ନିର୍ଭୟା ମାମଲା: ଦୋଷୀ ବିନୟ କୁମାର ପକ୍ଷରୁ ଦାୟର ଆବେଦନ ସୁପ୍ରିମକୋର୍ଟରେ ଖାରଜ

ନୂଆଦିଲ୍ଲୀ: ଫସର ଫାଟିବାରେ ଲାଗିଛି ନିର୍ଭୟା ଦୋଷୀଙ୍କ ପ୍ଳାନ୍‌ । ଫାଶୀ ଏଡ଼ାଇବା ନେଇ  ଦୋଷୀମାନଙ୍କ ପକ୍ଷରୁ କରାଯାଉଥିବା ଆବେଦନ ଖାରଜ ହେବାରେ ଲାଗିଛି । ଏଥିସହ ସେମାନଙ୍କୁ ଫାଶୀ ଦିଆଯିବା ନେଇ ଆଶା ଉଜ୍ଜିବୀତ ହୋଇରହିଛି । ଆଜି ଦୋଷୀ ବିନୟ କୁମାରଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ଦାୟର ଆଉ ଏକ ଆବେଦନ ଖାରଜ ହୋଇଛି ।

ରାଷ୍ଟ୍ରପତିଙ୍କ ଦ୍ୱାରା ରାଜକ୍ଷମା ଆବେଦନ ଖାରଜ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଇ ଫାଶୀ ଟାଳିବାକୁ ପିଟିସନରେ ଦାବି କରିଥିଲେ ଦୋଷୀ । କିନ୍ତୁ ବିନୟ ପକ୍ଷରୁ ଦାୟର ଏହି ପିଟିସନକୁ ଖାରଜ କରିଦେଇଛନ୍ତି ମାନ୍ୟବର ସୁପ୍ରିମକୋର୍ଟ । ନିଜକୁ ମାନସିକସ୍ତରରେ ଅସୁସ୍ଥ ବୋଲି ମଧ୍ୟ ଦାୟର ପିଟିସନରେ ଉଲ୍ଲେଖ କରିଥିଲେ । ତେବେ ଗତକାଲି ଅର୍ଥାତ ଗୁରୁବାର ଏହି ଆବେଦନର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିବା ବେଳେ କୋର୍ଟ ଆଜି ଏ ନେଇ ରାୟ ପ୍ରକାଶ କରିଛନ୍ତି ।

ଜଷ୍ଟିସ୍‌ ଅଶୋକ ଭୂଷଣ, ଜଷ୍ଟିସ୍ ଏ.ଏସ୍‌ ବୋପନ୍ନା ଓ ଜଷ୍ଟିସ୍‌ ଆର ଭାନୁମତିଙ୍କ ନେଇ ଗଠିତ ଖଣ୍ଡପୀଠ ଏହି ଆବେଦନର ଶୁଣାଣି କରିଥିଲେ ।

ସୂଚନା ଯୋଗ୍ୟ ଯେ,  ଦୋଷୀ ବିନୟ ତରଫର କେସ୍‌ ଲଢ଼ୁଥିବା ଓକିଲ ଏପି ସିଂହ କୋର୍ଟରେ ରାଷ୍ଟ୍ରପତିଙ୍କ ଦ୍ୱାରା ରାଜକ୍ଷମା ଆବେଦନ ଖାରଜ କରାଯିବା ନେଇ ପ୍ରଶ୍ନ ଉଠାଇଥିଲେ । ମର୍ସି ପିଟିସନ ସହ ଦୋଷୀଙ୍କ ପକ୍ଷରୁ ଯେତିକି ରେକର୍ଡ ଓ ଦସ୍ତାବିଜ ଦିଆଯାଇଥିଲା ତାହା ରାଷ୍ଟ୍ରପତିଙ୍କ ଆଗରେ ଉପସ୍ଥାପନ କରାଯାଇନଥିବା କହିଥିଲେ । ଅପରପକ୍ଷରେ ଏ ନେଇ ସିଲିସିଟର ଜେନେରାଲ ତୁଷାର ମେହେଟ୍ଟା କଡ଼ା ସମାଲୋଚନା କରିଛନ୍ତି । ରାଷ୍ଟ୍ରପତି ସମସ୍ତ ଦସ୍ତାବିଜକୁ ଅନୁଧ୍ୟାନ କରିବା ପରେ ଆଇନ ଅନୁସାରେ ମର୍ସି ପିଟିସନ ଖାରଜ କରିଥିବା ସେ କୋର୍ଟଙ୍କୁ ଜଣାଇଥିଲେ ।

Leave a Reply