ମନ୍ତ୍ରୀଙ୍କ ଆକାଉଣ୍ଟରୁ ମିଥ୍ୟା ଖବର, ସୋସିଆଲ ସାଇଟ ହ୍ୟାକ ହୋଇଥିବା ଅଭିଯୋଗ

ଭୁବନେଶ୍ୱର: ଗଣଶିକ୍ଷା ମନ୍ତ୍ରୀଙ୍କ ସୋସିଆଲ ମିଡିଆ ସାଇଟକୁ ହ୍ୟାକ କରିନେଲେ ଦୁର୍ବୁତ୍ତ । ଫେସବୁକ ଏବଂ ଟ୍ୱିଟର ଉଭୟ ସାଇଟ ହ୍ୟାକ ହୋଇଥିବା ନେଇ ସୂଚନା ଦେଇଛନ୍ତି ମନ୍ତ୍ରୀ ସମୀର ରଞ୍ଜନ ଦାସ । ମନ୍ତ୍ରୀଙ୍କ ଟ୍ୱିଟର ଆକାଉଣ୍ଟରୁ ଏକ ଖବର ପୋଷ୍ଟ କରାଯାଇଥିଲା । ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ପୁନର୍ବାର ହେବା ନେଇ କୁହାଯାଇଥିଲା । ଏହି ପୋଷ୍ଟ ସତ୍ୟ ନୁହେଁ, ଏହାକୁ ଜଣେ ହ୍ୟାକର ପୋଷ୍ଟ କରିଥିବା ନେଇ କହିଛନ୍ତି ମନ୍ତ୍ରୀ ।

ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାକୁ ଗଣଶିକ୍ଷା ବିଭାଗ ପକ୍ଷରୁ ବାତିଲ କରାଯାଇଥିବାବେଳେ ଏହି ନିଷ୍ପତ୍ତିରେ ପରିବର୍ତ୍ତନ ହୋଇଥିବା ନେଇ ଟ୍ବିଟ କରାଯାଇଥିଲା । ଯାହାକୁ ନେଇ ପୁନର୍ବାର ଦ୍ୱନ୍ଦରେ ପଡିଥିଲେ ଛାତ୍ରଛାତ୍ରୀ । ସେପଟେ ଏ ବିଷୟରେ ମନ୍ତ୍ରୀ ସମୀର ଦାସ ଜାଣିବା ପରେ ତୁରନ୍ତ ସ୍ପଷ୍ଟୀକରଣ ରଖିଥିଲେ ।

କେହି ଜଣେ ଦୁର୍ବୁତ୍ତ ତାଙ୍କ ଆକାଉଣ୍ଟକୁ ହ୍ୟାକ କରିବା ସହ ପୋଷ୍ଟ କରାଯାଇଥିବା ଉକ୍ତ ଖବର ମିଥ୍ୟା ଏବଂ ଭିତ୍ତିହୀନ ବୋଲି ମନ୍ତ୍ରୀ କହିଥିଲେ । ଏଭଳି ଖବରରୁ ଦୂରେଇ ରୁହନ୍ତୁ, ସରକାରଙ୍କ ପକ୍ଷରୁ ଯାହା ଗୁରୁତ୍ୱପୂର୍ଣ୍ଣ ଘୋଷଣା କରାଯିବ ତାହା ଉଚିତ ମାଧ୍ୟମରେ ଜଣାଇ ଦିଆଯିବ ବୋଲି କହିଛନ୍ତି ଗଣ ଶିକ୍ଷାମନ୍ତ୍ରୀ ।

Leave a Reply