ବଢି ଚାଲିଛି ସ୍କୁଲ ପିଲାମାନଙ୍କ ବସ୍ତାନୀ ବୋଝ

ବଢି ଚାଲିଛି ସ୍କୁଲ ପିଲାମାନଙ୍କ ବସ୍ତାନୀ ବୋଝ । ବ୍ୟାଗର ଓଜନ ବଢିବା ସହ ଛାତ୍ରଛାତ୍ରଙ୍କ ମେରୁଦଣ୍ଡ ବଙ୍କିଯାଉଛି । ହେଲେ ଏପରି ନ ହେବା ନେଇ ଜାତୀୟ ଶିକ୍ଷା ନୀତି ୨୦୨୦ରେ ନିୟମ ରହିଛି । ଜାତୀୟ ଶିକ୍ଷା ନୀତି ୨୦୨୦ ସିନା ରାଜ୍ୟରେ ଲାଗୁ ହେଲା । ହେଲେ ବ୍ୟାଗର ଓଜନ କମାଇବା ଦିଗରେ ସରକାର ଉଦାସୀନ ଥିବା ଅଭିଭାବକମାନେ ଅଭିଯୋଗ କରିଛନ୍ତି । ଏନସିଇଆରଟିର ସୁପାରିସ ଆଧାରରେ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ୨୦୨୦ରେ ଏକ ସ୍କୁଲ ବ୍ୟାଗ ନୀତି ପ୍ରଣୟନ କରାଯାଇଥିଲା । ଯେଉଁଥିରେ କୁହାଯାଇଛି ଯେ, ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ ବ୍ୟାଗର ଓଜନ ସେମାନଙ୍କ ଶରୀର ଓଜନର ୧୦ ପ୍ରତିଶତରୁ ଅଧିକ ହେବା ଉଚିତ ନୁହେଁ । ପ୍ରଥମରୁ ଦ୍ବିତୀୟ ଶ୍ରେଣୀ ପାଇଁ ଦେଢରୁ ଦୁଇ କିଲୋ, ତୃତୀୟରୁ ପଞ୍ଚମ ଯାଏ ଦୁଇରୁ ତିନି କିଲୋ, ଷଷ୍ଠରୁ ଅଷ୍ଟମ ଯାଏ ତିନିରୁ ଚାରି କିଲୋ ଓ ନବମ ଦଶମ ଛାତ୍ରଛାତ୍ରୀଙ୍କ ପାଇଁ ବ୍ୟାଗର ଓଜନ ଚାରିରୁ ପାଞ୍ଚ କିଲୋ ରହିବାର ନିୟମ ଅଛି । ଅନେକ କ୍ଷେତ୍ରରେ ଅଭିଭାବକମାନେ ଅଧିକ ବହି ସହ ପିଲାମାନଙ୍କୁ ସ୍କୁଲ ପଠାଇ ଦେଉଛନ୍ତି । ଅନ୍ୟପଟେ ଘରୋଇ ସ୍କୁଲ ଗୁଡ଼ିକ ଦାମୀ ବହିରୁ ପାଠ ପଢାନ୍ତି । ଯେତେ ଅଧିକ ବହିର ଦାମ୍, ସେତେ ଅଧିକ ବହିର କ୍ବାଲିଟି ଓ ଓଜନ । ଏପରି ଦାମୀ ବହିକୁ ଅଭିଭାବକ ବସ୍ତାନୀ ଓଜନ ପାଇଁ ଦାୟୀ କରିଛନ୍ତି । ଅଭିଭାବକମାନଙ୍କ ଯୁକ୍ତି ବିରୋଧରେ ମତ ଦେଇଛି ଶିକ୍ଷକ ସମାଜ । ବହି ଆଣି ସ୍କୁଲକୁ ଆସିଲେ ହିଁ ପିଲା ପାଠ ବୁଝି ପାରିବେ । ହେଲେ ଏହା ଓଜନ ବଢାଏ ନାହିଁ ବୋଲି ଶିକ୍ଷକମାନେ ମତ ଦେଇଛନ୍ତି ।
ସ୍କୁଲ୍ ପିଲାଙ୍କର ବହି ବ୍ୟାଗ୍ ବୋଝ କମାଇବା ନେଇ ୨୦୧୯ରେ ତତ୍କାଳୀନ ନବୀନ ପଟ୍ଟନାୟକ ସରକାର ଏନେଇ ନିର୍ଦ୍ଦେଶାବଳୀ ଜାରି କରିଥିଲେ । ପିଲାଙ୍କ ଓଜନ ଠାରୁ ବ୍ୟାଗର ଓଜନ ୧୦ ପ୍ରତିଶତରୁ କମ୍ ରହିବ । ଯଦି ପିଲାର ଓଜନ ୨୦ କେଜି ହୋଇଥିବ ତେବେ ସେ ୨କେଜି ଓଜନର ବସ୍ତାନୀ ନେଇ ସ୍କୁଲ ଯିବ । ଏହାଠାରୁ ଅଧିକ ହେଲେ ସମ୍ପୃକ୍ତ ବିଦ୍ୟାଳୟ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ମାତ୍ର ଜାତୀୟ ଶିକ୍ଷା ନୀତି ଲାଗୁ ହେବା ପରେ ବି ଏହାକୁ ପାଳନ କରାଯାଉନାହିଁ । ସେପଟେ ବ୍ୟାଗ ଓଜନକୁ ନେଇ ତର୍ଜମା କରାଯାଇ ପଦକ୍ଷେପ ନିଆଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସଫେଇ ଦେଇଛନ୍ତି । ଅନେକ ଘରୋଇ ସ୍କୁଲ ବୁକଲେସ୍ ପନ୍ଥା ଆପଣେଇଛନ୍ତି । ହେଲେ ସରକାରୀ ସ୍କୁଲ ଓ କିଛି ଘରୋଇ ସ୍କୁଲ ବହି ଆଣିବା ଉପରେ ଗୁରୁତ୍ବ ଦେଉଛନ୍ତି । ଯାହା ପିଲାମାନଙ୍କୁ ଚାପଗ୍ରସ୍ତ କରିବା ସହ ଶାରୀରିକ ଅସୁସ୍ଥ କରି ଦେଉଛି ।