ଆଦାନି ଗ୍ରୁପକୁ ନେଇ ହିଣ୍ଡେନବର୍ଗ ରିସର୍ଚ୍ଚ ରିପୋର୍ଟ ପ୍ରସଙ୍ଗ, ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଆଦାନି ଗ୍ରୁପକୁ ନେଇ ଆମେରିକାର ହିଣ୍ଡେନବର୍ଗ ରିସର୍ଚ୍ଚର ରିପୋର୍ଟ ପ୍ରସଙ୍ଗ । ଜଣେ ଅବସରପ୍ରାପ୍ତ ସୁପ୍ରିମକୋର୍ଟ ବିଚାରପତିଙ୍କ ନେତୃତ୍ୱରେ ଏକ ତଦନ୍ତ କମିଟି ଗଠନ କରିବା ସକାଶେ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେବା ନେଇ ଆଗତ ପିଟିସନର ଆଜି ଶୁଣାଣି କରିବେ କରିବେ ସର୍ବୋଚ୍ଚ ଅଦାଲତ । ଶିଳ୍ପପତି ଗୌତମ ଆଦାନୀ ନେତୃତ୍ବାଧୀନ ବ୍ୟାବସାୟିକ ସାମ୍ରାଜ୍ୟ ପ୍ରସଙ୍ଗରେ ହିଣ୍ଡେନବର୍ଗ ଯେଉଁ ରିପୋର୍ଟ ଦେଇଥିଲା ତାହାକୁ ନେଇ ଷ୍ଟକ ମାର୍କେଟ ସମେତ ଅନ୍ୟାନ୍ୟ କ୍ଷେତ୍ରରେ ସୃଷ୍ଟି ହୋଇଥିଲା ହଇଚଇ । ଏହାର ଜରୁରୀ ଶୁଣାଣି ଲାଗି କୋର୍ଟ ନିକଟରେ ଆବେଦନ କରିଥିଲେ ଆଡଭୋକେଟ ବିଶାଳ ତିଓ୍ବାରୀ ।

ଏହାସହ ବଡ଼ ବଡ଼ କର୍ପୋରେଟ ମାନଙ୍କୁ ୫୦୦ କୋଟିରୁ ଅଧିକ ଟଙ୍କାର ଋଣ ପ୍ରଦାନ କ୍ଷେତ୍ରରେ ମଞ୍ଜୁରୀ ନୀତିକୁ ଅନୁଧ୍ୟାନ କରିବା ଲାଗି ଏକ ସ୍ବତନ୍ତ୍ର କମିଟି ଗଠନ ପାଇଁ ମଧ୍ୟ ଆବେଦନ କରିଛନ୍ତି ଆଡଭୋକେଟ ତିଓ୍ବାରୀ । ଆମେରିକା ଭିତ୍ତିକ ଫାର୍ମ ହିଣ୍ଡେନବର୍ଗ ରିସର୍ଚ୍ଚର ନାଥନ ଆଣ୍ଡରସନଙ୍କ ନାମରେ ମାମଲା ରୁଜୁ ଲାଗି ଆଡଭୋକେଟ ଏମଏଲ ଶର୍ମା ଏକ ଜନସ୍ୱାର୍ଥ ମାମଲା ରୁଜୁ କରିବାର କିଛି ଦିନ ପରେ ଆଡଭୋକେଟ ବିଶାଳ ତିଓ୍ବାରୀ ଏହି ମାମଲା ରୁଜୁ କରିଛନ୍ତି । ଆଦାନୀ ଗ୍ରୁପକୁ ନେଇ ଝଡ଼ ସୃଷ୍ଟି ହେବା ପରେ ଲକ୍ଷ ଲକ୍ଷ ନିବେଶକ ଘାଟାରେ ପଡ଼ିଛନ୍ତି ବୋଲି ଦର୍ଶାଇଛନ୍ତି ଆବେଦନକାରୀ ।