ଆଦର୍ଶ ଗାଈ ଗୁହାଳ ନାଁରେ ଲୁଟ୍, ପ୍ରକୃତ ହିତାଧିକାରୀଙ୍କୁ ମିଳିନି ଟଙ୍କା

1 min read

ନନ୍ଦିଘୋଷ ବ୍ୟୁରୋ: ଗୋ-ପାଳକଙ୍କ ପାଇଁ ଉଦ୍ଦିଷ୍ଟ ଗାଈ ଗୁହାଳ ନାଁରେ କେଳେଙ୍କାରୀ । ହିତାଧିକାରୀଙ୍କ ଅଗୋଚରରେ କରାଯାଇଛି ଟଙ୍କା ହଡପ । ଅଭିଯୋଗ ପରେ ତଦନ୍ତକୁ ବାଟବଣା କରିବା ପାଇଁ ଅଭିଯୋଗକାରୀଙ୍କୁ ଫେରାଗଲା ଟଙ୍କା । ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଳକ ଶରଧାପୁର ପଞ୍ଚାୟତରୁ ଆସିଛି ସଙ୍ଗୀନ ଅଭିଯୋଗ ।

ଆଦର୍ଶ ଗାଈ ଗୁହାଳ ନାଁରେ ଲୁଟ୍ । ପ୍ରକୃତ ହିତାଧିକାରୀଙ୍କୁ ମିଳିନି ଟଙ୍କା । ମିଛ ବିଲ କରି କରାଯାଇଛି ଟଙ୍କା ହଡ଼ପ । ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ଶରଧାପୁର ପଞ୍ଚାୟତରୁ ଆସିଛି ସଙ୍ଗୀନ ଅଭିଯୋଗ । ଶରଧାପୁର ଗାଁର ଜଟିଆ ପ୍ରଧାନ ନିଜ ଖର୍ଚ୍ଚରେ ଗୁହାଳ ନିର୍ମାଣ କରିଥିଲେ । ହେଲେ ତାଙ୍କୁ ଟଙ୍କାଟିଏ ମିଳିନି । ସେ ଅନଲାଇନରୁ ଜାଣିବାକୁ ପାଇଥିଲେ ତାଙ୍କ ନାଁରେ ଆଦର୍ଶ ଗୁହାଳ ବାବଦକୁ ସମ୍ପୂର୍ଣ୍ଣ ଅର୍ଥ ଆସିଥିବା ବେଳେ ତାହା ଉଠିସାରିଛି । ୧୨ ମାର୍ଚ୍ଚ ୨୦୨୪ରେ ୬୯ ହଜାର ୭୮୫ ଟଙ୍କା ମାଟେରିଆଲସ ବିଲ ସନ୍ତୋଷ ପାଣିଗ୍ରାହୀ ନାମକ ଜଣେ ଲୋକଙ୍କ ଭେଣ୍ଡର ଆଇଡିକୁ ଯାଇଛି  । ଏହା ପରେ ସେ ବିଡିଓଙ୍କ ନିକଟରେ ଅଭିଯୋଗ କରିବା ପରେ ତାଙ୍କୁ ଟଙ୍କା ଫେରସ୍ତ କରାଯାଇଛି । ଏପରି ଅନେକ ହିତାଧିକାରୀଙ୍କ ଗୁହାଳ ଟଙ୍କା ହରିଲୁଟ ହୋଇଥିବା ଅଭିଯୋଗ ହୋଇଛି ।

କୁଶରାବ ଗାଁର ସାରସ ପ୍ରଧାନଙ୍କ ଅଗୋଚରରେ ତାଙ୍କ ନାଁରେ ଥିବା ଗୁହାଳ ଯୋଜନାରୁ ୧୬ ହଜାର ୫୯୦ ଟଙ୍କା ଅନ୍ୟ ଜଣଙ୍କ ଆକାଉଣ୍ଟକୁ ଛାଡି ଦିଆଯାଇଥିବା ସାରସଙ୍କ ସ୍ଵାମୀ ଅଭିଯୋଗ କରିଛନ୍ତି । ସେହିପରି ଶ୍ରୀନିବାସ ଗୌଡଙ୍କ ନାଁରେ ଆସିଥିବା ୬୭ ହଜାର ମାଟେରିଆଲ ଟଙ୍କା ଚଳୁ କରାଯାଇଛି । ଏପରି ଅନେକ ହିତାଧିକାରୀଙ୍କ ଟଙ୍କା ହଡପ କରାଯାଇଛି । ଯୋଜନାରେ ଘୋଟାଲା ହୋଇଥିବା ଖବର ପାଇ ଭଞ୍ଜନଗର ଉପଜିଲ୍ଲାପାଳ ଧରାକୋଟ ବିଡିଓଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏଠି ପ୍ରଶ୍ନ ଉଠୁଛି, ଯୋଜନାରେ ଟଙ୍କା ଅତ୍ମସାତ କରିଥିବା ବ୍ୟକ୍ତିକୁ କେବେ ଦଣ୍ଡ ମିଳବ ?