ରାଜ୍ୟରେ ବଢିଲା ଗ୍ରୀଷ୍ମ ଛୁଟି ଅବଧି, ୨୧ ତାରିଖରେ ଖୋଲିବ ସ୍କୁଲ

ଭୁବନେଶ୍ୱର: ରାଜ୍ୟରେ ବଢିଲା ଗ୍ରୀଷ୍ମ ଛୁଟି ଅବଧି । ୨ ଦିନ ବଢ଼ିଲା ଖରାଛୁଟି । ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଛୁଟି ଅବଧିକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ଆସନ୍ତା ୧୯ ତାରିଖ ପରିବର୍ତ୍ତେ ୨୧ ତାରିଖରେ ଖୋଲିବ ସ୍କୁଲ । ଏନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ତରଫରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଏପ୍ରିଲ ୨୧ ତାରିଖରୁ ସ୍କୁଲରେ ଖରାଛୁଟି ହୋଇଥିଲା । ଆଗୁଆ ଖରାଛୁଟି ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୂର୍ବରୁ ମେ’ ୫ରୁ ଜୁନ୍ ୧୭ ଯାଏଁ ଖରା ଛୁଟି ଘୋଷଣା କରାଯାଇଥିଲା । ହେଲେ ହିଟଓ୍ବେଭ୍ ପାଇଁ  ନିର୍ଦ୍ଧାରିତ ତାରିଖର ୧୫ ଦିନ ପୂର୍ବରୁ ଖରାଛୁଟି କରାଯାଇଥିଲା । ଅଧିକ ଦିନ ଛୁଟି ଯେପରି ପାଠପଢାକୁ ପ୍ରଭାବିତ ନକରେ, ସେଥିପାଇଁ ଅବକାଶକାଳୀନ ଶିକ୍ଷା ବା ସମର କୋର୍ସ ପାଇଁ ସ୍ବତନ୍ତ୍ର ସିଲାବସର ବ୍ୟବସ୍ଥା କରିଥିଲା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ଆସନ୍ତା ୧୯ ତାରିଖରେ ସ୍କୁଲ ଖୋଲିବାର ଥିଲା  । ମାତ୍ର ଏବେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାରୁ ୨ ଦିନ ଛୁଟି ବଢାଯାଇଛି  ।