୧୬ ଯାଏଁ ସ୍କୁଲ ସହ ଅଙ୍ଗନୱାଡି ଛୁଟି, ଗ୍ରୀଷ୍ମପ୍ରବାହ ପାଇଁଁ ନବୀନଙ୍କ ନିଷ୍ପତ୍ତି

ଭୁବନେଶ୍ବର: ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ସ୍କୁଲ ସହିତ ଅଙ୍ଗନବାଡି ମଧ୍ୟ ବନ୍ଦ ରହିବ । ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଉଭୟ ସରକାରୀ ଓ ବେସରକାରୀ ସ୍କୁଲ ବନ୍ଦ ରହିବ । ରାଜ୍ୟରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଏଭଳି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗତକାଲି ଜାପାନ ଗସ୍ତରୁ ଫେରିବା ମାତ୍ରେ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ସ୍ଥିତି ନେଇ ନବୀନ ବରିଷ୍ଠ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ ।

ପିଲାଙ୍କ ସ୍ବାସ୍ଥ୍ୟବସ୍ଥାକୁ ନଜରରେ ମୁଖ୍ୟମନ୍ତ୍ରୀ ଏଭଳି ନିଷ୍ପତ୍ତି ନେଇଛନ୍ତି । ରାଜ୍ୟରେ ଗତ କିଛିଦିନ ଧରି ପ୍ରବଳ ଗ୍ରୀଷ୍ମ ପ୍ରବାହ ହେଉଛି । ବିଭିନ୍ନ ଜିଲ୍ଲାକୁ ହିଟ ଓ୍ବେଭ ଜାରି କରାଯାଇଛି । ପଞ୍ଚାୟତିରାଜ ଓ ପାନୀୟ ଜଳ, ଗୃହ ଓ ନଗର ଉନ୍ନୟନ ଏବଂ ଶକ୍ତି ବିଭାଗକୁ ଆଗୁଆ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯେକୌଣସି ସ୍ଥିତିର ମୁକାବିଲା ସହିତ ପାନୀୟ ଜଳ ଯୋଗାଣ, ଜଳାଭାବ ଦୂର, ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ଉପରେ ସ୍ବତନ୍ତ୍ର ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ନବୀନ ।

ମୌସୁମୀ ଆଗମନ ବାବଦରେ ସଠିକ ସୂଚନା ରଖି ଆଗାମୀ ଯୋଜନା ପ୍ରସ୍ତୁତ କରାଯିବ । ଏହି ଅବସରରେ କରୋନା ସ୍ଥିତି ସମ୍ପର୍କରେ ମଧ୍ୟ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିଛନ୍ତି । ଏହା ଉପରେ ନଜର ରଖି ସଂକ୍ରମଣ ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏହି ଅବସରରେ ବିଏସକେଓ୍ବାଇ କାର୍ଯ୍ୟକଳାପର ସମୀକ୍ଷା କରି ମୁଖ୍ୟମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଛନ୍ତି । ରାଜ୍ୟର ସାଢେ ତିନି କୋଟିରୁ ଅଧିକ ଲୋକ ବିଏସକେଓ୍ବାଇ ସହାୟତାରେ ମାଗଣା ଚିକିତ୍ସା ସେବା ପାଇପାରୁଛନ୍ତି ।