କଣ ହେବ ନିମିଷାଙ୍କ ଭାଗ୍ୟ ? ଆଜି ସୁପ୍ରିମକୋର୍ଟରେ ଶୁଣାଣି

ନନ୍ଦିଘୋଷ ବ୍ୟୁରୋ: ସରୁଛି ଡେଡଲାଇନ । ସୂତାଖିଅରେ କେରଳ ନର୍ସ ନିମିଷା ପ୍ରିୟାଙ୍କ ଭାଗ୍ୟ । ଆସନ୍ତା ୧୬ରେ ଫାଶୀ ଲାଗି ତାରିଖ ନିର୍ଦ୍ଧାରିତ ହୋଇଥିବାବେଳେ ଏନେଇ ଆଜି ସୁପ୍ରିମକୋର୍ଟରେ ହେବ ଶୁଣାଣି । ଏହି ମାମଲାରେ ତୁରନ୍ତ କୂଟନୈତିକ ହସ୍ତକ୍ଷେପ ଲାଗି ସୁପ୍ରିମକୋର୍ଟ ନିକଟରେ ଦାଏର ହୋଇଥିଲା ପିଟିସିନ । ୧୬ରେ ନିମିଷାଙ୍କୁ ମୃତ୍ୟଦଣ୍ଡ ମିଳିବାକୁ ଯାଉଥିବାବେଳେ ଏଥିରେ ଭାରତ ସରକାର ତୁରନ୍ତ ହସ୍ତକ୍ଷେପ କରିବା ଲାଗି ପିଟିସନରେ ଅନୁରୋଧ କରାଯାଇଥିଲା । ସେଭ ନିମିଷା ପ୍ରିୟା ଇଣ୍ଟରନ୍ୟାସନାଲ ଆକ୍ସନ କାଉନସିଲ ପକ୍ଷରୁ ଏହି ପିଟିସନ ଦାୟର ହୋଇଥିଲା । ଜଣେ ୟେମେନ ନାଗରିକଙ୍କୁ ହତ୍ୟା ଅଭିଯୋଗରେ ତାଙ୍କୁ ମୃତ୍ୟୁଦଣ୍ଡ ମିଳିବ।

ସେଭ୍ ନିମିଷା ପ୍ରିୟା ଆକ୍ସନ କାଉନସିଲର ପକ୍ଷରୁ ମୃତ ବ୍ୟକ୍ତିଙ୍କ ପରିବାର ସହ ବୁଝାମଣା ଚାଲିଥିବା ସୂଚନା ମିଳିଛି । ଜୁଲାଇ ୧୬ରେ ନିମିଷାଙ୍କୁ ମୃତ୍ୟୁଦଣ୍ଡ ଦେବାକୁ ଜେଲ କର୍ତ୍ତୃପକ୍ଷଙ୍କୁ ୟେମେନର ଡାଇରେକ୍ଟର ଜେନେରାଲ ଅଫ ପ୍ରସିକ୍ୟୁସନ ନିର୍ଦ୍ଦେଶ ଦେଇସାରିଛନ୍ତି । ଏନେଇ ତାଙ୍କୁ ଜେଲ କର୍ତ୍ତୃପକ୍ଷ ଅବଗତବି କରାଇଛନ୍ତି । ତେବେ ଶେଷ ମୁହୂର୍ତ୍ତରେ ଯଦି ମୃତକ ତଲାଲ ଅବଦୋ ମେହଦିଙ୍କ ପରିବାର ବ୍ଲଡ ମନି ପାଇବା ପରେ ନିମିଷାଙ୍କୁ କ୍ଷମା ଦିଅନ୍ତି ତେବେ ସମ୍ଭବତଃ ମୃତ୍ୟୁଦଣ୍ଡ ନମିଳିପାରେ । ମେହଦିଙ୍କ ପରିବାରକୁ ଏକ ନିୟୁତ ଡଲାର ଯଚା ଯାଇଥିଲେ ବି ସେମାନେ ଗ୍ରହଣ କରି ନଥିବା ସୂଚନା ମିଳିଛି । ଗତ ବର୍ଷଠାରୁ ଝିଅଙ୍କୁ ବଞ୍ଚାଇବା ଲାଗି ମା ପ୍ରେମ କୁମାରୀ ୟେମେନରେ ଅଛନ୍ତି ।