାରରେ ଗତ ସ୍ୱାଧୀନତା ଦିବସରେ ୧୧ ଜଣ ଦୋଷୀଙ୍କୁ ମୁକ୍ତ କରାଯାଇଥିଲା । ସୁପ୍ରିମକୋର୍ଟଙ୍କ ରାୟ ପରେ ଏହାକୁ ବିଲକିସ ସୁପ୍ରିମକୋର୍ଟରେ ପୁଣି ଚ୍ୟାଲେଞ୍ଜ କରିଥିଲେ । ଯାହାକୁ ଆଜି ଖାରଜ କରିଦେଇଛନ୍ତି ସର୍ବୋଚ୍ଚ ଅଦାଲତ । ଯାହକୁ ନେଇ ସଂପୂର୍ଣ୍ଣ ଭାଙ୍ଗିପଡ଼ିଛନ୍ତି ବିଲକିସ ।

ସେପଟେ ଦିଲ୍ଲୀ ମହିଳା ଆୟୋଗ କହିଛନ୍ତି, ଗୁଜରାଟ ସରକାର ସବୁ ଦୋଷୀଙ୍କୁ ମୁକ୍ତ କରିଦେଇଛନ୍ତି । ଏହା ବିରୋଧରେ ସୁପ୍ରିମକୋର୍ଟ ଯଦି ବିଚାର ନକରିବେ ତେବେ ନ୍ୟାୟ କେଉଁଠି ମିଳିବ ବୋଲି କହିଛନ୍ତି ଦିଲ୍ଲୀ ମହିଳା ଆୟୋଗ ଅଧ୍ୟକ୍ଷା । ବିଲକିସ ତାଙ୍କ ଆବେଦନରେ ଦର୍ଶାଇଥିଲେ କି, ମାମଲାର ପୂରା ବିଚାର ମହାରାଷ୍ଟ୍ରରେ ଚାଲିଥିଲା । ମହାରାଷ୍ଟ୍ର ନିୟମ ଅନୁସାରେ ୨୮ ବର୍ଷ ପୂର୍ବରୁ ଆଜୀବନ ଦୋଷୀଙ୍କୁ ୧୪ ବର୍ଷ ପରେ ମୁକ୍ତି ଦିଆଯାଇପାରିବନି ନାହିଁ । ୧୪ ବର୍ଷ ପୂରିବା ପରେ ବିଲକିସଙ୍କ ଦୋଷୀଙ୍କୁ ଗତ ଅଗଷ୍ଟ ୧୫ରେ ଗୁଜରାଟ ସରକାର ମୁକ୍ତି ଦେଇଥିଲେ ।